ଆଉ ବସ୍ରେ ଆସିବେନି ଶ୍ରମିକ, କେବଳ ଟ୍ରେନ୍
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟରେ ଅଟକ ରହିଥିବା ଶ୍ରମିକ, ତୀର୍ଥଯାତ୍ରୀଙ୍କୁ ଅଣାଯିବା ଲାଗି ଯେଉଁ ପଦକ୍ଷେପ ନିଆଯାଇଛି ସେଥିରେ ଆଉ ବସ୍ ବ୍ୟବହାର କରାଯିବ ନାହିଁ। ଏଥିଲାଗି କେବଳ ଟ୍ରେନ୍ ହିଁ ଏକମାତ୍ର ସାଧନ ଭାବେ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
ବିଭାଗୀୟ ସଚିବଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଶ୍ରମିକଙ୍କ ନାରାପଦ ଯାତ୍ରା ଏବଂ ସେମାନଙ୍କ କ୍ଵାରେଣ୍ଟୀନ୍ ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି। ଏହି ନିର୍ଦେଶକୁ ମାନି ପରିବହନ ବିଭାଗ ପକ୍ଷରୁ ସୁରାଟରୁ ଓଡ଼ିଶା ଦୀର୍ଘ ଯାତ୍ରା ପାଇଁ ଆଉ ସଡ଼କପଥ ବ୍ୟବହାର କରାଯିବ ନାହିଁ। ସରକାର କେବଳ ଟ୍ରେନ୍ରେ ଶ୍ରମିକଙ୍କୁ ଆଣିବେ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ରିଲିଜ୍ରେ କୁହାଯାଇଛି ଯେ, ଏହି ଦୀର୍ଘ ରାସ୍ତାରେ ଯାତ୍ରୀଙ୍କ ଖାଇବା ପିଇବା ସମସ୍ୟା, ଅଂଶୁଘାତ ଓ ଦୁର୍ଘଟଣା ଭଳି ସମସ୍ୟା ଦେଖାଯିବା ସହ ମହିଳା ଓ ଶିଶୁମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସରକାର କେବଳ ଟ୍ରେନ୍ ଯୋଗେ ଫେରିବା ପାଇଁ ଏଣିକି ଅନୁମତି ଦେବେ।
ରାଜ୍ୟ ବାହାରୁ ଆସୁଥିବା ଏହି ଶ୍ରମିକମାନେ ଟ୍ରେନ୍ରୁ ଓହ୍ଲାଇବା ପରେ ପ୍ରଥମେ ମେଡିାକଲ୍ ସ୍କ୍ରିନିଂ କରାଯିବ। ଏହାପରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ଵାରେଣ୍ଟୀନ୍ କେନ୍ଦ୍ରକୁ ସେମାନଙ୍କୁ ନିଆଯିବ। ଏଥିଲାଗି ଗ୍ରାମାଞ୍ଚଳରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୧୦ ହଜାର ୭୫୧ଟି କ୍ଵାରେଣ୍ଟୀନ୍ କେନ୍ଦ୍ର କରାଯାଇଛି। ଏଥିରେ ୪ଲକ୍ଷ ୬୮ ହଜାର ଲୋକଙ୍କ ରହିବା ଲାଗି ବନ୍ଦୋବସ୍ତ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସେମାନଙ୍କ ମୁଣ୍ଡପିଛା ଖାଇବା ଖର୍ଚ ଦିନକୁ ୧୨୦ ଟଙ୍କା ରହିଛି। ପୁଣି ବ୍ୟକ୍ତିଗତ ପରିଚ୍ଛନ୍ନତା ଲାଗି ଟୁଥ୍ପେଷ୍ଟ, ବ୍ରଶ୍, ପାଣିବୋତଲ, ଓ ଅନ୍ୟ ଉପକରଣ ଯୋଗାଇ ଦିଆଯାଉଛି। ସେହିପରି ସହରାଞ୍ଚଳରେ ୪୧୫ଟି କେନ୍ଦ୍ର ଖୋଲା ଯାଇଛି। ସେଥିରେ ୩୨ ହଜାର ୫୨୪ଜଣଙ୍କ ରହିବା ବ୍ୟବସ୍ଥା କରାଯାଇଛି।
କ୍ଵାରେଣ୍ଟୀନ୍ କେନ୍ଦ୍ରରେ ରହିଥିବା ଏହି ଫେରନ୍ତା ଅନ୍ତେବାସୀମାନଙ୍କ ଆଚରଣକୁ ଦୃଷ୍ଟିରେ ରଖି ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି।











