ପଞ୍ଚାୟତ ଇଣ୍ଟରନେଟ୍ ସଂଯୋଗ ଅଧାପନ୍ତରିଆ
ଭାରତ ନେଟ୍ଯୋଜନାରେ ଗ୍ରାମ ପଞ୍ଚାୟତକୁ ବେଗଗାମୀ ଇଣ୍ଟରନେଟ୍ ସେବା ଯୋଗାଣ ଠିକା ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ବର୍ତ୍ତମାନ ସୁଦ୍ଧା ଅତି ବେଶିରେ ୧୨୦ ଟି ପଞ୍ଚାୟତରେ ଠିକଣା ଭାବେ ଏହା କାର୍ଯ୍ୟ କରୁଛି । ଏଥିଯୋଗୁଁ ଡିବିଟି ଜରିଆରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସରକାରୀ ଅର୍ଥ ପଠାଇବା କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି ।
ମାତ୍ର ୧୨୦ଟି ପଞ୍ଚାୟତକୁ ନିୟମିତ ବ୍ରଡ୍ବ୍ୟାଣ୍ଡ ସେବା
ରାଜ୍ୟରେ ଏବେ ୬ହଜାରରୁ ଉର୍ଦ୍ଧ୍ୱ ଗ୍ରାମପଞ୍ଚାୟତ ଥିବାବେଳେ ଡିସେମ୍ବର ୩୧ ତାରିଖ ସୁଦ୍ଧା ଅନ୍ୟୁନ ୧୮ଟି ଜିଲ୍ଲାର ୧୮୧ ଟି ବ୍ଲକ ଅର୍ନ୍ତଗତ ୩୮୦୦ ପଞ୍ଚାୟତକୁ ଭାରତନେଟ୍ ମାଧ୍ୟମରେ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲେ । କିନ୍ତୁ ଏଯାବତ୍ ମାତ୍ର ୧୮୦୦ ପର୍ଯ୍ୟନ୍ତ ପଞ୍ଚାୟତକୁ ବ୍ରଡ୍ବ୍ୟାଣ୍ଡ୍ ସେବା ପହଞ୍ଚାଇବାରେ କର୍ତ୍ତୃପକ୍ଷ ସଫଳ ହୋଇଛନ୍ତି ବୋଲି ଦାବି କରୁଥିବାବେଳେ ଏଥିରୁ ମାତ୍ର ୧୨୦ଟି ପଞ୍ଚାୟତକୁ ନିୟମିତ ବ୍ରଡ୍ବ୍ୟାଣ୍ଡ ସେବା ମିଳୁଛି । ତେଣୁ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ହିତାଧିକାରୀମାନଙ୍କୁ ସରକାରୀ ସହାୟତା ଅର୍ଥ ବ୍ୟାଙ୍କ୍ଆକାଉଣ୍ଟକୁ ପଠାଇବା ସମ୍ଭବପର ହେଉନାହିଁ ।
କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ, ବୌଦ, ଢେଙ୍କାନାଳ, ପୁରୀ, କଟକ, କେନ୍ଦ୍ରାପଡା, ଜଗତ୍ସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର. ମୟୁରଭଞ୍ଜ, କେନ୍ଦୁଝର ଓ ଦେବଗଡ ଆଦି ଜିଲ୍ଲାରେ ଏବର୍ଷ ଶେଷସୁଦ୍ଧା ଭାରତ ନେଟ୍ ମାଧ୍ୟମରେ ବିଏସ୍ଏନ୍ଏଲ୍ ବ୍ରଡ୍ବ୍ୟାଣ୍ଡ୍ ସେବା ପ୍ରତି ପଞ୍ଚାୟତକୁ ଯୋଗାଇବା କଥା । କିନ୍ତୁ ଅଧାପନ୍ତରିଆ ଭାବେ ୩୮୨୦ଟିରୁ ୧୮୦୦ ପଞ୍ଚାୟତକୁ ଏହି ଜିଲ୍ଲାମାନଙ୍କରେ ବ୍ରଡ୍ବ୍ୟାଣ୍ଡ୍ ସେବା ଭାରତନେଟ୍ ମାଧ୍ୟମରେ ଯୋଗାଯାଇଛି ବୋଲି କୁହାଯାଉଥିବାବେଳେ ସରକାରୀ ଅଧିକାରୀମାନେ କହୁଛନ୍ତି ଯେ ଏଥିରୁ ଅତି ବେଶିରେ ୧୨୦ଟି ପଞ୍ଚାୟତରେ ଏହି ସେବା କଷ୍ଟେ ମଷ୍ଟେ କାମ କରୁଛି ।
ମନ୍ଥର ଗତିରେ ନେଟ୍

ପ୍ରତି ପଞ୍ଚାୟତ ମୁଖ୍ୟ ଦପ୍ତରକୁ ୧୦୦ ଏମ୍ବିପିଏସ୍ ବେଗ ଥିବା ଇଣ୍ଟରନେଟ୍ ସଂଯୋଗ ଦେବା ଲାଗି ଭାରତ ନେଟ୍ କାର୍ଯ୍ୟକ୍ରମରେ ମୂଳ ଯୋଜନା ଥିଲା । କିନ୍ତୁ ଯେଉଁ ଅଳ୍ପ କେତୋଟି ପଞ୍ଚାୟତକୁ ଏହି କାର୍ଯ୍ୟକ୍ରମରେ ଇଣ୍ଟରନେଟ୍ ଯୋଗାଣ କରାଯାଇଛି ସେଠାରେ ଅତି ଧିର ମନ୍ଥର ଗତିରେ ନେଟ୍ ଚାଲୁଥିବା ଏବଂ ବହୁ ସମୟରେ ଯୋଗାଯୋଗ ରହୁନଥିବାରୁ ନେଟ୍ଥାଇ ବି ନଥିବାଭଳି ।
ଭାରତ ସରକାରଙ୍କ ପିଜିସିଆଇଏଲ୍ ଅପ୍ଟିକାଲ ଫାଇବର କେବୁଲ୍ ମାଧ୍ୟମରେ ଯୋଗାଯାଉଥିବା ଏହି ଇଣ୍ଟରନେଟ୍ ସେବାର ରକ୍ଷଣା ବେକ୍ଷଣ କରିବାକଥା । କିନ୍ତୁ ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ଯେତେସବୁ ପଞ୍ଚାୟତକୁ ଇଣ୍ଟରନେଟ୍ ସଂଯୋଗ ଦିଆଯାଉଛି ସେଥିରୁ ଅନେକ ଅଚଳ ହୋଇ ରହୁଛି । ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର କେନ୍ଦ୍ର ଯୋଗାଯୋଗ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରାଯାଇଛି ।
ଭାରତ ନେଟରେ ୱାଇଫାଇ ବ୍ୟବସ୍ଥା ନାହିଁ

ଗ୍ରାମାଞ୍ଚଳରେ ୱାଇଫାଇ ମାଧ୍ୟମରେ ଇଣ୍ଟରନେଟ୍ ସେବା ଭଲ ଚାଲୁଥିବାବେଳେ ଭାରତ ନେଟରେ କିନ୍ତୁ ୱାଇଫାଇ ବ୍ୟବସ୍ଥା ନାହିଁ । ଏ ପରିପ୍ରେକ୍ଷୀରେ ଗ୍ରାମପଞ୍ଚାୟତ ଗୁଡିକୁ ଭାରତ ବ୍ରଡ୍ବ୍ୟାଣ୍ଡ୍ ନିଗମ ଲିମିଟେଡ (ବିବିଏନ୍ଏଲ୍) ଉଚ୍ଚମାନର ଇଣ୍ଟରନେଟ୍ ସେବା ପ୍ରଦାନ ଲାଗି ୱାଇଫାଇ ବ୍ୟବସ୍ଥା ଯୋଗାଇବାକୁ ରାଜ୍ୟ ସରକାର କହି ଆସୁଛନ୍ତି ।
ଭାରତ ନେଟରେ ପ୍ରଥମ ପର୍ଯ୍ୟାୟରେ ୩୮୨୦ଟି ପଞ୍ଚାୟତ ପାଇଁ ହେବାକୁ ଥିବା ଇଣ୍ଟରନେଟ୍ ସଂଯୋଗ ଏଭଳି ଅଧାପନ୍ତରିଆ ଅବସ୍ଥାରେ ପଡିଥିବାବେଳେ ଅବଶିଷ୍ଟ ପଞ୍ଚାୟତକୁ ଦ୍ୱିତୀୟ ପର୍ଯ୍ୟାୟରେ ଓକାକ୍ ମାଧ୍ୟମରେ ନେଟ୍ସଂଯୋଗର ବ୍ୟବସ୍ଥା ହେଉଛି ଏବଂ ଓପିଟିସିଏଲ୍ଏ କ୍ଷେତ୍ରରେ ସହଯୋଗ କରୁଥିବା ପ୍ରକାଶ ।