ନିର୍ଦ୍ଧାରିତ ସମୟ ପୂର୍ବରୁ ରିଲିଜ୍ ହେବ ‘ପାଗଲପନ୍ଥୀ’
ଅନେକ ଦିନର ବ୍ୟବଧାନ ପରେ ଜନ୍ ଆବ୍ରାହମ୍ ବଡ଼ ପରଦାକୁ ଫେରିଛନ୍ତି । ଜନଙ୍କ ଲେଉଟାଣୀ ପ୍ରଶଂସକ ମହଲରେ ଖୁସିର ଲହରି ଖେଳାଇ ଦେଇଛି । ଏହି ଖୁସିକୁ ଦ୍ୱିଗୁଣିତ କରିଛି ଜନ୍ ଆଗାମୀ ଫିଲ୍ମ ‘ର’ । ଏହି ଫିଲ୍ମରେ ଜନ୍ ଜଣେ ଭାରତୀୟ ଜାସୁସ୍ ଭାବରେ ବିଭିନ୍ନ ଲୁକ୍ରେ ନଜର ଆସିବେ । ‘ର’ ବ୍ୟତୀତ ଜନ୍ଙ୍କୁ ଆଉ ଏକ ଫିଲ୍ମରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । ବଲିଉଡ୍ର ଆଗାମୀ ଫିଲ୍ମ ‘ପାଗଲପନ୍ଥୀ’ରେ ପ୍ରଥମଥର ପାଇଁ ଜନ୍ ଓ ଇଲିଆନା ଡିକ୍ରୁଜ୍ଙ୍କ ଯୋଡ଼ି ପରଦା ଉପରକୁ ଆସିବ । ଏହି ଖବରରେ ସିନେପ୍ରେମୀ ଖୁବ୍ ଉତ୍ସାହିତ ଥିବାବେଳେ ଏବେ ଆଉ ଏକ ଖବର ମିଳିଛି ଯେ ଏହି ଫିଲ୍ମ ଦେଖିବାପାଇଁ ପ୍ରଶଂସକଙ୍କୁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ । କାରଣ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ଫିଲ୍ମ ମୁକ୍ତିଲାଭ କରିଦିଆଯିବ ବୋଲି ଫିଲ୍ମଟିମ୍ ପକ୍ଷରୁ ସୂଚନା ମିଳିଛି ।
ଏହି ଫିଲ୍ମ ଆସନ୍ତା ବର୍ଷ ମୁକ୍ତିଲାଭ କରାଯିବ ବୋଲି ସ୍ଥିର କରାଯାଇଥିଲା । କିନ୍ତୁ ଗୋଟିଏ ତାରିଖରେ ହିଁ ଅର୍ଜୁନ୍ କପୁରଙ୍କ ଫିଲ୍ମ ‘ପାନୀପତ୍’ ମୁକ୍ତିଲାଭ କରୁଛି । ତେଣୁ ବକ୍ସ ଅଫିସ୍ ବ୍ୟବସାୟକୁ ଦୃଷ୍ଟିରେ ରଖି ‘ପାଗଲପନ୍ଥୀ’ର ରିଲିଜ୍ ଡେଟରେ ପରିବର୍ତ୍ତନ କରାଯାଇଛି, ଯାହାକି ଦୁଇଟି ଫିଲ୍ମ ପାଇଁ ଏକ ଭଲ ବିକଳ୍ପ । ନୂଆ ଡେଟ୍ ଅନୁଯାୟୀ ‘ପାଗଲପନ୍ଥୀ’ ଚଳିତବର୍ଷ ନଭେମ୍ବର ୨୨ ତାରିଖରେ ରିଲିଜ୍ ହେବ ବୋଲି ସୂଚନା ମିଳିଛି । ଅନିଶ୍ ବଜମି ଏହାର ନିର୍ଦ୍ଦେଶନା ଦେଇଛନ୍ତି ।