ମୋଦିଙ୍କ ବିରୋଧରେ ‘ୱାନ୍ ଇଜ୍ ଟୁ ୱାନ୍’ ଫର୍ମୁଲା ସଫଳ ହେବ ତ ?
ଭୁବନେଶ୍ୱର,(ଓଡ଼ିଶାଟାଇମ): ୨୦୧୯ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏକୁ ପାଖାପାଖି ୪୫ ପ୍ରତିଶତ ଭୋଟ୍ ମିଳିଥିଲା। ଅବଶିଷ୍ଟ ୫୫ ପ୍ରତିଶତ ଭୋଟ୍ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳକୁ ଯାଇଥିଲା । ଏବେ ୨୦୨୪ରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଏହି ୫୫ ପ୍ରତିଶତ ଭୋଟ୍ ଏକାଠି ହେବ ବୋଲି ଚର୍ଚ୍ଚା ହେଉଛି ।
ଏହି ମିଶନକୁ ସାକାର କରିବା ପାଇଁ ପୂର୍ବତନ ରାଜ୍ୟପାଳ ସତପାଲ ମଲ୍ଲିକ ‘ୱାନ୍ ଇଜ୍ ଟୁ ୱାନ୍’ ଫର୍ମୁଲା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ମମତା ବାନାର୍ଜୀ ମଧ୍ୟ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା କଥା କହିଛନ୍ତି ।
ଅନ୍ୟସବୁ ବିରୋଧୀ ଦଳ ମିଳିତ ଭାବରେ ଶକ୍ତିଶାଳୀ ଦଳର ପ୍ରାର୍ଥୀଙ୍କ ବିପକ୍ଷରେ ମାତ୍ର ଜଣେ ପ୍ରାର୍ଥୀ ଦେଲେ ଏହାକୁ ‘ୱାନ୍ ଇଜ୍ ୱାନ୍’ ଫର୍ମୁଲା କୁହାଯିବ । ଏକ ସାକ୍ଷାତ୍କାରରେ ପୂର୍ବତନ ରାଜ୍ୟପାଳ ସତପାଲ ମଲ୍ଲିକ କହିଛନ୍ତି, ୨୦୨୪ରେ ଯଦି ବିରୋଧୀଦଳଗୁଡ଼ିକ ମିଳିତ ଭାବରେ ବିଜେପି ପ୍ରାର୍ଥୀଙ୍କ ବିପକ୍ଷରେ ମାତ୍ର ଜଣେ ପ୍ରାର୍ଥୀ ଦେବେ, ତେବେ ବିଜେପିର ପରାଜୟ ନିଶ୍ଚିତ । ସମାନ ଫର୍ମୁଲା ୧୯୮୯ରେ ଭିପି ସିଂହଙ୍କ ସମର୍ଥନରେ ଏବଂ ୧୯୭୭ରେ ଇନ୍ଦିରାଙ୍କ ବିରୋଧରେ କାମ କରିଥିଲା । ଏହି ଫର୍ମୁଲାରେ ବିଜେପିକୁ ୨୦୨୪ରେ କ୍ଷମତାକୁ ଆସିବାରୁ ରୋକାଯାଇପାରିବ ବୋଲି ଶ୍ରୀ ମଲ୍ଲିକ ଗୁରୁତ୍ୱାରୋପ କରିଛନ୍ତି ।
ଶ୍ରୀ ମଲ୍ଲିକଙ୍କ କହିବା ଅନୁସାରେ ୨୦୨୪ ଲୋକସଭା ନିର୍ବାଚନରେ ଦିଲ୍ଲୀର ୭ଟି ଲୋକସଭା ଆସନରେ ଆମ୍ ଆଦମୀ ପାର୍ଟି, କଂଗ୍ରେସ, ବିଏସ୍ପି ସମେତ ପ୍ରମୁଖ ବିରୋଧୀ ଦଳମାନେ ମିଳିତ ହୋଇ ବିଜେପି ବିପକ୍ଷରେ ୭ ଜଣ ପ୍ରାର୍ଥୀ ଦିଅନ୍ତୁ । ଏପରି କରିବାଦ୍ୱାରା ବିଜେପି ବିରୋଧରେ ଭୋଟ୍ ବିଭାଜନ ହେବାରୁ ରକ୍ଷା ପାଇବ ।
‘ୱାନ୍ ଇଜ୍ ଟୁ ୱାନ୍’ ଫର୍ମୁଲା ସାମ୍ନାରେ ୪ଟି ବଡ଼ ଚ୍ୟାଲେଞ୍ଜ
‘ୱାନ୍ ଇଜ୍ ଟୁ ୱାନ୍’ ଫର୍ମୁଲା ଏତେ ସହଜ ମଧ୍ୟ ନୁହେଁ । ଧରନ୍ତୁ ୨୦୨୪ରେ ସମସ୍ତ ବିରୋଧୀ ଦଳ ଏହି ଫର୍ମୁଲା ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବେ, ତେବେ ବିହାରରେ ଆରଜେଡି ଓ ଜେଡିୟୁ ନିଜ ଭାଗରେ ଅଧିକ ଆସନ ପାଇବାକୁ ଚାହିଁବେ । ସେହିପରି ୟୁପିରେ ଏସପି, ବିଏସପି ଓ ଆରଏଲଡି ଅଧିକରୁ ଅଧିକ ଆସନ ଚାହିଁବେ । ଏହା ବିରୋଧୀ ଦଳର ଏକତା ପ୍ରତି ବିପଦ ସୃଷ୍ଟି କରିପାରେ।
ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼
ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱୀତା ପାଇଁ ବିରୋଧିଦଳଗୁଡ଼ିକ ମଧ୍ୟରେ ସମନ୍ୱୟ ରହିଲେ ମଧ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ ଲଢ଼େଇ ଆରମ୍ଭ ହେବ । ଯଦି ମେଣ୍ଟର ସମସ୍ତ ପ୍ରମୁଖ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ନିଜକୁ ସାମିଲ କରନ୍ତି, ତେବେ ନିର୍ବାଚନ ପରେ କିଏ ପ୍ରଧାନମନ୍ତ୍ରୀ ହେବେ ତାହା ସ୍ଥିର କରିବା ଅତ୍ୟନ୍ତ କଷ୍ଟକର ହେବ ।
ସରକାରରେ ଭାଗିଦାରୀ
ଯଦି ଆସନ ଓ ପ୍ରଧାନମନ୍ତ୍ରୀ ପଦକୁ ନେଇ ଆଲୋଚନା ହୁଏ, ତେବେ ସରକାରରେ ଭାଗିଦାରୀକୁ ନେଇ ବିବାଦ ସୃଷ୍ଟି ହେବା ନିଶ୍ଚିତ । ପ୍ରତ୍ୟେକ ଆଞ୍ଚଳିକ ଦଳ ମନ୍ତ୍ରିମଣ୍ଡଳରେ ସର୍ବାଧିକ ଭାଗ ପାଇବାକୁ ଚାହୁଁଛନ୍ତି । ମନ୍ତ୍ରୀପଦ ସଂଖ୍ୟା ସ୍ଥିର ହୋଇଛି । ଏଭଳି ସ୍ଥିତିରେ ଯଦି ସରକାରରେ କୌଣସି ଦଳର ଭାଗିଦାରୀ ଆଶାନୁରୂପ ନ ହୁଏ, ତେବେ ମେଣ୍ଟରୁ ବିଚ୍ଛିନ୍ନ ହେବାର ଆଶଙ୍କା ରହିଛି ।
ଭିନ୍ନ ଭିନ୍ନ ଆଞ୍ଚଳିକ ଓ ଜାତୀୟ ପ୍ରସଙ୍ଗ
ଏଭଳି ମେଣ୍ଟରେ ଉଭୟ ଆଞ୍ଚଳିକ ଓ ଜାତୀୟ ଦଳ ସାମିଲ ହେବେ । ଏଭଳି ସ୍ଥିତିରେ ଏହି ଦଳଗୁଡ଼ିକର ସମସ୍ୟା ମଧ୍ୟ ଭିନ୍ନ । ଏହା ଉଭୟ ଆଦର୍ଶ ଓ କାର୍ଯ୍ୟସ୍ତରରେ ହୋଇପାରେ । ଯେମିତି ଆଦର୍ଶଗତ ସ୍ତରରେ କଂଗ୍ରେସ ବୀର ସାବରକରଙ୍କୁ ବିରୋଧ କରୁଥିବାବେଳେ ଶିବସେନା ଏବଂ ଏନସିପି ନେତାଙ୍କ ଦୃଷ୍ଟିରେ ତାଙ୍କୁ ସମ୍ମାନ ଦିଆଯାଉଛି । ଏହାଦ୍ୱାରା ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇପାରେ । କାର୍ଯ୍ୟସ୍ତରରେ ତିନି ତଲାକ ଆଇନ, ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ କମନ୍ ସିଭିଲ୍ କୋଡ୍ ପ୍ରସଙ୍ଗରେ ଶିବସେନା ବିଜେପିକୁ ସମର୍ଥନ କରୁଛି । କଂଗ୍ରେସର ଆଭିମୁଖ୍ୟ ଭିନ୍ନ ।
୪୬ ବର୍ଷ ପୂର୍ବେ ‘ୱାନ୍ ଇଜ୍ ଟୁ ୱାନ୍’ ଫର୍ମୁଲା ପ୍ରୟୋଗ କରାଯାଇଥିଲା
୧୯୭୭ ଜାନୁଆରୀ ବେଳକୁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୧୯ ମାସ ବିତି ଯାଇଥିଲା । ଏହି ସମୟ ମଧ୍ୟରେ ଇନ୍ଦିରା ଗାନ୍ଧି ନିଜ ଭୁଲ ଓ ଲୋକଙ୍କ କ୍ରୋଧକୁ ଅନୁଭବ କରିଥିଲେ । ତେଣୁ ୧୯୭୭ ଜାନୁଆରୀ ୧୮ରେ ଇନ୍ଦିରା ଗାନ୍ଧୀ ହଠାତ୍ ମାର୍ଚ୍ଚରେ ଲୋକସଭା ନିର୍ବାଚନ କରିବାକୁ ଘୋଷଣା କରିଥିଲେ।
ଏହାର ୫ ଦିନ ପରେ ୧୯୭୭ ମସିହା ଜାନୁଆରି ୨୩ ତାରିଖରେ ୧୦ଟି ବିରୋଧୀ ଦଳ ମିଳିତ ହୋଇ ଗୋଟିଏ ଦଳ ଗଠନ କରିଥିଲେ । ଏହି ଦଳର ନାମ ଥିଲା ‘ଜନତା ପାର୍ଟି’ । ବିଚାରଧାରାରେ ଭିନ୍ନ ହୋଇଥିଲେ ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ଜୟପ୍ରକାଶ ନାରାୟଣଙ୍କ ନିର୍ଦ୍ଦେଶରେ ଏହି ଦଳଗୁଡ଼ିକ ଏକାଠି ହୋଇଥିଲେ ।
ଏହି ଦଳଗୁଡ଼ିକର କେବଳ ଗୋଟିଏ ଉଦ୍ଦେଶ୍ୟ ଥିଲା, କୌଣସି ପ୍ରକାରେ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ହେବାରୁ ରୋକିବା । ଏଥିପାଇଁ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ପ୍ରତ୍ୟେକ ଆସନରେ ଇନ୍ଦିରା ଗାନ୍ଧୀଙ୍କ ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିଲେ ।
ପ୍ରାରମ୍ଭରେ ୫ଟି ଦଳର ମିଶ୍ରଣଦ୍ୱାରା ଜନତା ପାର୍ଟି ଗଠନ ହୋଇଥିଲା । ଏଥିରେ ଜନତା ମୋର୍ଚ୍ଚା, ଭାରତୀୟ ଲୋକଦଳ, ସ୍ୱାଧୀନ ପାର୍ଟି, ସୋଶାଲିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ଏବଂ ଭାରତୀୟ ଜନସଂଘ ସାମିଲ ଥିଲେ । ପରବର୍ତ୍ତୀ ସମୟରେ ଜନତା ପାର୍ଟି ମଧ୍ୟ ବିଭିନ୍ନ ରାଜ୍ୟରେ ଇନ୍ଦିରା ଗାନ୍ଧୀଙ୍କୁ ପରାସ୍ତ କରିବା ପାଇଁ ଆଞ୍ଚଳିକ ଦଳମାନଙ୍କ ସହ ମେଣ୍ଟ କରିଥିଲା କିମ୍ବା ସେମାନଙ୍କୁ ସମର୍ଥନ କରିଥିଲା । ପଞ୍ଜାବରେ ଜନତା ପାର୍ଟି ଅକାଳୀ ଦଳ ସହ ମେଣ୍ଟ କରିଥିବାବେଳେ ବେଙ୍ଗଲରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସହ ମେଣ୍ଟ କରିଛି।
ଜନତା ପାର୍ଟି ବିରୋଧରେ ଅନେକ ଦଳ ପ୍ରାର୍ଥୀ ଦେଇନଥିଲେ
କୁହାଯାଉଛି ଯେ ଅନେକ ଦଳ ‘ୱାନ୍ ଇଜ୍ ଟୁ ୱାନ୍’ ଫର୍ମୁଲାରେ ଜନତା ପାର୍ଟି ବିରୋଧରେ ପ୍ରାର୍ଥୀ ଦେଇନଥିଲେ । ସେତେବେଳେ ଜଗଜୀବନ ରାମ ଦଳିତ ମତଦାତାମାନଙ୍କର ଜଣେ ବଡ଼ ନେତା ଥିଲେ । ସେ ଇନ୍ଦିରା ଗାନ୍ଧୀଙ୍କ ଦଳରୁ ଅଲଗା ହୋଇ କଂଗ୍ରେସ ଫର୍ ଡେମୋକ୍ରାସି ଗଠନ କରିଥିଲେ । ତାଙ୍କ ଦଳ ଜନତା ପାର୍ଟିର ଇସ୍ତାହାରରେ ନିର୍ବାଚନ ଲଢ଼ିଥିଲା ଏବଂ ସଂସଦରେ ଜନତା ପାର୍ଟିକୁ ମଧ୍ୟ ସମର୍ଥନ କରିଥିଲା ।
ବିରୋଧୀ ଭୋଟ ବିଭାଜନକୁ ଜନତା ପାର୍ଟି ବିରୋଧରେ ପ୍ରାର୍ଥୀ ନ ଦେବାକୁ ଏଡ଼ାଇବାକୁ ଜାନୁଆରୀ ୩୦, ୧୯୭୭ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଘୋଷରା କରିଥିଲା । କମ୍ୟୁନିଷ୍ଟ ପାର୍ଟିର ଏହି ଘୋଷଣା ସେହି ଆସନଗୁଡ଼ିକ ପାଇଁ ଥିଲା ଯେଉଁଠାରେ ସେମାନଙ୍କ ସମର୍ଥନ ଭିତ୍ତିଭୂମି ଦୁର୍ବଳ ଥିଲା ।
ସେହିଭଳି ଦକ୍ଷିଣ ଭାରତର ଅନେକ ରାଜ୍ୟରେ ଜନତା ପାର୍ଟି ସେଠାକାର ଆଞ୍ଚଳିକ ଦଳମାନଙ୍କ ସହ ସମନ୍ୱୟ ରକ୍ଷା କରି ନିର୍ବାଚନ ଲଢ଼ିଥିଲା । ଫଳରେ ଇନ୍ଦିରା ଗାନ୍ଧୀଙ୍କ କଂଗ୍ରେସ ଦଳ ୨୦୦ରୁ କମ୍ ଆସନରେ ବିଜୟୀ ହୋଇଥିଲା ।
୧୯୮୯ରେ ଭିପି ସିଂହ ସମାନ ଫର୍ମୁଲାରେ ରାଜୀବ ଗାନ୍ଧୀଙ୍କୁ ପରାସ୍ତ କରି ପ୍ରଧାନମନ୍ତ୍ରୀ ହୋଇଥିଲେ
୧୯୮୯ ଲୋକସଭା ନିର୍ବାଚନରେ ଦୁଇଟି ଜାତୀୟ ଦଳ ମଇଦାନକୁ ଓହ୍ଲାଇଥିଲେ । ଗୋଟିଏ ହେଉଛି କଂଗ୍ରେସ ଓ ଅନ୍ୟଟି ହେଉଛି ବିଜେପି । ଏହାସହ ଅନେକ ଦଳର ମେଣ୍ଟଦ୍ୱାରା ନ୍ୟାସନାଲ ଫ୍ରଣ୍ଟ ଗଠନ ହୋଇଥିଲା । ଏନ୍ ଟି ରାମା ରାଓ ଏହାର ସଭାପତି ଓ ଭିପି ସିଂହ ଆବାହକ ହୋଇଥିଲେ । ନ୍ୟାସନାଲ ଫ୍ରଣ୍ଟ ମୁଖ୍ୟତଃ ଜନତା ଦଳ ଏବଂ ଭାରତୀୟ କଂଗ୍ରେସ (ସମାଜବାଦୀ) ପାର୍ଟିକୁ ନେଇ ଗଠିତ ଥିଲା ।
ଆନ୍ଧ୍ରପ୍ରଦେଶରେ ଟିଡିପି, ତାମିଲନାଡୁରେ ଡିଏମକେ ଏବଂ ଆସାମରେ ଆସାମ ଗଣ ପରିଷଦ ନ୍ୟାସନାଲ ଫ୍ରଣ୍ଟର ନେତୃତ୍ୱ ନେଇଥିଲେ । ନ୍ୟାସନାଲ ଫ୍ରଣ୍ଟକୁ ମଧ୍ୟ ବାମପନ୍ଥୀ ସମର୍ଥନ କରିଥିଲା । ବାମପନ୍ଥୀ ନେତା ପି.ଉପେନ୍ଦ୍ର ଏହି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଥିଲେ ।
ଫଳରେ ୧୯୮୯ ଲୋକସଭା ନିର୍ବାଚନରେ ରାଜୀବ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସେମାନେ ମାତ୍ର ୧୯୭ଟି ଆସନ ପାଇଥିଲେ । ସେହିପରି ଭିପି ସିଂହଙ୍କ ନେତୃତ୍ୱାଧୀନ ଜନତା ଦଳ ୧୪୩ଟି ଆସନରେ ବିଜୟୀ ହୋଇଥିଲା । ନ୍ୟାସନାଲ ଫ୍ରଣ୍ଟର ବାକି ଦଳମାନେ କିଛି ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିନଥିଲେ, କିନ୍ତୁ ହଁ, ବିଜେପିକୁ ୮୫ ଟି ଆସନ ମିଳିଥିଲା । ଏହି ନିର୍ବାଚନରେ କଂଗ୍ରେସର ଭୋଟ୍ ପ୍ରତିଶତ ଥିଲା ୩୯.୫ପ୍ରତିଶତ । ସେହିପରି ୟୁନାଇଟେଡ୍ ଫ୍ରଣ୍ଟର ଭୋଟ ହାର ପ୍ରାୟ ୨୪ପ୍ରତିଶତ ଥିବାବେଳେ ବିଜେପିର ଭୋଟ୍ ପ୍ରତିଶତ ୧୧.୪ପ୍ରତିଶତ ଥିଲା । ତେବେ ବାକି ଦଳର ସମର୍ଥନରେ ନ୍ୟାସନାଲ ଫ୍ରଣ୍ଟ୍ ସରକାର ଗଠନ କରିବାରେ ସଫଳ ହୋଇଥିଲା । ସ୍ୱାଧୀନତା ପରେ ଦ୍ୱିତୀୟ ଥର ପାଇଁ ବିରୋଧୀ ଦଳରେ ବସିଥିଲା କଂଗ୍ରେସ ।
ବିଜେପି ୟୁନାଇଟେଡ୍ ଫ୍ରଣ୍ଟ ସରକାରକୁ ବାହାରୁ ସମର୍ଥନ କରିଥିଲା ଏବଂ ଭିପି ସିଂହ ସଂସଦରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦେବୀଲାଲଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଏହାପରେ ଦେବୀଲାଲ ନାଟକୀୟଭାବେ ମନା କରିଦେଇଥିଲେ ଏବଂ ପ୍ରଧାନମନ୍ତ୍ରୀ ପଦ ପାଇଁ ଭିପି ସିଂହଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଭିପି ସିଂହ ଦେଶର ସପ୍ତମ ପ୍ରଧାନମନ୍ତ୍ରୀ ଏବଂ ଦେବୀଲାଲ ଦେଶର ଦ୍ୱିତୀୟ ଉପପ୍ରଧାନମନ୍ତ୍ରୀ ହୋଇଥିଲେ ।