ମୋଷ୍ଟ ଫେଭର୍ଡ ନେସନ୍ ମାନ୍ୟତାରୁ ପାକିସ୍ତାନକୁୁ ବାଦ୍ ଦେଲା ଭାରତ
ସିଆରପିଏଫ୍ ଯବାନଙ୍କ ଉପରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପୂରା ଦେଶକୁ ସ୍ତବ୍ଧ କରିଦେଇଛି । ଆଉ ପୁଣି ଥରେ ଆତଙ୍କବାଦୀଙ୍କୁ ପଡୋଶୀ ପାକିସ୍ତାନର ସହଯୋଗ ନେଇ ପ୍ରଶ୍ନ ଉଠିଛି । ଏହିଦୃଷ୍ଟିରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସୁରକ୍ଷା ମାମଲାରେ ନିଆଯାଇଥିବା କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ପାକିସ୍ତାନରୁ ମୋଷ୍ଟ ଫେବର୍ଡ ନ୍ୟାସନର ସମ୍ନାନ ପୁନଶ୍ଚ ଫେରାଇ ନିଆଯାଇଛି ।
ଆତଙ୍କବାଦୀ ଆକ୍ରମଣ ପରେ ଦେଶବାସୀ ରକ୍ତଚାଉଳ ଚୋବାଉଛନ୍ତି, ସବୁ ସ୍ତରରୁ ଏହାକୁ ନିନ୍ଦା କରାଯାଉଛି । ଏହି ଦୃଷ୍ଟିରୁ ଆଜିର ସିସିଏସର ବୈଠକ ଗୁରୁତ୍ବପୂର୍ଣ୍ଣ ଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରକ୍ଷାମନ୍ତ୍ରୀ ନିର୍ମଳା ସିତାରମଣ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ସାମିଲ ହୋଇଥିଲେ । ଏହି ବୈଠକରେ ବଡ ବଡ ନିଷ୍ପତ୍ତି ନିଆଗଲା ।
ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ପାକିସ୍ତାନରୁ ମୋଷ୍ଟ ଫେବର୍ଡ ନ୍ୟାସନର ସମ୍ନାନ ପୁନଶ୍ଚ ଫେରାଇ ନିଆଯାଇଛି। ଅର୍ଥାତ ଏବେ ପର୍ଯ୍ୟନ୍ତ ଭାରତ ସହ ପାକିସ୍ତାନକୁ ବ୍ୟବସାୟ କରିବା ପାଇଁ ଯେଉଁ ସୁଯୋଗ ମିଳୁଥିଲା ତାହା ଏବେ ବନ୍ଦ ହୋଇଯିବ । ବିଦେଶ ମନ୍ତ୍ରାଳୟ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନକୁ ଅଲଗା କରିବା ପାଇଁ ସବୁ ଦେଶ ସହ କଥାବାର୍ତ୍ତା କରିବ । ଦୁନିଆ ସାମ୍ନାରେ ପାକିସ୍ତାନର ଆତଙ୍କପରସ୍ତୀ ଚେହେରାର ପର୍ଦ୍ଦାଫାସ୍ କରାଯିବ । ସଂଯୁକ୍ତ ରାଷ୍ଟ୍ରରେ ଆତଙ୍କବାଦର ପରିଭାଷାକୁ ବଦଳାଇବା ପାଇଁ ପ୍ରସ୍ତାବ ଦିଆଯିବ । ଏହି ପ୍ରସ୍ତାବକୁ ପାସ୍ କରିବା ପାଇଁ ସମ୍ପୁର୍ଣ୍ଣ ଚେଷ୍ଟା କରାଯିବ । ପ୍ରସ୍ତାବକୁ ପାସ୍ ପାଇଁ ଅନ୍ୟ ଦେଶ ଉପରେ ଚାପ ପ୍ରୟୋଗ କରାଯିବ ।
ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୧୬ ସେପ୍ଟେମ୍ବରରେ ଏଭଳି ଆତଙ୍କବାଦୀ ଆକ୍ରମଣ ଯେତେବେଳେ ହୋଇଥିଲା, ସେତେବେଳେ କେନ୍ଦ୍ର ସରକାର ପାକିସ୍ତାନ ବିରୁଦ୍ଧରେ ଏଭଳି କଡ଼ା ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇ ପାରିନଥିଲେ , କିନ୍ତୁ ଏବେ ଏଥିଲାଗି ବିଦେଶ ମନ୍ତ୍ରାଳୟ ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛି। ଏହାଫଳରେ ପାକିସ୍ତାନ ଅଲଗା ହୋଇଯିବ ବୋଲି ଅରୁଣ ଜେଟ୍ଲୀ କହିଛନ୍ତି।
ସେହଭଳି ଗୃହମନ୍ତ୍ରୀ ରାଜନାଥ ସିଂହ ଶନିବାର ସର୍ବଦଳୀୟ ବୈଠକ କରିବେ । ଏହି ବୈଠକରେ ରାଜନାଥ ସିଂହ ବିପକ୍ଷ ପାର୍ଟିଙ୍କ ସହ ବିସ୍ତ୍ରୁତ ଭାବରେ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆତଙ୍କବାଦ ବିପକ୍ଷରେ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ ଆତଙ୍କବାଦୀ ବହୁତ ବଡ ଭୁଲ୍ କରିଦେଲେ ଏବଂ ସେ ସେନାକୁ ମଧ୍ୟ ଖୋଲା ଛାଡି ଦେଇଛନ୍ତି ।