ସୁସ୍ଥ ବିଜେପି, ଅସୁସ୍ଥ କଂଗ୍ରେସ, କୋମାରେ ବିଜେଡି

କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଚତୁର୍ଥ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏଥିମଧ୍ୟରୁ ୪ଟି ବିଧାନସଭାମଣ୍ଡଳୀରେ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଆରମ୍ଭ କରିଦେଇଥିଲା ବେଳେ ପାଟକୁରା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀମାନଙ୍କର ଭୋଟ ପ୍ରଚାର ଏକରକମ ସ୍ଥାଣୁ ଅବସ୍ଥାରେ ରହିଛି। ବିଜେପି ପକ୍ଷରୁ ବିଭିନ୍ନ ଛକ ବଜାରମାନଙ୍କରେ ବ୍ୟାନର ଝୁଲୁଥିବାର ଦେଖିବାକୁ ମିଳୁଛି। କଂଗ୍ରେସ ଓ ବିଜେଡି ପକ୍ଷରୁ କୌଣସି ବ୍ୟାନର ପୋଷ୍ଟର ଦେଖିବାକୁ ମିଳୁନି।

ଇତି ମଧ୍ୟରେ ବିଜେପିର ଦଳୀୟ ବିଧାନସଭା ପ୍ରାର୍ଥୀ ବିଜୟ ମହାପାତ୍ର ଡେରାବିଶ ଓ ଗରଦପୁର ବ୍ଲକ ଅଞ୍ଚଳରେ ନିର୍ବାଚନୀ ସଭା ଶେଷ କରିସାରିଲେଣି। ପ୍ରାର୍ଥୀ ଶ୍ରୀ ମହାପାତ୍ର ସେମାନଙ୍କର କର୍ମୀଙ୍କ ସହ ଡେରାବିଶ ଓ ଗରଦପୁର ବ୍ଲକର ବିଭିନ୍ନ ପଞ୍ଚାୟତର ଜନସାଧାରଣଙ୍କୁ ଭେଟିବା ସହ ପଥପ୍ରାନ୍ତ ସଭା ମଧ୍ୟ ଆରମ୍ଭ କରିଦେଲେଣି।

କିନ୍ତୁ କଂଗ୍ରେସ ପକ୍ଷରୁ ଏପର୍ଯ୍ୟନ୍ତ ନିର୍ବାଚନୀ ସଭା କିମ୍ୱା ପୋଷ୍ଟର ବ୍ୟାନର ପ୍ରଚାର ଆଦି କିଛି କରାଯାଇ ନାହିଁ। ପ୍ରାର୍ଥୀ ଜୟନ୍ତ ମହାନ୍ତି ୨ ଥର ଏଠାରୁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ରାଜ୍ୟରେ କଂଗ୍ରେସ ଦଳର ନେତୃସ୍ଥାନୀୟ ବ୍ୟକ୍ତିମାନେ ଏବେ ସୁଦ୍ଧା କଂଗ୍ରେସ ଦଳ ଛାଡି ଅନ୍ୟ ଦଳରେ ଯୋଗଦେଉଛନ୍ତି। ସେଥିଲାଗି ପ୍ରାର୍ଥୀ ଶ୍ରୀ ମହାନ୍ତି ହତୋତ୍ସାହିତ ହୋଇପଡିଛନ୍ତି। ଶ୍ରୀ ମହାନ୍ତି ବିଭିନ୍ନ ପଞ୍ଚାୟତ ବୁଲି ତାଙ୍କର ଦଳୀୟ କର୍ମୀମାନଙ୍କ ସହିତ ବିଚାର ବିମର୍ଶ କରୁଥିବାର ଦେଖିବାକୁ ମିଳୁଛି। ଗତ ୨୦୧୪ ନିର୍ବାଚନରେ ୨ୟ ସ୍ଥାନରେ ରହି ଯେଉଁ ୪୩ ହଜାର ସଂଖ୍ୟକ ଭୋଟ ପାଇଥିଲେ, ଚଳିତ ନିର୍ବାଚନରେ ସେହି ସଂଖ୍ୟା କିପରି ବଜାୟ ରଖିବେ ସେଥିପାଇଁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।

କିନ୍ତୁ ବିଜେଡିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଏଠାରେ ଥିବା ପ୍ରାର୍ଥୀ ତଥା ୨୦୦୯ ଓ ୨୦୧୪ ରେ ବିଜୟ ଲାଭ କରିଥିବା ବିଧାୟକ ବେଦପ୍ରକାଶ ଅଗ୍ରୱାଲ ଅସୁସ୍ଥ ହୋଇ ୨ ମାସ ହେବ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ୮୪ ବର୍ଷ ବୟସର ଶ୍ରୀ ଅଗ୍ରୱାଲ ଗୁରୁତର ଅବସ୍ଥାରେ ଥିଲେ ମଧ୍ୟ ପାଟକୁରା ବିଧାନସଭା ପାଇଁ ତାଙ୍କୁ ବିଜେଡି ପକ୍ଷରୁ ଟିକଟ ପ୍ରଦାନ କରାଯାଇଛି।

ଏପରିକି ଅସୁସ୍ଥତା ପାଇଁ ଟିକଟ ପାଇଁ ନବୀନ ନିବାସକୁ ଯାଇନପାରିବା ଓ ପ୍ରାଥିର୍ପତ୍ର ଦଖଲ କରିବା ପାଇଁ ଜିଲ୍ଲାପାଳଙ୍କ ଅଫିସର ଉପର ମହଲାରେ ଥିବା ରିଟର୍ଣ୍ଣ ଅଫିସରଙ୍କ ସମ୍ମୁଖରେ ତାଙ୍କର ପ୍ରାଥିର୍ପତ୍ର ଦାଖଲ କରିବାକୁ ସକ୍ଷମ ହୋଇପାରି ନାହାନ୍ତି। ପ୍ରସ୍ତାବକଙ୍କ ଜରିଆରେ ତାଙ୍କ ପ୍ରାଥିର୍ପତ୍ର ଦାଖଲ କରାଯାଇଥିଲା। କେନ୍ଦ୍ରାପଡାରୁ ପ୍ରାଥିର୍ପତ୍ର ଦାଖଲ କରି ଫେରିବା ପରେ ଶ୍ରୀ ଅଗ୍ରୱାଲ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପୁନର୍ବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବିଜେଡିର ପ୍ରାର୍ଥୀ ଶ୍ରୀ ଅଗ୍ରୱାଲଙ୍କର ଏଭଳି ଗୁରୁତର ସ୍ୱାସ୍ଥ୍ୟାବସ୍ଥା ଦେଖି ତାଙ୍କର କର୍ମୀମାନେ ସ୍ତବ୍ଧ ହୋଇଯାଇଛନ୍ତି। ଯେଭଳି ଭାବେ ପ୍ରଚାର ପ୍ରସାର ଆରମ୍ଭ ହୋଇଯିବା କଥା ତାହା ସମ୍ପୂର୍ଣ୍ଣ ରୂପେ ଠପ ହୋଇଯାଇଛି। ନା ବ୍ୟାନର ନା ପୋଷ୍ଟର କୌଣସି ସ୍ଥାନରେ ଦେଖିବାକୁ ମିଳୁନି। ବିଜେଡି ପ୍ରାର୍ଥୀ ଶ୍ରୀ ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଯେଭଳି ଭାବେ ସଙ୍ଗୀନ ହେବାରେ ଲାଗିଛି ପାଟକୁରା ବିଧାନସଭା ବିଧାୟକ ପଦବୀ ପାଇଁ ନିର୍ବାଚନ ହେବା ନ ହେବା ହୋଇ ବିଭିନ୍ନ ଛକ ବଜାରମାନଙ୍କରେ ଆଲୋଚନା ହେଉଛି।

ଏଣୁ ବର୍ତ୍ତମାନ ପରିସ୍ଥିତିରେ ପାଟକୁରାରେ ବିଜେପି- ସୁସ୍ଥ , କଂଗ୍ରେସ – ଅସୁସ୍ଥ ଓ ବିଜେଡି- କୋମା ଅବସ୍ଥାରେ ଅଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

Leave a Reply

Your email address will not be published.