ଆଦର୍ଶ ଆଚରଣ ବିଧିର ଉଲଙ୍ଘନ: ମନ୍ଦିର କାନ୍ଥରେ ଦଳୀୟ ଚିହ୍ନ
ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ରସୁଲପୁର ବ୍ଲକରୁ ୯ଗୋଟି ପଞ୍ଚାୟତ ସାମିଲ ହୋଇଛି। ପଞ୍ଚାୟତ ଗୁଡିକ ମଧ୍ୟରୁ ନଠୁଆବର ପଞ୍ଚାୟତରେ ଆଦର୍ଶ ଆଚରଣବିଧି ଉଲଙ୍ଘନ ହୋଇଛି। ପଞ୍ଚାୟତ କୃଷ୍ଣପଡା ଗ୍ରାମର ଗ୍ରାମଦେବତୀ କୁଆଶୁଣୀ ମନ୍ଦିର ବିଜେଡି କବଜାରେ ରହିଛି। ମନ୍ଦିର ମୁଖଶାଳା ଗୃହ କାନ୍ଥରେ ବିଜେଡିର ନିର୍ବାଚନୀ ଚିହ୍ନ ଶଙ୍ଖ ଅଙ୍କାଯାଇଥିବା ଲକ୍ଷ୍ୟ କରାଯାଇଛି। ଏଥିସହ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାଏଙ୍କ ନାମ ମଧ୍ୟ କାନ୍ଥରେ ଅଙ୍କା ଯାଇଥିବା ଚିତ୍ରରେ ଉଲ୍ଲେଖ ରହିଛି। ଏ ଦିଗରେ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ପଡୁନାହ ବୋଲି ସାଧାରଣରେ ଅଭିଯୋଗ ହେଉଛି।
ବିଧି ମୁତାବକ ରାଜନୈତିକ ଦଳ ଗୁଡିକ ସେମାନଙ୍କ ବ୍ୟାନର, ପୋଷ୍ଟର, ୱାଲିଂ, ଦଳୀୟ ପତାକା ଆଦିସରକାରୀ ଜାଗାରେ ଲଗାଯାଇ ପାରିବନାହିଁ। ଏ ନେଇ ନିର୍ଦ୍ଦିଷ୍ଟ କେତେକ ସରକାରୀ ଜମିରେ ବ୍ୟାନର, ହୋଡିଂ ଆଦି ଲଗାଇବା ପାଇଁ ଅନୁମତି ପ୍ରଦାନ କରାଯିବ। ଏହାଛଡା ଏ ସବୁକୁ ଘରୋଇ ଜଗାରେ ଲଗାଇବାକୁ ହେଲେ ସେମାନଙ୍କ ନିକଟରୁ ଲିଖିତ ଅନୁମତି ଆଣିବାକୁ ପଡିବ। ଅନୁମତିପତ୍ର ଗୁଡିକୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ହେବ ବୋଲି ବିଧିରେ ଉଲ୍ଲେଖ ରହିଛି। ହେଲେ ଏହି ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଭାବରେ ଉଲଙ୍ଘନ କରାଯାଉଛି।
ଏଦିଗରେ ବ୍ୟାପକ ପ୍ରଚାର ପ୍ରସାର କରାଯିବା ସତ୍ତ୍ୱେ ବି ଦଳୀୟ ନେତା ଓ ତାଙ୍କ ସମର୍ଥକମାନେ ଆଚରଣ ବିଧିକୁ କଡ଼ାକଡ଼ି ଭାବରେ ପାଳନ କରିବାରେ ଖିଲାପ କରୁଛନ୍ତି। ନିର୍ବାଚନ ଅଧିକାରୀମାନଙ୍କ କୋହଳ ମନୋଭାବ ଯୋଗୁଁ ଏଭଳି କରାଯାଉଛି ବୋଲି ବିରୋଧୀ ରାଜନୈତିକ ଦଳ ପକ୍ଷରୁ ଅଭିଯୋଗ ହେଉଛି। ଏ ଦିଗରେ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କୁ ପଚାରିବାରୁ ଆଦର୍ଶ ଆଚରଣ ବିଧି ପାଳନ କରିବା ଦିଗରେ ଯତେଷ୍ଟ ଧ୍ୟାନ ଦିଆଯାଉଛି। ଯଦି ଗାଁ ଗହଳିରେ କେତେକ ସ୍ଥାନରେ ଏହାକୁ ଉଲଙ୍ଘନ କରାଯାଉଛି। ତେବେ ସେ ଦିଗରେ ଜନସାଧାରଣ ତାଙ୍କୁ ମୋବାଇଲରେ ଫଟୋ ଉଠାଇ ଜଣାଇପାରିବେ। ତଦ୍ ଅନୁଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିକ୍ରିୟାରେ ସେ ପ୍ରକାଶ କରିଛନ୍ତି।