ଓଡ଼ିଶାର ଡି ପ୍ରକାଶ ରାଓ, ଦୈତାରୀ ନାୟକ, କମଳା ପୂଜାରୀ ଏବଂ ପ୍ରବାସୀ ଲେଖିକା ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ
ସାଧାରଣତନ୍ତ୍ର ଦିବସ ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ପଦ୍ମ ସମ୍ମାନ ଘୋଷଣା ହୋଇଛି। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ସମୁଦାୟ ୧୧୨ ଜଣଙ୍କୁ ଏଥି ଲାଗି ମନୋନୀତ କରାଯାଇଛି। ୯୪ ଜଣଙ୍କୁ ପଦ୍ମଶ୍ରୀ , ୧୪ ଜଣଙ୍କୁ ପଦ୍ମଭୂଷଣ ଓ ୪ ଜଣଙ୍କୁ ପଦ୍ମବିଭୂଷଣ ସମ୍ମାନ ଲାଗି ମଧ୍ୟ ଚୟନ କରାଯାଇଛି। ଏହି ବ୍ୟକ୍ତତ୍ବଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନ ପ୍ରଦାନ କରିବେ।
ଓଡ଼ିଶାରୁ ୩ଜଣଙ୍କୁ ପଦ୍ମଶ୍ରୀ ଲାଗି ମନୋନୀତ କରାଯାଇଛି। କଟକର ଚା’ ଦୋକାନୀ ଡି. ପ୍ରକାଶ ରାଓ, ମହିଳା ଚାଷୀ କମଳା ପୂଜାରୀ ଏବଂ କେନ୍ଦୁଝରର ପର୍ବତ ମାନବ ଦୈତାରୀ ନାୟକଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ । ଦୈତାରୀ ନାଏକ ଓ ଡି. ପ୍ରକାଶ ରାଓଙ୍କୁ ସମାଜ ସେବା ଏବଂ କମଳ ପୂଜାରୀଙ୍କୁ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମନୋନୀତ କରାଯାଇଛି।
ସେହିଭଳି ପ୍ରବାସୀ ଭାରତୀୟ, ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ଲାଗି ମନୋନୀତ କରାଯାଇଛି। ଶ୍ରୀମତୀ ମେହେଟ୍ଟାଙ୍କୁ(ଆମେରିକା)ଙ୍କୁ ସାହିତ୍ୟ ଓ ଶିକ୍ଷା ପାଇଁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।