ପାଟକୁରା ମଇଦାନରେ ୩ ପୁରୁଣା
- ବେଦପ୍ରକାଶ ଡାକ୍ତରଖାନାରେ
- ବିଜୟ ଏଥର ଫେରିଲେ ପାଟକୁରାକୁ
- କଂଗ୍ରେସ ପ୍ରଥମ ଥର ରିପିଟ କଲା ଜୟନ୍ତଙ୍କୁ
- ଏମାନଙ୍କ ମଧ୍ୟରୁ କିଏ ହେବ ଚମ୍ପିୟାନ ?
କେନ୍ଦ୍ରାପଡା ଜିଲ୍ଲାର ପାଟକୁର ନିର୍ବାଚନମଣ୍ଡଳୀ ନିର୍ବାଚନ ସମୟ ଆସିଲେ ବେଶ ଚର୍ଚ୍ଚିତ ହୋଇ ପଡେ। ଚଳିତ ମାସ ୨୯ ତାରିଖରେ ହେଉଥିବା ବିଧାନସଭା ନିର୍ବାଚନୀ ମଇଦାନରେ ଆସୁଛନ୍ତି ବିଜେଡି ବିଧାୟକ ବେଦପ୍ରକାଶ ଅଗ୍ରୱଲା, ବିଜେପିରୁ ପୂର୍ବତନ ବିଧାୟକ ବିଜୟ ମହାପାତ୍ର ଏବଂ କଂଗ୍ରେସ ଦଳରୁ ଗତ ୨୦୧୪ ନିର୍ବାଚନରେ ପାଟକୁରାରୁ ପରାଜିତ ପ୍ରାର୍ଥୀ ଜୟନ୍ତ ମହାନ୍ତି।
ବେଦପ୍ରକାଶ ୨ଥର ବିଧାୟକ ରୂପେ ବିଜେଡିରୁ ନିର୍ବାଚିତ ହୋଇଥିଲେ। ୨୦୧୯ ପାଇଁ ମଧ୍ୟ ତାଙ୍କୁ ଟିକଟ ଦିଆଯାଇଛି। କିନ୍ତୁ ଶ୍ରୀ ଅଗ୍ରୱଲା ବୟସାଧିକ କାରଣରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ ସେ ମଧ୍ୟ ଆଦ୍ୟବଧି ନିଜର ଟିକଟ ଆଣିପାରିନାହାନ୍ତି। ଯାହାକୁ ନେଇ ପାଟକୁରାରେ କର୍ମୀମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାଙ୍କର ସହଧର୍ମିଣୀ ପୁଅକୁ ସାଥିରେ ନେଇ ପୁଅକୁ ଦଳୀୟ ଟିକଟ ଦେବା ଲାଗି ନବୀନଙ୍କ ନିକଟରେ ଦାବି ଜଣାଇଛନ୍ତି।
ବିଜେଡିର ପ୍ରାର୍ଥୀତ୍ୱକୁ ନେଇ ଏଭଳି ଅନିଶ୍ଚିତତା ଲାଗି ରହିଥିବା ବେଳେ ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପାଟକୁରା ପାଇଁ ଟିକଟ ଦେଇଛି। ଶ୍ରୀ ମହାପାତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଜଣେ ପରମ ରାଜନୈତିକ ଶିଷ୍ୟ ଥିଲେ। ୧୯୮୦ ମସିହା ନିର୍ବାଚନରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଜନତା ଦଳ ପାଇଁ ପାଟକୁରା ବିଧାନସଭାମଣ୍ଡଳୀ ଓ କେନ୍ଦ୍ରାପଡା ଲୋକସଭା ନିର୍ବାଚନୀମଣ୍ଡଳୀ ଦୁଇଟିରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ। ସ୍ୱର୍ଗତ ବିଜୁ ବାବୁ ପାଟକୁରା ଛାଡି ଦେଇଥିଲେ। ଯେଉଥିପାଇଁ ପାଟକୁରାରେ ଉପନିର୍ବାଚନ ହୋଇଥିଲା। ଏହି ଉପନିର୍ବାଚନରେ ଶ୍ରୀ ମହାପାତ୍ର ପ୍ରତିଦ୍ୱନ୍ଦ୍ୱିତା କରି ଜୟଯୁକ୍ତ ହୋଇ ତାଙ୍କର ପ୍ରତ୍ୟକ୍ଷ ରାଜନୈତିକ ଜୀବନ ଆରମ୍ଭ କରିଥିଲେ।
୧୯୮୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ କ୍ରମାଗତ ଭାବେ ୪ ଥର ଶ୍ରୀ ମହାପାତ୍ର ପାଟକୁରାରୁ ଜୟଯୁକ୍ତ ହୋଇଥିଲେ। ୧୯୯୦ରୁ ୯୫ ପର୍ଯ୍ୟନ୍ତ ସ୍ୱର୍ଗତ ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଶ୍ରୀ ମହାପାତ୍ର ଜଳ ସମ୍ପଦ ବିଭାଗ ମନ୍ତ୍ରୀ ରୂପେ କ୍ୟାରିଅର ଆରମ୍ଭ କରି ସରକାରରେ ଅନ୍ୟ ମନ୍ତ୍ରୀମାନଙ୍କ ଅପେକ୍ଷା ନିଜର ପତିଆରା ବୃଦ୍ଧି କରିଥିଲେ। ୧୯୯୮ରେ ବିଜୁ ଜନତା ଦଳ ଗଠନରେ ଶ୍ରୀ ମହାପାତ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। କିନ୍ତୁ ୨୦୦୦ ମସିହା ନିର୍ବାଚନରେ ଚଞ୍ଚକତା କରାଯାଇଥିଲା। ବିଜେଡି ଟିକଟ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ ମଧ୍ୟ ତାଙ୍କର ଟିକଟକୁ ପ୍ରତ୍ୟାହାର କରାଯାଇ ଅତନୁ ସବ୍ୟସାଚୀ ନାୟକଙ୍କୁ ବିଜେଡି ଟିକେଟ ଦିଆଯାଇଥିଲା।
ଏଭଳି ଘଟଣାରେ ବିଜୟଙ୍କ ସମର୍ଥକ ଓ ସାଧାରଣ ଲୋକେ ଚକିତ ହୋଇଯାଇଥିଲେ। ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀଙ୍କୁ ହରାଇବା ପାଇଁ ଶ୍ରୀ ମହାପାତ୍ର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତ୍ରିଲୋଚନ ବେହେରାଙ୍କୁ ସମର୍ଥନ କରିବାରୁ ଅତନୁ ସବ୍ୟସାଚୀ ନାୟକ ପରାଜିତ ହୋଇ ପରବର୍ତ୍ତୀ ନିର୍ବାଚନଗୁଡିକରେ ଶ୍ରୀ ମହାପାତ୍ର କ୍ରମାଗତ ଭାବେ ପାଟକୁରା ଓ ମହାକାଳପଡାରୁ ପରାଜିତ ହୋଇଚାଲିଛନ୍ତି।
୨୦୦୯ରେ ବିଜେପିରେ ଯୋଗଦେଇ ଶ୍ରୀ ମହାପାତ୍ର ୨୦୧୮ ନଭେମ୍ୱରରେ ଦଳରୁ ଇସ୍ତଫା ଦେଇଥିଲେ। କିନ୍ତୁ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରାନଯାଇ ପୁର୍ନବାର ବିଜେପି ନେତୃବର୍ଗ ତାଙ୍କୁ ଦଳକୁ ଫେରାଇ ଆଣି ପାଟକୁରା ନିର୍ବାଚନୀମଣ୍ଡଳୀ ପାଇଁ ତାଙ୍କୁ ଟିକଟ ପ୍ରଦାନ କରିଛନ୍ତି।
ଅନ୍ୟତମ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ଯେ କି ଗତ ୨୦୧୪ରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିଲେ ତାଙ୍କୁ ପୁନର୍ବାର କଂଗ୍ରେସ ଦଳ ପକ୍ଷରୁ ୨୦୧୯ ନିର୍ବାଚନରେ ଟିକଟ ଦେଇଛନ୍ତି। ଦୀର୍ଘ ୫୨ ବର୍ଷ ପରେ ପ୍ରଥମ ଥର ପାଇଁ କଂଗ୍ରେସ ଦଳ କ୍ରମାଗତ ଭାବରେ ଜଣେ ପ୍ରାଥିର୍ତ୍ୱକୁ ଦ୍ୱିତୀୟ ବାର ଟିକଟ ପ୍ରଦାନ କରି ଇତିହାସ ସୃଷ୍ଟି କରିଛି। ଗତ ୨୦୧୪ ନିର୍ବାଚନରେ ବିଧାୟକ ଶ୍ରୀ ଅଗ୍ରୱଲା ତାଙ୍କଠାରୁ ୪୬ ହଜାର ଅଧିକ ଭୋଟ ପାଇଥିଲେ। ପୁରୁଖା ଦୁଇ ରାଜନୈତିକ ନେତା ଶ୍ରୀ ଅଗ୍ରୱଲା ଓ ଶ୍ରୀ ମହାପାତ୍ରଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇ କଂଗ୍ରେସ ପାର୍ଥୀ ଶ୍ରୀ ମହାନ୍ତିଙ୍କ ସପକ୍ଷରେ ଅଧିକ ଭୋଟ ମିଳିବା ଆଶା ରଖି ଶ୍ରୀ ମହାନ୍ତି ତାଙ୍କର ସାଙ୍ଗଠନିକ କାର୍ଯ୍ୟ ତ୍ୱରାନ୍ୱିତ କରିବାରେ ଲାଗିଛନ୍ତି।
ବିଜେଡି ପ୍ରାର୍ଥୀ ଶ୍ରୀ ଅଗ୍ରୱଲାଙ୍କ ଅସୁସ୍ଥତାକୁ ନେଇ ବିଜେଡି କର୍ମୀମାନଙ୍କ ମଧ୍ୟରେ ନୈରାଶ ଭାବ ଦେଖାଦେଇଛି। ଶ୍ରୀ ଅଗ୍ରୱଲାଙ୍କ ବ୍ୟତୀତ ତାଙ୍କର ପୁଅ କିମ୍ୱା ଆଶାୟୀମାନଙ୍କ ମଧ୍ୟରୁ ଯାହାକୁ ବି ଦଳୀ ଟିକଟ ଦିଆଯାଏ ତେବେ ୨୦୧୪ ନିର୍ବାଚନର ପୁନରାବୃତ୍ତି ହେବା ସମ୍ଭବପର ନୁହେଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।