ଦଲାଲ ପୋଷୁଛି ଗଣଶିକ୍ଷା ବିଭାଗ, ଚାକିରି ହରାଉଛନ୍ତି କର୍ମଚାରୀ

ଭୁବନେଶ୍ଵର, (ଓଟି): ଓଡ଼ିଶା ସରକାରରେ ଏବେ ଦଲାଲ ପୋଷା ଚାଲିଛି। ସଦ୍ୟ ଉଦାହରଣ ଦେଇଛି ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ। ଆଉଟ୍‌ସୋର୍ସିଂ ନାଁରେ କିଛି ଆଏଏସ୍‌ ଅଧିକାରୀ ଓ ଅଧିକାରୀ ଏପରି ଦଲାଲଗିରି ଚଳାଇଛନ୍ତି ବୋଲି ଆଜି ଅଭିଯୋଗ ହୋଇଛି। ବିଭିନ୍ନ ସ୍କୁଲ୍‌ରେ ନିଯୁକ୍ତ ପାଖାପାଖି ୪ହଜାର କମ୍ପ୍ୟୁଟର ଶିକ୍ଷକ ବା ସଂଯୋଜକଙ୍କ ଚାକିରି ଚାଲିଯିବା ଘଟଣାରେ ଏପରି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିରୋଧୀଦଳ ନେତା। ଏହାକୁ ଝିଣ୍ଟିକା ମାରି ବଣଇପୋଷିବା ନ୍ୟାୟ ବୋଲି ସେ କହିଛନ୍ତି।

ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ ନାଏକ ଏପରି ଅଭିଯୋଗ ଆଣି କହିଛନ୍ତି, ‘ସାଧାରଣ ଆଏଏସ୍‌ ଅଧିକାରୀମାନେ ସରକାରଙ୍କୁ ଏବାବଦରେ ନିାର୍ଦଶ ଦେଉଛନ୍ତି। ଏହାଠୁ ବଳି ଦୁର୍ଭାଗ୍ୟଜନକ ଆଉ କ’ଣ ହୋଇପାରେ?’

ସରକାରୀ ତହବିଲରୁ ଖର୍ଚ କମାଇବା ଆଳରେ ସରକାର ଆଉଟ୍‌ସୋର୍ସିଂ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏହି ନିୟମ ଅନୁସାରେ କିଛି ଘରୋଇ ସଂସ୍ଥାନ ସରକାରୀ ଅଫିସମାନଙ୍କରେ କାର୍ଯ୍ୟ ସମ୍ପାଦନ ଲାଗି କର୍ମଚାରୀ ଯୋଗାଉଛନ୍ତି। ସରକାରଙ୍କଠାରୁ ସେମାନଙ୍କ ଦରମା ବାବଦରେ ଅର୍ଥ ସଂଗ୍ରହ କରି ଏହି କର୍ମଚାରୀଙ୍କୁ ଦେଉଛନ୍ତି। ଭବିଷ୍ୟତରେ ଏହି କର୍ମଚାରୀମାନେ ଆଉ ଆନ୍ଦୋଳନ କରିବେ ନାହିଁ କି ନିୟମିତ ହେବା ଲାଗି କହିବେ ନାହିଁ ବୋଲି ସରକାରଙ୍କ ଯୁକ୍ତି। କିନ୍ତୁ ବାସ୍ତବରେ ଏହା ରାଜ୍ୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି ବୋଲି ସେ ଆଶଙ୍କା କରିଛନ୍ତି।

ଶ୍ରୀ ନାଏକ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷ କରି କହିଛନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ନିୟୋଜିତ ଆଇଏଲ୍‌ ଆଣ୍ଡ ଏଫଏସ୍‌ ( IL&FS) ଏବଂ ଟିସିଆଇସିଏଲ୍‌(TCICL) ନାମକ ଦୁଇଟି ସଂସ୍ଥା ଦ୍ଵାରା ବିଭିନ୍ନ ସ୍କୁଲ୍‌ରେ କମ୍ପ୍ୟୁଟର ଶିକ୍ଷକ ( ଆଇସିଟି ସଂଯୋଜକ) ନିଯୁକ୍ତ ହୋଇଛନ୍ତି। ପାଖାପାଖି ୪ହଜାର ଯୁବକ ଏହି ଯୋଜନାରେ ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ଦରମା ୬ହଜାର ୫୦୦ ଟଙ୍କା। ଏହି ଟଙ୍କାରୁ ୫୦୦ ଟଙ୍କା କମିଶନ ଯଦି ସମ୍ପୃକ୍ତ ସଂସ୍ଥା ନେଉଥାଆନ୍ତି ତେବେ ମାସକୁ ୨୦ ଲକ୍ଷ ଟଙ୍କା ଏହି ସଂସ୍ଥା ରୋଜଗାର କରୁଛନ୍ତି। କେବଳ ପଞ୍ଜୀକରଣ କରି ୨୦ ଲକ୍ଷ ଟଙ୍କା ଆୟ କରିବାଠୁ ବଳି ଲାଭଜନକ ବ୍ୟବସାୟ ଆଉ ନାହିଁ।

ଗୋଟିଏ ପଟେ ଏହି ଘରୋଇ ସଂସ୍ଥା ଲାଭବାନ ହେଉଥିବା ବେଳେ ସେଠାରେ ନିଯୁକ୍ତ ଏହି କର୍ମଚାରୀ, ଯେଉଁମାନେ ସେମାନଙ୍କ ଯୁବା ବୟସକୁ ଏହି ଶିକ୍ଷକତାରେ ବିନଯୋଗ କରିଛନ୍ତି ସେମାନେ ଛଟେଇ ହୋଇ ଏବେ ହୀନସ୍ତା ହେଉଛନ୍ତି। ରାଜ୍ୟର ଯୁବାବର୍ଗଙ୍କ ନିଯୁକ୍ତି ପାଇଁ ଏ ଗୃହ ଏତେ ତଜମା କରୁଥିବା ବେଳେ ବାସ୍ତବରେ ନିଯୁକ୍ତି ପାଉଥିବା ଯୁବକଙ୍କୁ ଛଟେଇ କରିବା ସମ୍ବେଦନଶୀଳ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *