ପାଟକୁରାରେ ନେତା ମାଳ ମାଳ
ପାଟକୁରା ଆସନ ପାଇଁ ନିର୍ବାଚନ ତାରିଖ ଏପର୍ଯ୍ୟନ୍ତ ଘୋଷିତ ହୋଇନାହିଁ। କାହିଁକି ନିର୍ବାଚନ କମିଶନ ଏଭଳି ଟାଳଟୁଳ ନୀତି ଗ୍ରହଣ କରିଛନ୍ତି, ତାହା ମଧ୍ୟ ସନ୍ଦେହ ଘେରରେ। ମାତ୍ର ସରକାରଙ୍କ ମନ୍ତ୍ରୀମାନେ ପାଟକୁରାରେ ଟହଲ ମାରୁଛନ୍ତି। ସେମାନଙ୍କ ଭିତରେ ଡେରାବିଶ, ଗରଦପୁର ଏବଂ ମାର୍ଶାଘାଇ ବାଣ୍ଟି ଦିଆଯାଇଛି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ନିରଞ୍ଜନ ପୁଜାରୀ, ରଘୁନନ୍ଦନ ଦାସ ପାଟକୁରାରେ ଡେରା ପକାଇ ସାରିଲେଣି। ବିଧାୟକ ଓ ନେତାମାନଙ୍କ ତାଲିକା ଲେଖିବା ସମ୍ଭ ନୁହେଁ।
ନିକଟରେ ଶେଷ ହୋଇଥିବା ନିର୍ବାଚନରେ ୧୧୨ଟି ଆସନ ଜିତିବା ପରେ ପାଟକୁରାକୁ ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ଦ୍ୱାରା ଘେରାବନ୍ଦୀ କରିବାକୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏତେ ତତ୍ପରତା କାହିଁକି ପ୍ରକାଶ କରୁଛନ୍ତି? ଏତିକି ତତ୍ପରତା ପୁରୀ ଓ ଖୋର୍ଦ୍ଧା ଜିଲାର ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ପ୍ରତି ଦେଖାଇ ଥିଲେ ଏତେବେଳକୁ ପ୍ରାୟ ସବୁ ଅଞ୍ଚଳରେ ବିଜୁଳି ଆସିସାରନ୍ତାଣି।
ମୁଖ୍ୟମନ୍ତ୍ରୀ ଯଦି ଫୋନି ମହାବାତ୍ୟା ପୁରୀ ଜିଲାକୁ ବିଭିନ୍ନ ଜୋନରେ ବିଭକ୍ତ କରି ପୁନର୍ନିର୍ମାଣ କାର୍ଯ୍ୟ ଦାୟିତ୍ୱ ଯଦି ମନ୍ତ୍ରୀ ଓ ବିଧାୟକମାନଙ୍କ ମଧ୍ୟରେ ବାଣ୍ଟି ଦେଇଥାନ୍ତେ, ତେବେ ଏତେବେଳକୁ ପରିସ୍ଥିତି ସମ୍ପୂର୍ଣ୍ଣ ସୁଧୁରି ଯାଇସାରନ୍ତାଣି। କିନ୍ତୁ ପାଟକୁରା ଚିନ୍ତା ନବୀନଙ୍କୁ ଅଧିକ ଘାରିଛି। ବିଜୁଳି ସଂକଟରେ ଦୁର୍ବିସହ ଜୀବନ ଯାପନ କରୁଥିବା ଲୋକଙ୍କ ପ୍ରତି ସତେ ଯେମିତି ସରକାରଙ୍କର କୌଣସି ଦାୟିତ୍ୱ ନାହିଁ।
ପାଟକୁରା ଏବଂ ବାତ୍ୟା ବିଧ୍ୱସ୍ତ ଓ ବିଜୁଳି ସଙ୍କଟ ଭୋଗୁଥିବା ଅଞ୍ଚଳ ଭିତରେ ଏକ ବିରାଟ ପାର୍ଥକ୍ୟ ଅଛି। ଫୋନି ବାତ୍ୟା ଆସିବ ବୋଲି ଡର ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ କମିଶନଙ୍କୁ ପ୍ରଭାବିତ କରିବାରେ ସଫଳ ହେଲେ। ସବକଲେoର ଠାରୁ ଆରମ୍ଭ କରି ନିର୍ବାଚନ ଅଧିକାରୀ ଯାଏଁ ସମସ୍ତେ ନବୀନ ବାବୁଙ୍କ ସ୍ୱରରେ ଗୀତ ଗାଇଲେ। କିନ୍ତୁ ଯେଉଁ ଫୋନି ବାତ୍ୟା ଡର ଦେଖାଇଥିଲେ ମୁଖ୍ୟମନ୍ତ୍ରୀ, ସେହି ବାତ୍ୟା ଯୋଗୁଁ ଯେଉଁ ଅଞ୍ଚଳରେ ସର୍ବାଧିକ କ୍ଷୟକ୍ଷତି ଘଟିଛି, ସେଠାରେ ସ୍ଥିତି ସ୍ୱାଭାବିକ କରିପାରି ନାହାଁନ୍ତି ସରକାର।

ସରକାରୀ ଦଳର ସବୁ ଧ୍ୟାନ ଏବେ ପାଟକୁରା ଉପରେ କେନ୍ଦ୍ରୀଭୂତ ହୋଇଛି। ପାଟକୁରା ମନ୍ତ୍ରୀ ଓ ନେତା ଗଡ଼ରେ ପରିଣତ ହୋଇସାରିଛି। ଶୁକ୍ରବାର ଦିନ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ବିଶାଳ ରୋଡ଼ ଶୋ’ ପରେ ଅଧିକରୁ ଅଧିକ ମନ୍ତ୍ରୀ ଏବଂ ବିଜେଡି ନେତାଙ୍କୁ ପାଟକୁରା ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭୋଟ ତାରିଖ ଘୋଷଣା ବେଳକୁ ସେଠାରେ ଲୋକଙ୍କ ଦେହରେ ମନ୍ତ୍ରୀ ଓ ନେତାଙ୍କ ଦେହ ବାଜି ଯାଉଥିବ।
ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, ୧୧୨ ବିଧାୟକ ଜିତିଛନ୍ତି ବିଜେଡି ଟିକଟରେ। ଏହି ସଂଖ୍ୟା ଦୁଇତୃତୀୟାଂଶରୁ ଅଧିକ। ତେବେ ଆଉ ଗୋଟିଏ ଆସନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନ ଏବଂ ନିଜ ସରକାରକୁ ପାଟକୁରାରେ କାହିଁକି ଭିଡ଼ାଇ ଦେଇସାରିଛନ୍ତି। ଏମିତିରେ ଜିଲାପାଳ ଏବଂ ଏସପିଙ୍କ ସମେତ ଥାନା ବାବୁମାନେ ମଧ୍ୟ ବିଜୁ ଜନତା ଦଳ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି ଏବଂ ଏହାର କିଛି ପ୍ରମାଣ ଜିଲାପାଳ ମଧ୍ୟ ଛାଡ଼ି ସାରିଲେଣି। ପାଟକୁରା ଏମିତି ଇଜ୍ଜତର ପ୍ରଶ୍ନ କାହିଁକି ପାଲଟିଛି ନବୀନଙ୍କ ପାଇଁ?

ଏଥିରୁ ଜଣାପଡ଼ୁଛି ଯେ, ୧୧୩ତମ ଆସନ ଲାଗି ନୁହେଁ, ବିଜୟ ମହାପାତ୍ରଙ୍କୁ ବେଶୀ ଡରୁଛନ୍ତି ନବୀନ। ବିଧାନସଭାକୁ ଆସିଲେ ବିଜୟ ୧୧୨ଜଣିଆ ଶାସକ ଦଳ ପାଇଁ ଅଡ଼ୁଆ କରିପାରନ୍ତି ବୋଲି ଆଶଙ୍କା କରୁଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଆଶଙ୍କାର ଅସଲ କାରଣ କ’ଣ, ସେ ହୁଏତ ଜାଣିଥିବେ। ହୁଏତ ସରକାରଙ୍କ ଅନେକ ଗୁମର ବିଧାନସଭାରେ ଫିଟିଯିବ ବୋଲି ସେ ଭୟ କରୁଛନ୍ତି। ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ ପାଟକୁରାରୁ ବିଜେଡିକୁ ୬ହଜାର ଅଧିକ ଭୋଟ ମିଳିଥିଲା। ଏହା ଡେରାବିଶ ଭୋଟ ଯୋଗୁଁ ସମ୍ଭବ ହୋଇଥିଲା। ସେଥିପାଇଁ ଶାସକ ଦଳ ମଧ୍ୟ ଅଧିକ ଛାନିଆଁ।
ବିଜୟ ମହାପାତ୍ର ବିଜେପି ଟିକଟରେ ପ୍ରାର୍ଥୀ ହୋଇଥିବା ବେଳେ ପୂର୍ବତନ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ବିଧବା ପତ୍ନୀ ସାବିତ୍ରୀ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ବିଜୟଙ୍କୁ ଘେରିବା ପାଇଁ ବିଜେପିର କିଛି ନେତାଙ୍କୁ କିଣିବା ସକାଶେ ଏକ ବଡ଼ ଯୋଜନା କରାଯାଉଥିବା ସୂଚନା ମିଳିଛି।