ବାଜପେୟୀଙ୍କ ଭୂମିକାରେ ଗୁପ୍‌ଚୁପ୍‌ ବିକାଳୀ

ବଲିଉଡର ଆମୀ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’କୁ ନେଇ ସାମାଜିକ, ରାଜନୈତିକ ଓ ମନୋରଞ୍ଜନ ମାହୋଲ୍ ଏବେ ବେଶ୍ ସରଗରମ । ଏହି ଫିଲ୍ମ ମାଧ୍ୟମରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ୍ ସିଂଙ୍କ ବ୍ୟକ୍ତିଗତ ଓ ରାଜନୈତିକ ଜୀବନ ସଂଘର୍ଷର କାହାଣୀକୁ ପରଦା ଉପରକୁ ଆଣିବାର ପ୍ରଚେଷ୍ଟା କରାଯାଇଛି । ତେଣୁ ସ୍ୱାଭାବିକ ଯେ ଏହି ଫିଲ୍ମରେ ଅଧିକରୁ ଅଧିକ ରାଜନୈତିକ ଚରିତ୍ରମାନଙ୍କୁ ଦେଖିବାକୁ ମିଳିବ ।

ତେଣୁ ଫିଲ୍ମ ନିର୍ମାଣ ପାଇଁ ଅବିକଳ ତାଙ୍କଭଳି ଦେଖାଯାଉଥିବା କଳାକାରଙ୍କୁ ଚୟନ କରିବା ଥିଲା ସବୁଠାରୁ କଷ୍ଟ କାମ । ବିଜୟ ବୋହରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବାଜପେୟୀଙ୍କ ଭୂମିକା ପାଇଁ କଳାକାର ଖୋଜି ଫିଲ୍ମଟିମ୍ ନୟାନ୍ତ ହୋଇପଡ଼ିଥିଲେ । କିନ୍ତୁ ତାଙ୍କ ଖୋଜିବାର ପରିସମାପ୍ତି ଘଟିଥିଲା ଜଣେ ଗୁପ୍ଚୁପ୍ ବିକାଳୀଙ୍କ ପାଖରେ । ରାମ ଅବତାର ଭରଦ୍ୱାଜ୍ ନାମକ ଏହି ଗୁପ୍ଚୁପ୍ ବିକାଳୀଙ୍କ ହସ ଓ ଚେହେରା ଅବିକଳ ବାଜପେୟୀଙ୍କ ଭଳି । ବିହାରରେ ରହୁଥିବା ରାମ ଅବତାରଙ୍କୁ ସ୍ଥାନୀୟ ଲୋକେ ୩୦ ବର୍ଷ ହେଲା ବାଜପେୟୀ ବୋଲି ସମ୍ବୋଧନ କରି ଆସୁଛନ୍ତି ।

କିନ୍ତୁ ଅଭିନୟର ଅ ଅକ୍ଷର ଜାଣିନଥିବା ଜଣେ ସାଧାରଣ ବ୍ୟକ୍ତିଙ୍କୁ ଏଭଳି ଏକ ବଡ଼ ଫିଲ୍ମରେ ଅଭିନୟ କରିବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ିଥିଲା । କିନ୍ତୁ କିଛି ଦିନର ଅଭ୍ୟାସ ପରେ ସେ ସଂଳାପ କହିବା ଓ କ୍ୟାମେରାକୁ ସାମନା କରିବାର ସାହସ ଏକଜୁଟ୍ କରିପାରିଥିଲେ । ନିଜେ ବିଜୟ ବୋରା ଏହିସବୁ ଖବର ଗଣମାଧ୍ୟମକୁ ଦେଇଛନ୍ତି । ଏଭଳି ଏକ ଖବର ସୋସିଆଲ୍ ମିଡିଆରେ ସେୟାର୍ ହେବା ପରେ ସିନେପ୍ରେମୀମାନେ ମୁଖ୍ୟତଃ ବାଜପେୟୀ ଓରଫ୍ ରାମ ଅବତାରଙ୍କୁ ପରଦା ଉପରେ ଦେଖିବା ପାଇଁ ଖୁବ୍ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି । ସଞ୍ଜୟ ବେରୋଙ୍କ ଲିଖିତ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ ଆଧାରରେ ଏହାର ନାମକରଣ କରାଯାଇଛି ।

Leave a Reply

Your email address will not be published.