ପ୍ରବାସୀ ଓଡ଼ିଆଙ୍କୁ ସୁରକ୍ଷା ପ୍ରଦାନ ସରକାରଙ୍କ ସାମ୍ବିଧାନିକ କର୍ତ୍ତବ୍ୟ: ପଞ୍ଚାନନ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‍): ପ୍ରବାସୀ ଶ୍ରମିକ ରହିଥିବା ସ୍ଥାନରେ ସେମାନଙ୍କ ଜରୁରୀ ଆବଶ୍ୟକତାକୁ ପୂରଣ କରିବା ଲାଗି ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ମୁଖପାତ୍ର ପଞ୍ଚାନନ କାନୁନ୍‍ଗୋ । ଯିଏ ଯେଉଁଠି ଅଛି ସେଠାରେ ତାଙ୍କ ଲାଗି ଖାଦ୍ୟ, ବାସ୍ଥଳୀ ଆୟୋଜନ କରିବା ଲାଗି ପଦକ୍ଷେପ ରାଜ୍ୟ ସରକାର ବହନ କରନ୍ତୁ ବୋଲି ସେ କହିଛନ୍ତି । ଏହି ପରିସ୍ଥିତିର ସୁପରିଚାଳନା ଲାଗି ଜଣେ କମିଶନର ପାହ୍ୟାର ଅଧିକାରୀଙ୍କୁ ସମ୍ପୃକ୍ତ ସ୍ଥାନକୁ ପଠାଇବାକୁ ରାଜ୍ୟ ସରକାରଙ୍କୁ ଶ୍ରୀ କାନୁନଗୋ ଅନୁରୋଧ କରିଛନ୍ତି ।

ଏକ ପ୍ରେସ୍‍ ବିବୃତିରେ ସେ କହିଛନ୍ତି,  ପ୍ରବାସରେ ଥିବା ଓଡ଼ିଆମାନେ ନିଜ ରାଜ୍ୟକୁ ଫେରିବା ହୁଏତ ବର୍ତମାନ ସହଜ ଓ ସମ୍ଭବ ନୁହେଁ। ନିଜ ନିଜ କର୍ମକ୍ଷେତ୍ରରେ ରହିବା ବ୍ୟତିତ ତାଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ । ତେବେ ସେମାନଙ୍କର ଯେଉଁ ତିନୋଟି ସମସ୍ୟା ରହିଛି ତାହା ଦିନକୁ ଦିନ ଉତ୍କଟ ହେବ । ରହିବା ଘରର ଭଡ଼ା ଦେଇ ନପାରିବାରୁ ତା’ର ମାଲିକ ତଡ଼ି ଦେଉଛନ୍ତି ବୋଲି ଅଭିଯୋଗ ହେଉଛି । ଲକ୍‌ଡାଉନ୍ ହେତୁ ସେମାନେ ରୋଜଗାର ହରାଇଛନ୍ତି । ଅଧିକନ୍ତୁ ଅସୁସ୍ଥ ହେବାର ଆଶଙ୍କା ରହିଛି । ତା ହୁଏତ କରୋନା ଭୁତାଣୁ ଜନିତ ହେଉ ଅବା ଅନ୍ୟ କୌଣସି କାରଣରୁ ହେଉ । ଏପରି ସମସ୍ୟା ଘେରରେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଛଟପଟ ହେଉଛନ୍ତି ।

ପରିସ୍ଥିତିକୁ ସମ୍ଭାଳିବାର ଉତ୍ତର ଦାୟିତ୍ୱ ସମ୍ବିଧାନ ଅନୁସାରେ ରାଷ୍ଟ୍ର ତଥା ରାଜ୍ୟ ଉପରେ ନ୍ୟସ୍ତ । ଏଣୁ ପ୍ରତ୍ୟେକ ପ୍ରବାସ ସ୍ଥଳୀ ବା ରାଜ୍ୟରେ ଜଣେ ନୋଡ଼ାଲ ଅଫିସର ଅବସ୍ଥାପିତ କରାଯାଇ ସେହି ରାଜ୍ୟ ସହିତ ସଂପର୍କ ରଖିବା ଓ ସମସ୍ତ ସହାୟତାର ବନ୍ଦୋବସ୍ତ କରିବା ଦରକାର । ଏହି ନୋଡାଲ ଅଫିସର ରାଜ୍ୟର କମିଶନ ର‌୍ୟାଙ୍କ ବା ପ୍ରିନସିପାଲ ସେକ୍ରେଟାରୀ ର‌୍ୟାଙ୍କର ହୋଇଥିବା ଦରକାର ଓ ସେ ଭୁବନେଶ୍ୱରରେ ନ ରହି ପ୍ରବାସୀ ରହୁଥିବା ସଂପୃକ୍ତ ରାଜ୍ୟର କୌଣସି ଏକ ମୁଖ୍ୟ ସ୍ଥାନରେ ରହିବା ଦରକାର । ଏବେ ସମ୍ବାଦପତ୍ରମାନଙ୍କରେ ଦେଖିବାକୁ ମିଳିଲାଣି ଯେ ଏପରି ଅସୁବିଧାରେ ଥିବା ପ୍ରବାସୀ ଶ୍ରମିକ ଆତ୍ମହତ୍ୟା କରୁଛନ୍ତି । ଯେକୌଣସି କାରଣରୁ ହେଉ ବା କାହିଁକି ପ୍ରବାସରେ ଥିବା ଜଣେ କେହି ଓଡ଼ିଆ ବା ସେଠି ରହୁଥିବା ତା’ର ପରିବାର କେହି ଯଦି ଅନାହାର ଜନିତ ବା ରାସ୍ତାରେ ପଡ଼ି ମୃତ୍ୟୁବରଣ କରେ ତେବେ ରାଜ୍ୟ ସରକାର ଦାୟୀ ରହିବ ବୋଲି କଂଗ୍ରେସ ତରଫରୁ ପୂର୍ବତନ ମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‌ଗୋ କହିଛନ୍ତି ଓ ସମ୍ବିଧାନର ଧାରା ୨୧ ଅନୁସାରେ ଏହା ଏକ ସାଂଘାତିକ ବିଚ୍ୟୁତି ଓ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିବ ବୋଲି ଶ୍ରୀ କାନୁନଗୋ କହିଛନ୍ତି ।

Leave a Reply

Your email address will not be published.