ପାକିସ୍ତାନ ଏବେ ଆତଙ୍କୀସ୍ତାନ

ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ପରେ ପାକିସ୍ତାନରେ ଥିବା ଆତଙ୍କୀ କ୍ୟାମ୍ପ ବିରୋଧରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ଉପରେ ଚାପ ବୃଦ୍ଧି ପାଇବାରେ ଲାଗିଛି। ଏହି ଆକ୍ରମଣରେ ୪୪ଜଣ ଯବାନଙ୍କ ପ୍ରାଣବଳୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ଏହି ମାମଲାରେ ପଡ଼ୋଶୀ ରାଷ୍ଟ୍ରକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ମୋଦି କହିଛନ୍ତି, ଆମେ ସୁରକ୍ଷା ବଳଙ୍କୁ ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ କ୍ଷମତା ଦେଇଛୁ। ଏହି ଆକ୍ରମଣ ବିରୋଧରେ ଦେଶବାସୀ ଏକ ହୋଇ ମୁକାବିଲା କରୁଛନ୍ତି।

ଏହା ପୂର୍ବରୁ ୨୦୧୭ ନଭେମ୍ୱର ୩ତାରିଖରେ ଭାରତ ଓ ଆଫଗାନୀସ୍ତାନରେ ସକ୍ରିୟ ଥାଇ ପାକିସ୍ତାନରେଷଡ଼ଯନ୍ତ୍ର କରୁଥିିବା ଲସ୍କର-ଇ-ତୋଏବା, ଜୈସ-ଏ-ମୁହମ୍ମଦ, ହରକତ-ଉଲ-ମୁଜାହିଦିନ ଭଳି ୨୦ଟି ଆତଙ୍କୀ ସଂଗଠନର ତାଲିକା ପାକିସ୍ତାନକୁ ଦେଇଥିଲା। ଏହି ତାଲିକାରେ ୩ ପ୍ରକାରର ଆତଙ୍କୀ ସଂଗଠନ ରହିଛି। ଏଥିରେ ଥିବା ଅନେକ ସଂଗଠନ କାଶ୍ମୀର ଉପରେ ଆକ୍ରମଣ କରୁଛନ୍ତି। ଆଉ କେତେକ ଆଫଗାନୀସ୍ତାନକୁ ଆକ୍ରମଣ କରୁଥିବାବେଳେ ବାକି ସଂଗଠନଗୁଡ଼ିକ ପାକିସ୍ତାନ ଭିତରେ ଆକ୍ରମଣ କରୁଛନ୍ତି।

ଆମେରିକା କହିବା ଅନୁସାରେ ଏହିସବୁ ଆତଙ୍କୀ ସଂଗଠନ ପାକିସ୍ତାନରେ ରହି ଭାରତ ଓ ଆଡ଼ଗାନୀସ୍ତାନ ଉପରେ ଆକ୍ରମଣ କରୁଛନ୍ତି। ସବୁଠାରୁ ବଡ଼ ତଥା ବିପଦପୂର୍ଣ୍ଣ ଆତଙ୍କବାନି ସଂଗଠନ ହକନାନୀ ସଂଗଠନକୁ ଆଗରେ ରଖିଛି। ଏହି ଆତଙ୍କୀ ସଂଗଠନ ପଶ୍ଚିମ ପାକିସ୍ତାନର କବାଇଲ ଅଞ୍ଚଳରେ ସକ୍ରିୟ ରହି ଆଫଗାନୀସ୍ତାନ ଉପରେ ଆକ୍ରମଣ କରୁଛି। କୂଟନୈତିକ ସୂତ୍ର ଅନୁସାରେ ଆତଙ୍କୀ ସଂଗଠନ ହରକତ-ଉଲ-ମୁଜାହିଦିନ, ଜୈସ-ଏ-ମୁହମ୍ମଦ, ଲସ୍କର-ଇ-ତୋଇବା ଭଳି ସଂଗଠନ ଭାରତ ଉପରେ ଆକ୍ରମଣ କରୁଛନ୍ତି। ସେମାନେ ମୁଖ୍ୟତଃ କାଶ୍ମୀରକୁ ଦୃଷ୍ଟିରେ ରଖି ଏପରି ଆକ୍ରମଣ କରୁଛନ୍ତି।

ଆମେରିକା ସୂଚନା ଅନୁସାରେ ଏହି ଆତଙ୍କୀ ସଂଗଠନ ଓସମା ବିନ ଲାଡେ଼ନ ଓ ଅଲକାଏଦା ସହିତ ସମ୍ପର୍କ ରଖିଛନ୍ତି। ଜୈସ-ଇ-ମୁହମ୍ମଦ ଭାରତର କାଶ୍ମୀରକୁ ଦୃଷ୍ଟିରେ ରଖି ତାର ଆତଙ୍କୀ କାର୍ଯ୍ୟକଳାପ ଜାରୀ ରଖିଛି। ପାକିସ୍ତାନରେ ଏହି ସବୁ ଆତଙ୍କୀ ସଂଗଠନ ଲସ୍କର-ଇ-ତୋଇବା, ଜୈସ-ଏ-ମୁହମ୍ମଦ, ହରକତ ଉଲ-ମୁଜାହିଦିନ, ତେହରିକ-ଏ-ତାଲିବାନ ପାକିସ୍ତାନ ଓ ହକନାନୀ ନେଟୱାର୍କ ପ୍ରମୁଖ ଏଭଳି ଆତ୍ମଘାତୀ କାର୍ଯ୍ୟକଳାପ କରୁଛନ୍ତି। ପାକିସ୍ତାନରେ ଥିବା ଆତଙ୍କୀ ସଂଗଠନ ଗୁଡ଼ିକ ହେଲା….

ଜୈସ-ଏ-ମୁହମ୍ମଦ ଓ ମସୁଦ ଅଜହର

ଆତଙ୍କବାଦୀ ମୌଲାନା ମସୁଦ ଅଜହର ୩୧ ଜାନୁଆରୀ ୨୦୦୦ରେ ଜୈସ-ଏ-ମୁହମ୍ମଦ ଗଠନ କରିଛି। ଏହାର ମୁଖ୍ୟାଳୟ ପାକିସ୍ତାନର ବହାବଳପୁରରେ ରହିଛି। କାଶ୍ମୀରକୁ ଭାରତରୁ ଅଲଗା କରି ପାକିସ୍ତାନରେ କରିବା ହେଉଛି ଜୈସ-ଏ-ମୁହମ୍ମଦର ଉଦ୍ଦେଶ୍ୟ। ୧୯୯୯ରେ ଭାରତୀୟ ବିମାନକୁ ଅପହରଣ, ୨୦୦୧ରେ ଭାରତୀୟ ସଂସଦ ଉପରେ ଆକ୍ରମଣ, ୨୦୧୬ରେ ପଠନକୋଟ ଆର୍ମି କ୍ୟାମ୍ପ ଉପରେ ହୋଇଥିବା ଆକ୍ରମଣ ପଛରେ ମସୁଦ ହିଁ ମାଷ୍ଟର ମାଇଣ୍ଡ।୨୦୧୬ ଓ ଚଳିତ ବର୍ଷ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଦ୍ୱାରା ଅଜହର ମସୁଦକୁ ଆତଙ୍କୀ ଘୋଷଣା କରିବାରେ ଚୀନ ବିରୋଧ କରିଛି।

ଲସ୍କର-ଇ-ତୋଇବା ଓ ହାଫିଜ୍‌ ସଇଦ

୧୯୯୦ରେ ଆତଙ୍କୀ ହାଫିଜ୍‌ ସଇଦ ନେତୃତ୍ୱରେ ଲସ୍କର-ଇ-ତୋଇବା ଗଠନ ହୋଇଛି। କାଶ୍ମୀରକୁ ପାକିସ୍ତାନରେ ମିଶାଇବା ହେଉଛି ଲସ୍କର-ଇ-ତୋଇବାର ଏକମାତ୍ର ଉଦ୍ଦେଶ୍ୟ। ପାକିସ୍ତାନର ମୁଦ୍ରିକ ସହରରେ ଏହାର ମୁଖ୍ୟାଳୟ ରହିଛି। ହାଫିଜ୍‌ ସଇଦ ପାକିସ୍ତାନରେ ରହି ଆତଙ୍କୀ କ୍ୟାମ୍ପ ଚଳାଉଛି। ୨୦୦୧ରେ ଭାରତୀୟ ସଂସଦ ଉପରେ ଆକ୍ରମଣ, ୨୦୦୬ ଓ ୨୦୦୮ରେ ମୁମ୍ୱାଇ ବୋମା ବିସ‍୍‌ଫୋରଣର ଉତ୍ତର ଦାୟିତ୍ୱ ହାଫିଜ୍‌ ସଇଦଙ୍କ ସଂଗଠନ ଲସ୍କର-ଇ-ତୋଇବା ନିଜ ଉପରକୁ ନେଇଛି। ଭାରତ ଓ ଆମେରିକା ଚାପ ପରେ ହାଫିଜ୍‌ ସଇଦ ଏବେ ନଜର ବନ୍ଦୀ ହୋଇ ରହିଛି। ହାଫିଜ୍‌ ସଇଦର ଅନ୍ୟ ଏକ ସଂଗଠନ ଜମାତ୍-ଉଦ‍୍‌-ଦାବା ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ହୋଇଛି। ହାଫିଜ୍‌ ସଇଦ ଉପରେ ଆମେରିକା ପକ୍ଷରୁ ଏକ କୋଟି ଡ଼ଲାର ପୁରସ୍କାର ରଖାଯାଇଛି।

ତାଲିବାନ

୧୯୯୪ରେ ତାଲିବାନ ସଂଗଠନ ଆରମ୍ଭ କରାଯାଇଛି। ଏଥିରେ ୬୦ ହଜାର ଆତଙ୍କୀ ସଦସ୍ୟ ଅଛନ୍ତି। ଏମାନଙ୍କୁ ଆମେରିକା ନିଜ ସୈନ୍ୟ ମାଧ୍ୟମରେ ଆଫଗାନୀସ୍ତାନରୁ ବିଦା କରିବା ପରେ ଏମାନେ ଏବେ ପାକିସ୍ତାନରେ ଶରଣାର୍ଥୀ ଭାବେ ରହିଛନ୍ତି। ଆଫଗାନୀସ୍ତାନର କାନ୍ଧାହାର ଓ ପାକିସ୍ତାନର କ୍ୱେଟା ଓ ପେଶାୱାରରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି। ପାକିସ୍ତାନରେ ଏହାର ଆତଙ୍କୀମାନେ ପ୍ରଶିକ୍ଷଣ ନେଇ ପ୍ରସ୍ତୁତ ହୋଇଥାନ୍ତି। ହିବତୁଲ୍ଲା ଅଂଖୁଦଜଦା ଏହାର ମୁଖିଆ।

ଅଲକାଏଦା ଓ ଜବାହିରୀ

୧୯୮୮ରେ ଆତଙ୍କୀ ଓସମା ବିନ ଲାଡେ଼ନର ପୃଷ୍ଠପୋଷକରେ ଏହି ସଂଗଠନ ସକ୍ରିୟ ହୋଇଥିଲା। ପାକିସ୍ତାନରେ ଏହାର ଟ୍ରେନିଂ କ୍ୟାମ୍ପ ରହିଛି। ୯୨ ହଜାରରୁ ଅଧିକ ଆତଙ୍କୀ ଏହାର ସଦସ୍ୟ ଅଛନ୍ତି। ୨୦୦୧ରେ ଆମେରିକାରେ ଆକ୍ରମଣ କରିଥିବା ଆତଙ୍କବାଦୀ ଓସମାକୁ ୨୦୧୧ରେ ଆକ୍ରମଣ କରି ହତ୍ୟା କରିଛି। ବର୍ତ୍ତମାନ ଏହାର ମୁଖିଆ ଭାବେ ଅୟମାନ ଅଲ ଜବାହିରୀ କାମ କରୁଛନ୍ତି।

ତେହରିକ-ଏ-ତାଲିବାନ

୨୦୦୭ରେ ପାକିସ୍ତାନରେ ଆତଙ୍କୀ ବୈତୁଲ୍ଲାହ ମହସୁଦଙ୍କ ନେତୃତ୍ୱରେ ତେହରିକ-ଏ-ତାଲିବାନ ସ୍ଥାପନ ହୋଇଛି। ଏଥିରେ ୧୩ଟି ଆତଙ୍କୀ ସଂଗଠନ ସାମିଲ ହୋଇଛି। ଏହାର ୨୫ ହଜାର ଆତଙ୍କୀ ସଦସ୍ୟ ଅଛନ୍ତି। ଏହାର କାର୍ଯ୍ୟକ୍ଷେତ୍ର ପାକିସ୍ତାନ ଓ ଆଫଗାନୀସ୍ଥାନ ସୀମାବର୍ତ୍ତୀ ଅଞ୍ଚଳରେ ରହିଛି। ଏହାକୁ ପାକିସ୍ତାନୀ ତାଲିବାନୀ ମଧ୍ୟ କୁହାଯାଏ। ମୌଲାନା ଫ୍ଭେଜୁଲଳଲ୍ଲାହ ଏହାର ମୁଖିଆ।

ହକକାନୀ ନେଟୱାର୍କ

୧୯୮୦ରେ ପାକିସ୍ତାନ ଓ ଆଫଗାନୀସ୍ଥାନରେ ହକକାନୀ ନେଟୱାର୍କ ସକ୍ରିୟ ଥିଲା। ଏହାର ୧୫ ହଜାର ଆତଙ୍କୀ ସଦସ୍ୟ ଅଛନ୍ତି। ଅଲ କାଏଦାକୁ ଶକ୍ତିଶାଳୀ କରିବାରେ ଏହାର ପ୍ରମୁଖ ଭୂମିକ ଥିଲା। ପାକିସ୍ତାନୀ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସଆଇ ହକନାନୀ ନେଟୱାର୍କକୁ ସହାୟତା କରୁଥିିିବା ଅଭିଯୋଗ ରହିଛି। ଜଲାଲୁଦ୍ଦିନ‍୍‌ ହକକାନୀ ଓ ସିରାଜୁଦ୍ଦିନ‍୍‌ ହକକାନୀ ଏହାର ମୁଖିଆ।

ହରକତ-ଉଲ-ମୁଜାହିଦିନ

୧୯୮୫ରେ ହରକତ-ଉଲ-ମୁଜାହିଦିନର ଗଠନ ହୋଇଥିଲା। ୧୯୮୯ ପରଠାରୁ ଏହି ଆତଙ୍କୀ ସଂଗଠନ କାଶ୍ମୀରରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି। ୧୯୯୩ରେ ହରକତ-ଉଲ-ଜିହାଦ ଅଲ-ଇସଲାମୀ ସହିତ ମିଳିତ ହୋଇ ହରକତ-ଉଲ ଅଂସାର ଆତଙ୍କୀ ସଂଗଠନ ତିଆରି କରିଥିଲେ। ଆତଙ୍କୀ ଫଜଲୁର ରହମାନ ଖଲିଲ ଏହାର ମୁଖିଆ। ସଂଯୁକ୍ତରାଷ୍ଟ୍ର, ଆମେରିକା ଓ ବ୍ରିଟେନ ଏହାକୁ ଆତଙ୍କୀ ସଂଗଠନ ଭାବେ ଘୋଷଣା କରିଛନ୍ତି।

ଜୁନ୍ଦଲାହ

୧୯୯୬ରୁ ଜୁନ୍ଦଲାହ ଆତଙ୍କୀ କାର୍ଯ୍ୟକଳାପରେ ସକ୍ରିୟ ରହିଛି। ତେହରିକ-ଏ-ତାଲିବାନ ସହିତ ଏହାର ସମ୍ପର୍କ ରହିଛି। ଏଥିରେ ପ୍ରାୟ ୧୦୦୦ ଆତଙ୍କୀ ସଦସ୍ୟ ଅଛନ୍ତି। ଅହମଦ ମରବାତ ଏହାର ମୁଖ୍ୟ ପ୍ରବକ୍ତା।

ଲସ୍କର-ଏ-ଝାଙ୍ଗବୀ

୧୯୯୬ରେ ଲସ୍କର-ଏ-ଝାଙ୍ଗବୀର ସ୍ଥାପନା ହୋଇଥିଲା। ଅକରମ ଲାହୋରୀ, ଗୁଲାମ ରସୁଲ ଶାହ, ଆସିଫ ଛୋଟୁ ଏହାର ମୁଖିଆ ଅଛନ୍ତି। ବସରା, ମଲିକ, ଶାହାଙ୍କୁ ହତ୍ୟା କରାଯାଇସାରଲାଣି। ଇଶାକ ଗିରପ ହୋଇଛନ୍ତି। ୨୦୦୯ରେ ଶ୍ରୀଲଙ୍କା କ୍ରିକେଟ ଟିମ ଉପରେ ଆତଙ୍କୀ ଆକ୍ରମଣ ସହିତ ଅନେକ ବଡ଼ ବଡ଼ ଆକ୍ରମଣ ଏହି ସଂଗଠନ କରିସାରିଛି।

Leave a Reply

Your email address will not be published.