କରୋନିଲ ବିକ୍ରି ଉପରେ ରୋକ୍ ଲଗାଇଲା ମହାରାଷ୍ଟ୍ର
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ରାଜସ୍ଥାନ ପରେ ମହାରାଷ୍ଟ୍ରରେ ବି ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନା ଔଷଧ କରୋନିଲ ବ୍ୟାନ ହୋଇଛି । ଆୟୁଷ ମନ୍ତ୍ରାଳୟ ମଧ୍ୟ ଏହି ଔଷଧ ଉପରେ ଆପତ୍ତି କରିସାରିଛି । ଏହି ଔଷଧ ଉପରେ କୌଣସି କ୍ଲିନିକାଲ ଟ୍ରାଏଲର ସୂଚନା ମିଳିପାରି ନଥିବାରୁ ମହାରାଷ୍ଟ୍ରରେ ଏହି ଔଷଧ ବ୍ୟାନ ହୋଇଛି ।
ପ୍ରଥମେ ରାଜସ୍ଥାନ ଏବଂ ଏବେ ମହାରାଷ୍ଟ୍ର ସରକାର ଏହାର ବିକ୍ରି ଉପରେ କଟକଣା ଲାଗୁ କରିଛନ୍ତି। ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନିଲର କ୍ଲିନିକାଲ ଟ୍ରାଏଲ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ନାହିଁ। ତେଣୁ ରାଜ୍ୟରେ ଏହାର ବିକ୍ରି ଉପରେ ପ୍ରତିବନ୍ଧକ ଲାଗୁ କରାଯାଉଛି।
ଗୃହମନ୍ତ୍ରୀ କହିଛନ୍ତି, କରୋନିଲର କ୍ଲିନିକାଲ ଟ୍ରାଏଲ କରାଯାଇଥିଲା କି ନାହିଁ ତାହା ଜୟପୁରସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ୍ ଯାଞ୍ଚ କରିବ। ଆମ ସରକାର ମହାରାଷ୍ଟ୍ରରେ ନକଲି ଔଷଧ ବିକ୍ରିକୁ ଅନୁମତି ଦେବ ନାହିଁ ବୋଲି ବାବା ରାମଦେବଙ୍କୁ ମୁଁ ଚେତାବନୀ ଦେଉଛି ବୋଲି ଗୃହମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଆୟୁଷ ମନ୍ତ୍ରଣାଳୟ କରୋନିଲକୁ ନେଇ ଆପତ୍ତି ଉଠାଇବା ପରେ ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ଏହାର ବିକ୍ରି ଉପରେ ରୋକ୍ ଲଗାଇଥିଲେ।