ପାକିସ୍ତାନ ହାତରେ ଆଫଗାନିସ୍ତାନର ଗୁଇନ୍ଦା ତଥ୍ୟ : କାବୁଲରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଧରି ବାହାରିଲା ୩ ବିମାନ
କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନରେ ତାଲିବାନର ରାଜୁତି ଆରମ୍ଭ ହୋଇଛି । ଏହାମଧ୍ୟରେ ଏକ ଚକିତ କଲା ଭଳି ଖବର ଆସିଛି । ଯାହା ଅନ୍ୟ ଦେଶ ପ୍ରତି ବିପଦ ସୃଷ୍ଟି କରୁଥିବା ଆଶଙ୍କା କରାଯାଉଛି । ଆଫଗାନ ସରକାରର ଅନେକ ଗୋପନୀୟ କାଗଜପତ୍ର ପାକିସ୍ତାନ ହାତରେ ଲାଗି ଯାଇଛି । ଏହି ଦସ୍ତାବିଜରେ ସୁରକ୍ଷା ବାବଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି ।
ଗୁରୁବାର ପାକିସ୍ତାନ ଆଫଗାନିସ୍ତାନର ଅର୍ଥ୍ୟବ୍ୟବସ୍ଥାକୁ ନିୟନ୍ତ୍ରଣକୁ ନେବାକୁ ଅନେକ ଯୋଜନା ଘୋଷଣା କରିଥିଲା । ସୂତ୍ରାନୁସାରେ, କାବୁଲରେ ନାଗରିକଙ୍କ ସୁରକ୍ଷା ପାଇଁ ପହଁଚିଥିବା ସି-୧୭୦ ବିମାନ ଅନେକ କାଗଜପତ୍ର ଧରି ଉଡାଣ ଭରିଛି । ଏହା ସେତେବେଳେ ହୋଇଛି ଯେତେବେଳେ ତାଲିବାନ ତା ସରକାରର ଶପଥ ଗ୍ରହଣ ଉତ୍ସବକୁ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦେଇଛି ।
ଜଣେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା କହିଛନ୍ତି ଯେ, ଆଫଗାନିସ୍ତାନର ଅନେକ ଗୋପନୀୟ ଦସ୍ତାବିଜ ପାକିସ୍ତାନର ଗୁଇନ୍ଦା ସଂସ୍ଥାକୁ ପ୍ରଦାନ କରାଯାଇଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଫାଇଲ, ପେନ୍ ଡ୍ରାଇଭ, ହାର୍ଡ ଡିସ୍କ ଓ ଅନ୍ୟ ଡିଜିଟାଲ ସୂଚନା ରହିଛି । ଆଇଏସଆଇ ଏହାକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିବ । ଯାହା ତାଲିବାନ ସରକାରକୁ ପାକିସ୍ତାନ ଉପରେ ନିର୍ଭର କରିବାକୁ ବାଧ୍ୟ କରିବ । ଯେଉଁ ସବୁ ତଥ୍ୟ ଥିଲା ତାହା ଅତି ସମ୍ବେଦନଶୀଳ ଥିଲା । ତେବେ ଆଫଗାନିସ୍ତାନ ସରକାର କେବେ ବି ତାଲିବାନର କବଜା ବାବଦରେ ଚିନ୍ତା କରିନଥିଲେ । ଆଫଗାନିସ୍ତାନର ଅବସ୍ଥାପିତ ପାକ୍ ରାଷ୍ଟ୍ରଦୂତଙ୍କ ଜରିଆରେ ଏହି ଦସ୍ତାବିଜ ଲିକ୍ କରାଯାଇଛି ।