ଏକକ ନିର୍ବାଚନ କରାଇବାର ୫ଟି ଫାଇଦା

ଦେଶରେ ଏକାସହିତ ଲୋକସଭା ଓ ବିଧାନସଭାର ନିର୍ବାଚନ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତାହାକୁ ଅନେକ ବିରୋଧୀ ଦଳ ବିରୋଧ କରିଛନ୍ତି। ଏପରିକି ମୁଖ୍ୟ ବିରୋଧୀ ଦଳ କୁହାଯାଉଥିବା କଂଗ୍ରେସ ସମେତ ବିଏସ‌୍‍ପି, ଏସ‌୍‍ପି, ଟିଏମ‌୍‍ସି, ଟିଡିପି, ଟିଆରଏସ‌୍‍ ଭଳି ଅନେକ ଦଳର ନେତାମାନେ ଏହି ବୈଠକରେ ଯୋଗଦେଇ ନାହାନ୍ତି।

ବିଗତ କିଛିବର୍ଷ ହେଲା ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏକକ ନିର୍ବାଚନ କରାଇବା ପାଇଁ ଦେଶରେ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। କେବଳ କେନ୍ଦ୍ର ସରକାର ନୁହନ୍ତି ଏକକ ନିର୍ବାଚନ ପାଇଁ ନିର୍ବାଚନ କମିଶନ ମଧ୍ୟ ମତ ଦେଇସାରିଛନ୍ତି।

ସ୍ୱାଧୀନତା ପରେ ମାତ୍ର କିଛିବର୍ଷ ପାଇଁ ଲୋକସଭା ସହିତ ବିଧାନସଭାର ନିର୍ବାଚନ ଏକାଠି ହେଉଥିଲା। ଏଥିପାଇଁ କୌଣସି ସାମ୍ୱିଧାନିକ ବାଧ୍ୟବାଧକତା ନଥିଲା। ଦେଶରେ ପ୍ରଥମ ନିର୍ବାଚନର ୧୫ବର୍ଷ ପରେ ୧୯୬୭ ବେଳକୁ ଏହି ଏକକ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟିହେଲା। କେତେକ ରାଜ୍ୟରେ ରାଜନୈତିକ ଅସ୍ଥିରତା ଯୋଗୁ କୌଣସି ଦଳକୁ ବହୁମତ ନମିଳିବାରୁ ଓ ଆଉ କେତେକ ସରକାର ଧାର୍ଯ୍ୟ ସମୟସୀମା ପୂର୍ବରୁ ଭାଙ୍ଗିଯିବାରୁ ସେସବୁ ରାଜ୍ୟରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ହୋଇପାରିନଥିଲା।

ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରାଗଲେ ଦେଶରେ ରାଜନୈତିକ ସ୍ଥିରତା ଆସିବ। କାରଣ ଯଦି କୌଣସି ରାଜ୍ୟରେ ଥିବା ସରକାର କାର୍ଯ୍ୟକାଳ ପୂର୍ବରୁ ଭାଙ୍ଗିଯାଏ, ନିର୍ବାଚନରେ ଯଦି କୌଣସି ଦଳକୁ ପୂର୍ଣ୍ଣ ବହୁମତ ନମିଳେ ତେବେ ଏ କ୍ଷେତ୍ରରେ ଆଗୁଆ ନିର୍ବାଚନ ନହୋଇ ଲୋକସଭା ସହିତ ନିର୍ବାଚନ ହେବ। ଏହା ହେଲେ ଦେଶରେ ରାଜନୈତିକ ସ୍ଥିରତା ଆସିବ।

୫ବର୍ଷ ପର୍ଯ୍ୟନ୍ତ କୌଣସି ରାଜ୍ୟକୁ ବିଧାନସଭା ଗଠନ କରିବା ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ। ଏଥିପାଇଁ ଅଢ଼େଇ ବର୍ଷ ମଧ୍ୟରେ ନିର୍ବାଚନ କରିବାକୁ କେତେକ ମତବ୍ୟକ୍ତ କରିଛନ୍ତି। ଦେଶର ଅଧାରାଜ୍ୟର ବିଧାନସଭା ନିର୍ବାଚନ ଲୋକସଭା ନିର୍ବାଚନ ସହିତ କରିବାକୁ ଓ ବାକି ରାଜ୍ୟଗୁଡିକର ଏହାର ଅଢ଼େଇ ବର୍ଷ ପରେ ନିର୍ବାଚନ କରିବାକୁ ମତ ଆସିଛି।

ଯଦି ସରକାର ଗଠନର କିଛିଦିନ ପରେ ରାଜନୈତିକ ସଂକଟ ଆସେ ତେବେ ସେ ସବୁ ରାଜ୍ୟରେ ଅଢ଼େଇ ବର୍ଷରେ ନିର୍ବାଚନ କରାଗଲେ ସାମ୍ୱିଧାନିକ ସଂକଟ ସୃଷ୍ଟିହେବ ନାହିଁ। ଆଇନ‌୍‍ କମିଶନ ୧୯୯୯ରେ ଦେଇଥିବା ୧୧୭ତମ ରିପୋର୍ଟରେ ରାଜନୈତିକ ସ୍ଥିରତାକୁ ଗୁରୁତ୍ୱ ଦେଇ ଏକକ ନିର୍ବାଚନ କରିବାକୁ ସୁପାରିଶ କରିଥିଲେ। ଏକକ ନିର୍ବାଚନ ହେଲେ ନିର୍ବାଚନ ଖର୍ଚ୍ଚ ବହୁ ପରିମାଣରେ ହ୍ରାସ ପାଇବ। ଏପରିକି ୪୫ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି।

ଏପରିକି ଏହି ଏକକ ନିବାଚନରେ ପ୍ରଶାସନିକ ସମସ୍ୟା ମଧ୍ୟ ହେବନାହିଁ। ଅଲଗା ଅଲଗା ନିର୍ବାଚନ ହେଉଥିବାରୁ ଦେଶର ବିକାଶ କାର୍ଯ୍ୟମଧ୍ୟ ଆଚରଣବିଧି ଆଳରେ ବାଧାପ୍ରାପ୍ତ ହେଉଛି। କେବଳ ବିକାଶ କାର୍ଯ୍ୟ ନୁହେଁ, ନିର୍ବାଚନ ଯୋଗୁ ଦେଶର ସାଧାରଣ ନାଗରିକ ମଧ୍ୟ ପ୍ରଭାବିତ ହେଉଛନ୍ତି। ଏକାସାଙ୍ଗରେ ନିର୍ବାଚନ ହେଲେ ଦେଶ ନିର୍ମାଣରେ ମତଦାତାମାନଙ୍କର ସହଯୋଗ ବୃଦ୍ଧି ପାଇବ।

Leave a Reply

Your email address will not be published.