ଲଣ୍ଡନରେ ଗଡ଼ିଲା ଓଲା
ନୂଆଦିଲ୍ଲୀ(ଓଟି): ଟାକ୍ସି ସେବା କ୍ଷେତ୍ରରେ ପ୍ରତିଷ୍ଠାଲାଭ କରିଥିବା ଭାରତୀୟ କମ୍ପାନୀ ଓଏଲଏ(ଓଲା) ସମ୍ପ୍ରତି ଲଣ୍ଡନରେ ବ୍ୟବସାୟ ଆରମ୍ଭ କରିଛି। ତେବେ ସେବା ଆରମ୍ଭର ପ୍ରଥମ ପର୍ଯ୍ୟାୟରେ ହିଁ ୧୦ ହଜାରରୁ ଅଧିକ ଡ୍ରାଇଭର୍ ଓଲା ପ୍ରତି ଆଗ୍ରହ ଦେଖାଇ ରେଜିଷ୍ଟ୍ରସନ୍ କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। କେବଳ ବ୍ୟବସାୟ ନୁହେଁ, ନିଜର ଭିତ୍ତିଭୂମି, ସେବା ଏବଂ ଆନୁଷଙ୍ଗିକ ବ୍ୟବସ୍ଥାକୁ ନେଇ ଏହା ଲଣ୍ଡନର ତୃତୀୟ ବୃହତ ଟାକ୍ସି ସେବା ପ୍ରଦାନକାରୀ ସଂସ୍ଥା ଭାବେ ମଧ୍ୟ ମାନ୍ୟତା ଲାଭ କରିଛି। ବେଙ୍ଗାଲୁରୁସ୍ଥିତ ଏହି କମ୍ପାନୀ ନିଜର ବ୍ୟବସାୟକୁ ଆନ୍ତର୍ଜାତିକସ୍ତରରେ ସମ୍ପ୍ରସାରିତ କରିବାକୁ ଉଦ୍ୟମ ଜାରି ରଖିଥିବା ବେଳେ ଲଣ୍ଡନ ଭଳି ବିଶ୍ୱର ଏକ ପ୍ରମୁଖ ସହରରେ ବ୍ୟବସାୟ ଆରମ୍ଭ କରି ସେଠାକାର ଲୋକଙ୍କୁ ନିଜ ନେଟ୍ୱର୍କରେ ସାମିଲ କରିବାକୁ ପ୍ରୟାସ କରିଛି ବୋଲି ଓଲା ଇଣ୍ଟରନ୍ୟାସନାଲ୍ର ମୁଖ୍ୟ ସାଇମନ୍ ସ୍ମିଥ୍ କହିଛନ୍ତି। କମ୍ଫର୍ଟ, କମ୍ଫର୍ଟ ଏକ୍ସଏଲ୍ ଏବଂ ଏକ୍ଜିକ୍ୟୁଟିଭ୍ ଡ୍ରାଇଭ୍ ଭଳି ତିନୋଟି ଶ୍ରେଣୀରେ କମ୍ପାନୀ ଲୋକଙ୍କୁ ଟାକ୍ସି ସେବା ଯୋଗାଇ ଦେବାକୁ ବ୍ୟବସ୍ଥା କରିଛି। ଲଣ୍ଡନର ସାଧାରଣ ପରିବହନ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ମଧ୍ୟ ଓଲା କମ୍ପାନୀ ଆଗାମୀ ଦିନରେ ଆଉ କେତେକ ବ୍ୟବସ୍ଥା ଆରମ୍ଭ କରିବ ବୋଲି କହିଛି।
ଉଲ୍ଲେଖଯୋଗ୍ୟ ଯେ, ୨୦୧୮ରେ ଓଲା ଯୁକ୍ତରାଜ୍ୟରେ ବ୍ୟବସାୟ ଆରମ୍ଭ କରିଥିଲେ ହେଁ କେବଳ ୱେଲସ୍ ଏବଂ ଦକ୍ଷିଣ ପଶ୍ଚିମ ଇଂଲଣ୍ଡର କେତେକ ଭାଗରେ ସେବା ଆରମ୍ଭ କରିଥିଲା । କିନ୍ତୁ ଲଣ୍ଡନରେ ପ୍ରବେଶ କରିବାକୁ ବିଭିନ୍ନ ଦିଗରେ ରହିଥିବା ସର୍ତ୍ତବଳୀ ପୂରଣ ଏବଂ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ ନେଇ ସମୟ ଲାଗିଥିଲା । ବର୍ତ୍ତମାନ ଲଣ୍ଡନରେ ସେବା ଆରମ୍ଭ ହୋଇଥିବା ବେଳେ ଯୁକ୍ତରାଜ୍ୟରେ କମ୍ପାନୀର ମୋଟ ଡ୍ରାଇଭରଙ୍କ ସଂଖ୍ୟା ୩୫,୦୦୦ରେ ପହଞ୍ଚିଛି । ଏହାକୁ ନେଇ ଯୁକ୍ତରାଜ୍ୟରେ ନିଯୁକ୍ତି ସୃଷ୍ଟି କରିବା କ୍ଷେତ୍ରରେ ମଧ୍ୟ ଓଲା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା କୁହାଯାଇଛି । ଲଣ୍ଡନ ସହରରେ ଟାକ୍ସି ସେବା କ୍ଷେତ୍ରରେ ଉବେର୍ ସବୁଠାରୁ ବଡ଼ କମ୍ପାନୀ ଭାବେ ପ୍ରତିଷ୍ଠାଲାଭ କରିଥିବା ବେଳେ ବର୍ତ୍ତମାନ ଏହାର ମୋଟ ଡ୍ରାଇଭର ସଂଖ୍ୟା ୪୫,୦୦୦ ରହିଛି। ଏହାପଛକୁ ବୋଲ୍ଟ କମ୍ପାନୀ ରହିଥିଲା ବେଳେ ତୃତୀୟ ସ୍ଥାନରେ କ୍ୟାପଟେନ୍ କମ୍ପାନୀ ରହିଥିଲା। ତେବେ କ୍ୟାପଟେନ୍ କମ୍ପାନୀର ମୋଟ ଡ୍ରାଇଭର ସଂଖ୍ୟା ୨୦,୦୦୦ ତୁଳନାରେ ଓଲା ଡ୍ରାଇଭର ସଂଖ୍ୟା ଅଧିକ ଥିବାରୁ କମ୍ପାନୀ ସେଠାେରେ ତୃତୀୟ ବୃହତ ଭାବେ ପ୍ରତିଷ୍ଠାଲାଭ କରିଛି।











