ଭାରତୀୟ ସ୍ୱତନ୍ତ୍ର ବିମାନ ସେବାକୁ ପାକିସ୍ତାନର ପ୍ରଶଂସା: ଏଟିସି କହିଲେ ଆମେ ତୁମ ପାଇଁ ଗର୍ବିତ
ଭୁବନେଶ୍ୱର, (ଓଟି): କିଛିମାସ ତଳେ ଭାରତୀୟ ବାୟୁସେନା ୱିଙ୍ଗ୍ କମାଣ୍ଡରଙ୍କୁ ଅଟକ ରଖି ଆନ୍ତର୍ଜାତୀୟ ସମାଲୋଚନାର ପାତ୍ର ହୋଇଥିବା ପାକିସ୍ତାନ ପକ୍ଷରୁ ଏବେ ଭାରତୀୟ ପାଇଲଟ୍ଙ୍କୁ ପ୍ରଶଂସା ଶୁଣିବାକୁ ମିଳିଛି । ଖାଲି ସେତିକି ନୁହେଁ “ଉଇ ଆର୍ ପ୍ରାଉଡ୍ ଅଫ୍ ୟୁ” ବୋଲି କହିଛନ୍ତି ପାକିସ୍ତାନ୍ର ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲର । କରୋନା ବିପର୍ଯ୍ୟୟ ସମୟରେ ୟୁରୋପର ନାଗରିକଙ୍କୁ ଭାରତରୁ ଉଡ଼ାଣରେ ନେଉଥିବା ପାଇଲଟ୍ଙ୍କୁ ଏହିପରି ପ୍ରଶଂସା ଶୁଣିବାକୁ ମିଳିଥିବା ଲାଇଭ୍ ମିଣ୍ଟ ରିପୋର୍ଟ କରିଛି ।
କରୋନା ବିପତ୍ତିକୁ ଆଖିରେ ରଖି ଭାରତରେ ଥିବା କାନାଡ଼ା ଓ ୟୁରୋପୀୟ ନାଗରିକଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆର ଦୁଇଟି ସ୍ୱତନ୍ତ୍ର ରିଲିଫ ବିମାନ ଯୋଗେ ଫ୍ରାଙ୍କଫର୍ଟ ପଠାଇ ଦିଆଯାଇଛି । ୟୁରୋପ ଓ କାନାଡ଼ାର ନାଗରିକଙ୍କୁ ନେଇ ଯାଇଥିବା ଏୟାର ଇଣ୍ଡିଆର ଏହି ସ୍ୱତନ୍ତ୍ର ରିଲିଫ ବିମାନ ଦୁଇଟି ମୁମ୍ବାଇରୁ ଯାତ୍ରା ଆରମ୍ଭ କରି ପାକିସ୍ଥାନ, ଇରାନ ଓ ତୁର୍କୀ ଦେଇ ଫ୍ରାଙ୍କଫର୍ଟରେ ପହଞ୍ଚିଥିଲା । କିନ୍ତୁ ଏହି ବିମାନଯାତ୍ରାରେ ଅନେକ ସମସ୍ୟା ଭିତରେ ହୋଇଥିଲା । ପ୍ରଥମତଃ ପାକିସ୍ଥାନ ବାୟୁସୀମା ଦେଇ ଭାରତର କୌଣସି ବିମାନ ଯାତ୍ରା କରିବାକୁ ପାକିସ୍ତାନ ସରକାର ବାରଣ କରିଥିବା ବେଳେ ଇରାନ ଦେଇ ୟୁରୋପ୍ ଯିବା ଲାଗି ଥିବା ସିଧାସଳଖ ଆକାଶମାର୍ଗ କେବଳ ଇରାନର ପ୍ରତିରକ୍ଷା ବିମାନ ଉଡ଼ାଣ କରିବାକୁ ଉଦ୍ଦିଷ୍ଟ ରହିଛି । କିନ୍ତୁ ଭାରତର ଏହି ବିପତ୍ତିକାଳୀନ ସହାୟତା ଆଗ୍ରହକୁ ଦେଖି ଉଭୟ ଦେଶ ନିଜର ମାନବିକାତା ଦେଖାଇ ସହାୟତା କରିଛନ୍ତି । ଏହାଦ୍ୱାରା ଭାରତୀୟ ବିମାନକୁ ଯିବା ପାଇଁ ୧୦୦୦ ମାଇଲ୍ ଆକାଶମାର୍ଗ କମ୍ ହୋଇଛି ।
କରୋନା ଭୂତାଣୁ ଆତଙ୍କ ଏବେ ସମଗ୍ର ପୃଥିବୀକୁ ଆତଙ୍କିତ କରିଥିବା ସହ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ବିମାନ ଯାତ୍ରା ପ୍ରାୟ ବନ୍ଦ ରହିଛି ଓ ଗୋଟିଏ ଦେଶର ନାଗରିକ ଅନ୍ୟ ଦେଶକୁ ପ୍ରବେଶ କରିବାରେ କଟକଣା ମଧ୍ୟ ଲାଗୁ କରାଯାଇଛି । ଏହିଭଳି ଆତଙ୍କିତ ପରିସ୍ଥିତିରେ ଓ କରୋନା ଭୂତାଣୁ ସଂକ୍ରମଣର ଭୟକୁ ଖାତିର ନକରି ଭାରତୀୟ ପାଇଲଟମାନେ ଦୁଇଟି ରିଲିଫ ବିମାନରେ ଭାରତରେ ରହିଥିବା ୟୁରୋପୀୟମାନଙ୍କୁ ନେଇ ଫ୍ରାଙ୍କଫର୍ଟ ଯାତ୍ରା କରିବାର ସାହସୀକତାକୁ ପାକିସ୍ତାନ ଏଟିସି(ଏୟାର ଟ୍ରାଫିକ କଂଟୋଲ)ର କର୍ମକର୍ତ୍ତାମାନେ ପ୍ରଶଂସା କରିବା ସହିତ ଭାରତରୁ ୟୁରୋପ ଓ କାନାଡ଼ାର ନାଗରୀକଙ୍କୁ ନେଇ ଯାଉଥିବା ଦୁଇଟି ବିମାନକୁ ପାକ ବାୟୁସୀମାରେ ସ୍ୱାଗତ ଜଣାଇଥିଲେ ଓ ଭାରତୀୟ ପାଇଲଟଙ୍କୁ ଉଚ୍ଛ୍ୱସୀତ ପ୍ରସଂଶା ମଧ୍ୟ କରିଥିବା ଫ୍ରାଙ୍କଫର୍ଟ ଯାଇ ଫେରିଆସିଥିବା ଏୟାର ଇଣ୍ଡିଆର କ୍ୟାପଟେନ ଖବର ସରବରାହ ସଂସ୍ଥା ଏଏନଆଇକୁ ଜଣାଇଛନ୍ତି ।
ଏୟାର ଇଣ୍ଡିଆ ବିମାନ ଦୁଇଟି ପାକ୍ ସୀମାରେ ପହଞ୍ଚି ନିଜର ଯାତ୍ରା ସମ୍ପର୍କରେ ପାକ୍ ଏଟିସି ଓ ଫ୍ଲାଇଟ ଇନଫରମେସନ ରିଜିଅନକୁ ଖବର ଦେବା ପରେ ପାକ ଏଟିସି ଓ ଏଫଆଇଆର ପକ୍ଷରୁ ଭାରତୀୟ ବିମାନଚାଳକଙ୍କୁ “ଅସଲାମ ମାଲିକୁମ” କହି ସ୍ୱାଗତ କରାଯିବା ସହିତ ଭାରତୀୟ ବୈମାନିକମାନେ ଏପରି ବିଶ୍ୱ ମହାମାରୀ ସମୟରେ କରୋନା ସଂକ୍ରମଣ ଭୟରେ ଭୟଭୀତ ହୋଇପଡ଼ିଥିôବା କାନାଡ଼ା ଓ ୟୁରୋପୀୟ ନାଗରୀକଙ୍କୁ ନେଇ କରୁଥିବା ବିପଦପୂର୍ଣ୍ଣ ଯାତ୍ରାକୁ ପ୍ରସଂଶା କରିଥିଲେ । ଏହାପରେ ଭାରତୀୟ ବିମାନ ଦୁଇଟି ପାକିସ୍ତାନର ବାୟୁସୀମା ଦେଇ ଅତିକ୍ରମ କରିବାକୁ ଅନୁମତି ପ୍ରଦାନ କରିଥିଲେ । ଏଥିସହି ଭାରତର ଦୁଇଟି ରିଲିଫ ବିମାନ ଯାତ୍ରା ସମ୍ପର୍କରେ ପାକ୍ ଏଫଆଇଅର ଓ ଏଟିସି ଇରାନକୁ ଜଣାଇଥିଲେ । ଭାରତର ରିଲିଫ ବିମାନ ଦୁଇଟି ପାକିସ୍ଥାନ ବାୟୁସୀମା ଅତିକ୍ରମ କରି ଇରାନର ବାୟୁସୀମାରେ ପ୍ରବେଶ କରିଥିଲେ ଓ ଇରାନ ପକ୍ଷରୁ ଭାରତୀୟ ବିମାନ ଦୁଇଟିକୁ ଇରାନର ୧ହଜାର ମାଇଲ ବାୟୁସୀମା ଦେଇ ଯାତ୍ରା କରିବାକୁ ଇରାନ କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିବା ସହିତ ଶୁଭେଚ୍ଛା ଜଣାଯାଇଥିଲେ । ଇରାନ ବାୟୁସୀମା ଅତିକ୍ରମ କରିବା ପରେ ଭାରତୀୟ ରିଲିଫ ବିମାନ ଦୁଇଟି ତୁର୍କୀ ଦେଇ ଫ୍ରାଙ୍କଫର୍ଟରେ ପହଞ୍ଚିଥିଲା ଓ ସେଠାରେ ସମସ୍ତ କାନାଡ଼ା ଓ ୟୁରୋପୀୟ ନାଗରୀକଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦେବା ପରେ ଭାରତ ଫେରି ଆସିଛି ।
ମୁଖ୍ୟତଃ ମୁମ୍ବାଇ ଓ ଦିଲ୍ଲୀରେ ରହୁଥିବା କାନାଡ଼ା ତଥା ୟୁରୋପୀୟ ନାଗଗରୀକମାନଙ୍କୁ ଏହି ରିଲିଫ ବିମାନ ଦୁଇଟି ଯୋଗ ଫ୍ରାଙ୍କଫର୍ଟରେ ପହଞ୍ଚାଇ ଦିଆଯାଇଛି । ୨୦ ଘଣ୍ଟାର ଏହି ବିମାନ ଯାତ୍ରା ସମୟରେ ଏହି ସ୍ୱତନ୍ତ୍ର ବିମାନ ଦୁଇଟିର ପାଇଲଟ ଓ କ୍ରିଉ ମେମ୍ବରମାନେ କରୋନା ଭାଇରସରୁ ସୁରକ୍ଷା ପାଇବାକୁ ସ୍ୱତନ୍ତ୍ର ଜ୍ୟାକେଟ ପରିଧାନ କରିଥିଲେ । ଯରାତ୍ରାରେ ସାମିଲ ସମସ୍ତ ପାଇଲଟ ଓ କ୍ରିଉମାନେ ଏବେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିଛନ୍ତି ।