ମୋଦୀଙ୍କ ପ୍ରସ୍ତାବକୁ ପାକ୍ର ସ୍ଵୀକୃତି
ନୂଆଦିଲ୍ଲୀ (ଓଟି): ବିଶ୍ଵ ମହାମାରୀ କୋବିଡ୍-୧୯ ତଥା କରୋନା ଭାଇରସ୍ ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ ଦେଶୀୟ ସାର୍କ ଭିଡିଓ କନଫେରନ୍ସିଂ ପାଇଁ ଆହ୍ୱାନ ଦେଇଥିବାବେଳେ ପାକିସ୍ତାନ ଏହାକୁ ସ୍ଵୀକାର କରିଛି। ଅର୍ଥାତ୍ ମୋଦୀଙ୍କ ଏହି କାର୍ଯ୍ୟକ୍ରମରେ ପାକ୍ ଯୋଗଦେବ ବୋଲି ସଂକେତ ଦେଇଛି।
ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସହାୟକ ଜାଫର ମିର୍ଜ୍ଜା ଏହି ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଇସ୍ଲାମବାଦରୁ ପାକ୍ ସୂଚନା ଦେଇଛି। କରୋନା ମୁକାବିଲା ଲାଗି ବୈଶ୍ୱିକ ସ୍ତରରେ ସମନ୍ୱିତ ପ୍ରୟାସର ଆବଶ୍ୟକ ଥିବାରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ଙ୍କ ସ୍ୱାସ୍ଥ୍ୟ ସହାୟକ ମୋଦୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ପାକ୍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଆଇସା ଫାରୁକୀ ଟ୍ୱିଟ୍ କରିଛନ୍ତି। ସୂଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ତାଙ୍କ ଟ୍ୱିଟ୍ ହ୍ୟାଣ୍ଡେଲରେ ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗୀ ରାଷ୍ଟ୍ର ସମୂହ (ସାର୍କ) ନେତୃତ୍ୱଙ୍କୁ କରୋନା ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତି ଲାଗି ଆହ୍ୱାନ ଦେଇଥିଲେ। ଭିଡିଓ କନଫରେନସିଂରେ ଏ ନେଇ ଆମେ ଆଲୋଚନା କରି ରଣନୀତି ପ୍ରସ୍ତୁତ କରିପାରିବା ବୋଲି ମୋଦୀ ଜଣାଇଥିଲେ। ଏହାକୁ ସମସ୍ତ ସାର୍କ ରାଷ୍ଟ୍ର ସ୍ଵାଗତ କରିଥିବା ଜଣାପଡ଼ିଛି।