ଗଠନ ହେଲା ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’
ଓଡ଼ିଶା ରାଜନୀତିରେ ଏବେ ନୂଆ ସମୀକରଣ ସୃଷ୍ଟି ହୋଇଛି। ବିଜେଡ଼ିକୁ ଟକ୍କର ଦେବାକୁ ଏକାଠି ହେଉଛନ୍ତି ଦଳ। ଆଜି ଉଭା ହୋଇଛି ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’। ସମତାକ୍ରାନ୍ତି ଓ ଉତ୍କଳ ଭାରତ ମିଶି ଗଠନ ହୋଇଛି ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ । ପାର୍ଟି ପାଇଁ ନୁହେଁ, ମାଟି ପାଇଁ ଦଳ କାମ କରିବ ଏବଂ ନବୀନଙ୍କ ଦୁର୍ନୀତି ଭଷ୍ଟାଚାରକୁ ରୋକିବାକୁ ସାମ୍ମୁଖ୍ୟର ଲକ୍ଷ୍ୟ ରହିଛି । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉଭୟ ଦଳର ମୁଖ୍ୟ ବ୍ରଜ କିଶୋର ତ୍ରିପାଠୀ ଓ ଖାରବେଳ ସ୍ୱାଇଁ ।
ଏହି ପରିପ୍ରେକ୍ଷୀରେ ବ୍ରଜ ତ୍ରିପାଠୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ ସରକାର ଯୋଜନାରେ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି, ରାଜ୍ୟର ଦାବି ଠିକ୍ ଭାବରେ ନ କରି କେବଳ କେନ୍ଦ୍ର ନିକଟରେ ଅଭିଯୋଗ କରି ରହିଯାଉଛନ୍ତି । ସେହିପରି ଜରୁରୀ ପାଣ୍ଠିରୁ ୭୩୪ କୋଟି ଉଠାଇ ସାରିଲେଣୀ । ବିପର୍ଯ୍ୟୟ ସମୟରେ ଗୋଟିଏ ପଲିଥିନ୍ ବି ଦେଇ ପାରିବେ ନାହିଁ ଏବଂ ଏହା ସହିତ ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ବୋଲି କହିଛନ୍ତି । ଏ ଶାସନର ପରିବର୍ତ୍ତନ ପାଇଁ ଆମେ ଏକାଠି ହୋଇଛୁ । କର୍ଣ୍ଣାଟକ, ତ୍ରିପୁରା ଏବଂ ବିଭିନ୍ନ ରାଜ୍ୟରେ ବିଭିନ୍ନ ଦଳ ଏକାଠି ହୋଇ ଶାସନ କରୁଛନ୍ତି । ଓଡ଼ିଶାର ସ୍ୱାର୍ଥପାଇଁ ଏହି ସରକାର ବଦଳିବାକୁ ଚାହୁଁଥିବା ଲୋକଙ୍କୁ ସେ ଆମନ୍ତ୍ରଣ କରିଛନ୍ତି । ସେ ଅନ୍ୟ ଦଳକୁ ନୂତନ ସାମ୍ମୁଖ୍ୟରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ।
ତେବେ ଦାମ ରାଉତଙ୍କ ସହ କିଛି ଦିନ ପୂର୍ବରୁ ନୂଆ ଦଳ ଗଠନ ପାଇଁ କହିଥିବା ପ୍ରସଙ୍ଗକୁ ସେ ଖଣ୍ଡନ କରିଛନ୍ତି । ଦାମ ରାଉତ ନୂଆ ଦଳ ବିଜୁ ସମତାକ୍ରାନ୍ତି ଗଡ଼ିବାକୁ ଘୋଷଣା କରିଥିଲେ । କିନ୍ତୁ ଗଠନ କରି ନାହାଁନ୍ତି । ତେଣୁ ତାଙ୍କ ସହିତ ଯୋଗାଯୋଗ ଚାଲିଥିବା କହିଛନ୍ତି ।
ଖାରବେଳ ସ୍ୱାଇଁ କହିଛନ୍ତି, ୨୦୧୯ରେ ବିଜେଡିକୁ କ୍ଷମତାରୁ ଗାଦିଚ୍ୟୁତ କରିବା ଏହି ସାମ୍ମୁଖ୍ୟର ଲକ୍ଷ୍ୟ ହେବ। ସାମ୍ମୁଖ୍ୟ ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବ ଓ ବିଜୟୀ ହୋଇ ସରକାର ଗଢ଼ିବ ବୋଲି ଦାବି କରିଛନ୍ତି ଦୁଇ ନେତା। ନବୀନ ବିରୋଧୀଙ୍କୁ ଏକାଠି ହେବାକୁ ଆହ୍ବାନ କରିଛି ସାମ୍ମୁଖ୍ୟ। ସାମ୍ମୁଖ୍ୟ ଅଭିଯୋଗ କରିଛି, ବିଜେଡି ଓଡ଼ିଶାକୁ ଦରିଦ୍ରରୁ ଦରିଦ୍ର କରିଛି । ବିଭିନ୍ନ କ୍ଷେତ୍ରରେ ମାନବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉନାହାନ୍ତି । ଫଳରେ ଲୋକେ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଖଟିବାକୁ ଯାଉଛନ୍ତି ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସମତ୍ରାକ୍ରାନ୍ତି ଦଳର ସଭାପତି ପ୍ରଶାନ୍ତ କୁମାର ମିଶ୍ର, ଯୁବ ସଭାପତି ଶାରଦାପ୍ରସନ୍ନ ସ୍ୱାଇଁ, ସାଧାରଣ ସମ୍ପାଦକ ଦୀଗନ୍ତ ଦେ, ସମ୍ପାଦକ ପ୍ରଭାସ ସାମନ୍ତର ଏବଂ ଉତ୍କଳ ଭାରତର ଉପସଭାପତି ଲୋକନାଥ ଷଡ଼ଙ୍ଗୀ, ସମ୍ପାଦକ କାମିଲୁଦ୍ଦିନ ଅହମ୍ମଦ, ଦଳିତ ଉକ୍ରଳ ଭାରତର ରାଜ୍ୟ ସଭାପତି ଦିଲ୍ଲୀପ ମଲ୍ଲିକ, ରାଜ୍ୟ ଯୁବ ଉକ୍ରଳ ସଭାପତି ଜଗଦିଶ ପ୍ରଧାନ, ନାରୀ ଉକ୍ରଳ ଭାରତ ସଭାନେତ୍ରୀ ସାବିତ୍ରୀ ଜେନା, ବିଦ୍ୟାର୍ଥୀ ଉତ୍କଳ ଭାରତ ସଭାପତି ପ୍ରତ୍ୟୁଷ ନାୟକ ଆଦି ଉପସ୍ଥିତଥିଲେ ।












