#WorldFightWithCorona: ବର୍ଷ ଶେଷ ସୁଦ୍ଧା ମିଳିପାରେ ଟିକା

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭୂତାଣୁ ସହ ସାରା ବିଶ୍ଵ ଲଢ଼େଇ କରୁଛି। ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଏହି ଲଢ଼େଇ ସବୁଠାରୁ ଅଧିକ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ବିଶ୍ଵର ଅନେକ ଦେଶ କରୋନାକୁ ନାଶ କରିବା ପାଇଁ ଭ୍ୟାକ୍‌ସିନ୍‌ ବା ଟିକା ପ୍ରସ୍ତୁତି ପାଇଁ ଉଦ୍ୟମ ଚଳାଇଛନ୍ତି। କିନ୍ତୁ ଏଯାଏଁ ମିଳିନି ଠିକଣା ଭାବେ ଔଷଧ। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ମହାମାରୀ ନାଶ ପାଇଁ ଚମତ୍କାର ଟିକା ପ୍ରସ୍ତୁତି ହୋଇପାରେ ବୋଲି ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗଟର୍ସ ଆଶା ପ୍ରକଟ କରିଛନ୍ତି।

ଗଟର୍ସ କହିଛନ୍ତି ଯେ କେବଳ ଗୋଟିଏ ଟିକା ହିଁ ବିଶ୍ଵକୁ ସ୍ଵାଭାବିକ ସ୍ଥିତିକୁ ଆଣିପାରିବ। ତେଣୁ ଯେତେଶୀଘ୍ର କରୋନା ଭାଇରସ୍ ପାଇଁ ଔଷଧ ପ୍ରସ୍ତୁତ ହେବ ତାହା ବିଶ୍ଵ ପାଇଁ ମଙ୍ଗଳ ସାବ୍ୟସ୍ତ ହେବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଫ୍ରିକୀୟ ଦେଶମାନଙ୍କୁ ସମ୍ବୋଧିତ କରୁଥିବାବେଳେ ଗଟର୍ସ ଅପିଲ୍ କରିଛନ୍ତି ଯେ କରୋନା ଭାଇରସ୍ ବିରୋଧରେ ଟିକା ପ୍ରସ୍ତୁତ କରିବାରେ ବିଶ୍ଵ ସମୁଦାୟଙ୍କୁ ଏକଜୁଟ ହେବାକୁ ପଡ଼ିବ। ଏଥିପାଇଁ ସମସ୍ତ ଦେଶ ମିଳିତ ଭାବରେ କାର୍ଯ୍ୟ କରିବା ଉଚିତ୍। ଏନେଇ ମାର୍ଚ୍ଚ ୨୫ରେ ମିଳିତ ଜାତିସଂଘ ପକ୍ଷରୁ ୨ ବିଲିୟନ ଡଲାର ସଂଗ୍ରହ କରିବାକୁ ଅପିଲ୍ କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଏହାର ମାତ୍ର ୨୦ ପ୍ରତିଶତ ସଂଗ୍ରହ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published.