#OdishaFightsCorona: ଜାଣନ୍ତୁ କେମିତି ହୁଏ କରୋନା ଟେଷ୍ଟିଂ

ଭୁବନେଶ୍ଵର, (ଓଟି): ମହାମାରୀ କରୋନା କାହାକୁ ବି ହୋଇପାରେ। ଏଥିରେ ବୟସ, ଜାତି, ଧର୍ମ ବା ସ୍ଥାନର କୌଣସି ସମ୍ପର୍କ ନାହିଁ। ପୁଣି ସଂକ୍ରମଣ ହେବା ପରେ ଆପଣଙ୍କ ପାଖରେ କାଶ, ଛିଙ୍କ ବା ଜ୍ବର ଏବଂ ନିଃଶ୍ଵାସ ନେବାରେ କଷ୍ଟ ହେବ ବୋଲି କିଛି କହି ହେବ ନାହିଁ। କାରଣ କୌଣସି ଲକ୍ଷଣ ନଥାଇବା ଆପଣ କରୋନା ଆକ୍ରାନ୍ତ ହୋଇପାରନ୍ତି ଆଉ ଆପଣ କରୋନା ବାହକ ହୋଇପାରନ୍ତି। ଓଡ଼ିଶାର ୮୦ ପ୍ରତିଶତ ରୋଗୀଙ୍କ ପାଖରେ ଏହା ସ୍ପଷ୍ଟ ହୋଇଛି। ପ୍ରଶ୍ନ ଉଠୁଛି ଆପଣଙ୍କୁ କରୋନା ହୋଇଛି ବୋଲି କିପରି ଜାଣିବେ?

ଉତ୍ତର ହେଲା କରୋନା ହୋଇଛି ବୋଲି ଆପଣ ସ୍ପଷ୍ଟ କରିପାରିବେ ନାହିଁ। କିନ୍ତୁ ଯଦି ଆପଣ କୌଣସି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି, ଏବଂ ଆପଣ ଆବଶ୍ୟକ ସତର୍କ ପଦକ୍ଷେପ ନେବା ପରେ ଶ୍ଵାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ବା ଆପଣଙ୍କ ନାକରୁ ପାଣି ବୋହୁଛି, କାଶ ହେଉଛି କିନ୍ତୁ କଫ ବାହାରୁନି ତେବେ ଆପଣ ସନ୍ଦେହ କରନ୍ତୁ ଯେ କରୋନା ଭୁତାଣୁ ଆପଣଙ୍କୁ ଆକ୍ରମଣ କରିଛି। ଏଥିଲାଗି ରାଜ୍ୟ ବା କେନ୍ଦ୍ର ସରକାରଙ୍କ କରୋନା ସହାୟକ ନମ୍ବରରେ ଯୋଗା ଯୋଗ କରନ୍ତୁ ଆଉ ସେମାନଙ୍କ ଉପଦେଶ ଅନୁସାରେ ଚାଲନ୍ତୁ। ନିଜ ଇଚ୍ଛା ଅନୁସାରେ କୌଣସି ଔଷଧ, ପରୀକ୍ଷଣ କରନ୍ତୁ ନାହିଁ କି ଡାକ୍ତରଖାନା ଯାଆନ୍ତୁ ନାହିଁ କାରଣ ଆପଣ ଅନ୍ୟମାନଙ୍କୁ ସଂକ୍ରମଣ କରିବାର ମୁଖ୍ୟ ଅସ୍ତ୍ର ହୋଇପାରନ୍ତି।

କରୋନା କ’ଣ

ଏଠି ଗୋଟିଏ ମୌଳିକ ଜିନିଷ ଜାଣିବା ଦରକାର ଯେ, କରୋନା କ’ଣ । କରୋନା ହେଉଛି ଏକ ଆର୍‌ଏନ୍‌ଏ ଭୁତାଣୁ। ଉଚ୍ଚ କ୍ଷମତାଶାଳୀ ମାଇକ୍ରୋସ୍କୋପରେ ଏହାର ଆକାର ମୁକୁଟ (କ୍ରାଉନ୍‌) ଭଳି ଦିଶେ ବୋଲି ଏହାର ନାଁ କରୋନା। ଏହି ଭୁତାଣୁ ମଣିଷ ଶରୀରରେ ଉତ୍କଟ ଶ୍ଵାସ ରୋଗ ସୃଷ୍ଟି କରେ। ଏହାକୁ ଡାକ୍ତରୀଭାଷାରେ ଆକ୍ୟୁଟ ରେସ୍ପିରେଟୋରୀ ଇଲ୍‌ନେସ୍‌ ବା ସଂକ୍ଷେପରେ ସାରୀ କୁହାଯାଏ। ଚୀନ୍‌ରେ ପ୍ରଥମେ ଏହି ଭୁତାଣୁକୁ ଆବିଷ୍କାର କରାଯାଇଥିଲା। ସେତେବେଳେ ଏହା ସିଭିୟର ଆକ୍ୟୁଟ୍‌ ରେସ୍ପିରେଟୋରୀ ସିଣ୍ଡ୍ରମ୍‌ (ସାର୍ସ) ସୃଷ୍ଟି କରିଥିଲା। ଏହାପରେ ଏହି ଭୁତାଣୁ ମିଡିଲ୍‌ ଇଷ୍ଟରେ ଦେଖା ଦେଇଥିଲା ଏବଂ ତାହାର ନାଁ ଥିଲା ମର୍ସ ( ମିଡିଲ୍‌ ଇଷ୍ଟ ରେସ୍ପିରେଟୋରୀ ସିଣ୍ଡ୍ରମ)। ଏହି ଦୁଇ ରୋଗ ମରାନ୍ତକ ଥିଲା। କିନ୍ତୁ ସଂକ୍ରମଣ ସ୍ତର କମ୍‌ ଥିଲା। ସେହି ପରିବାରର ଆଉ ଏକ ରୋଗ ହେଉଛି ନୋଭେଲ୍‌ କରୋନା ଯାହା କୋଭିଡ୍‌୧୯ ବା କରୋନା ଭାଇରସ୍‌ ଡିଜିଜ୍‌-୨୦୧୯ ଭାବେ ପରିଚିତ ହୋଇଛି।  ଏହା ଏକ ଅତ୍ୟନ୍ତ ସଂକ୍ରମଣ ରୋଗ। କିନ୍ତୁ କବେଳ ମଣିଷହିଁ ଏହାର ବାହକ ହୋଇପାରନ୍ତି। ସବୁ ବର୍ଗର ଜନସାଧାରଣଙ୍କୁ ଏହା ଆକ୍ରମନ୍ତ କରାଇପାରେ। ଏଥିରେ ଯଦିଓ ମୃତ୍ୟୁ ହାର ଅନ୍ୟ ଦୁଇ ରୋଗଠାରୁ କମ୍‌ କିନ୍ତୁ ଏହା ଏବେ ଏକ ବିଶ୍ଵ ମହାମାରୀ।

କେମିତି ହେବ ଟେଷ୍ଟ

ମନ ଭିତରେ ସବୁବେଳେ ଆଶଙ୍କା ଆସିବା ସ୍ଵଭାବିକ ଯେ, ମୁଁ କରୋନା ଆକ୍ରାନ୍ତ ନୁହେଁତ? କେଉଁଠି ପରୀକ୍ଷଣ କରି ନିଶ୍ଚିତ ହେବି? ହେଲେ ଭାରତ ସରକାରଙ୍କ ନିୟମାବଳୀ ଅନୁସାରେ ଆପଣ ସିଧାସଳଖ ପରୀକ୍ଷଣ କରିପାରିବେ ନାହିଁ। ଏଥିଲାଗି ସ୍ଵତନ୍ତ୍ର ଲାବୋରେଟୋରିରେ ଆପଣଙ୍କ ନମୁନା ପରୀକ୍ଷଣ ହୁଏ। ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ନିର୍ଦେଶକ ଡ. ସଂଘମିତ୍ରା ପତି ଏ ବାବଦରେ ବିସ୍ତଢତ ସୂଚନା ଦେଇଛନ୍ତି।

ନମୁନା: 

ଡ. ପତିଙ୍କ କହିବା ଅନୁସାରେ ସନ୍ଦିଗ୍ଧ କରୋନା ରୋଗୀଙ୍କ ବାବଦରେ ସଂକ୍ରମଣ ନିଶ୍ଚିତ କରିବାକୁ ହେଲେ ତାଙ୍କଠୁ ନମୁନା ସଂଗ୍ରହ କରାଯାଏ। ଏଡି ନମୁନା ନାକ ଓ ଗଳାରୁ ସଂକ୍ରହ କରାଯାଏ। ଏଥିଲାଗି ସ୍ଵତନ୍ତ୍ର ସ୍ଵାବ୍‌ ସଂଗ୍ରହ କାଠି ବ୍ୟବହାର କରାଯାଏ। ପୁଣି ଯେଉଁ ଲୋକ ଏହାକୁ ସଂକ୍ରହ କରିବ ସେ ନିଜକୁ ସଂକ୍ରମଣରୁ ରକ୍ଷା କରିବା ଲାଗି ଆପାଦ ମସ୍ତକ ଆବଶ୍ୟକ ପିପିଇ ବା ଘୋଡ଼ଣୀରେ ଢାଙ୍କି ହେବା ଆବଶ୍ୟକ। ସେହି ସ୍ଵାବ୍‌ ସାମ୍ପଲ୍‌କୁ ତିନି ପରସ୍ତ ସୁରକ୍ଷା ଡିବାରେ ଭର୍ତ୍ତି କରି ଥଣ୍ଡା ଡିବାରେ ପରୀକ୍ଷାଗାରକୁ ଅଣାଯାଇଥାଏ।

ପରୀକ୍ଷାଗାରରେ ନିର୍ଦ୍ଧାରିତ ବୈଜ୍ଞାନିକ ଏହାବୁ ବିଶୋଧନ କଲା ପରେ ଖୋଲନ୍ତି ଓ ସଙ୍ଗେ ସଙ୍ଗେ ସେଥିରେ ଥିବା ଭୁତାଣୁକୁ ରିଏଜେଣ୍ଟ ଦେଇ ନିଷ୍କ୍ରିୟ କରାଇଥାଆନ୍ତି। ଏହି ସମୟରେ ସମ୍ପୃକ୍ତ ବୈଜ୍ଞାନିକ ବା ଡାକ୍ତର ବି ଆବଶ୍ୟକ ସୁରକ୍ଷା କବଚ ଆପାଦ ମସ୍ତକ ଢାଙ୍କି ଥାଆନ୍ତି। ସେହି ଲ୍ୟାବ୍‌ ବାୟୋ ସେଫ୍ଟି ଷ୍ଟାଣ୍ଡାର୍ଡ଼ ରକ୍ଷା କରାଯାଇଥାଏ।

ଏହାପରେ ସମ୍ପୃକ୍ତ ନମୁନାରୁ ଆର୍‌ଏନ୍‌ଏ କଢ଼ାଯାଏ। ଏଥିଲାଗି ସ୍ଵତନ୍ତ୍ର କିଟ୍‌ ବ୍ୟବହାର କରାଯାଇଥାଏ। ତା’ପରେ ଆର୍‌ଟି-ପିସିଆର ( ରିଭର୍ସ ଟ୍ରାନ୍ସକ୍ରିପ୍ସନ୍‌ ପଲିମରେଜ୍‌ ଚେନ୍‌ ରିଆକ୍ସନ୍‌) ପରୀକ୍ଷଣ କରାଯାଇ ସେଥିରେ ଥିବା ଭୁତାଣୁକୁ ଚିହ୍ନଟ କରାଯାଏ। ଏଥିଲାଗି ପ୍ରାୟ ୪ ଘଣ୍ଟା ସମୟ ଲାଗେ। ପୁଣି ଯଦି ଭୁତାଣୁ ପଜିଟିଭ୍‌ ଆସିଲା ତେବେ ତାହାକୁ ପୁଣିଥରେ ପରୀକ୍ଷଣ କରାଯାଏ। ଏଥିଲାଗି ଦେଢ଼ରୁ ଦୁଇଘଣ୍ଟା ସମୟ ଲାଗେ।  ଏଣୁ ଗୋଟିଏ ନମୁନା ଲ୍ୟାବ୍‌କୁ ଆସିବା ପରେ ପରୀକ୍ଷା କରି ରିପୋର୍ଟ ଦେବା ଲାଗି ୧୦ ଘଣ୍ଟା ସମୟ ଲାଗେ ବୋଲି ଡା. ପତି କହିଛନ୍ତି।

ଓଡ଼ିଶାରେ ପରୀକ୍ଷଣ ବ୍ୟବସ୍ଥା

ଓଡ଼ିଶାରେ ପରୀକ୍ଷଣ ପାଇଁ ଏବେ ୩ଟି ଲ୍ୟାବ୍‌ କାମ କରୁଛି। ସେଥିରୁ ସବୁଠାରୁ ବଡ଼ ହେଲା ଭୁବନେଶ୍ଵରର ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର । ଏହି କେନ୍ଦ୍ରରେ ଏବେ ଦିନକୁ ୩୫୦ ସାମ୍ପଲ୍‌ ପରୀକ୍ଷଣ ପାଇଁ କ୍ଷମତା ରହିଛ। ଏହି ସଂଖ୍ୟା ଆସନ୍ତା କିଛିଦିନ ଭିତରେ ୧୦୦୦ରେ ପହଞ୍ଚିବ। ଆବଶ୍ୟକ ପଡ଼ିଲେ ଏହି ଲାବ୍‌ ଦିନକୁ ୧୩୫୦ ନମୁନା ପରୀକ୍ଷଣ କରିବାକୁ ସକ୍ଷମ ହେବ।

ଠିକ୍‌ ସେହିପରି ଭୁବନେଶ୍ଵରର ଏମ୍ସରେ ୭୫ଟି ଏବଂ କଟକ ଏସ୍‌ସିବିରେ ୫୦ଟି ନମୁନା ଦିନକୁ ଆର୍‌ଟି-ପିସିଆର ପଦ୍ଧତ୍ତିରେ ପରୀକ୍ଷା କରିବାକୁ ସକ୍ଷମ।

ଦ୍ରୁତ ପରୀକ୍ଷଣ 

ଏବେ ଦେଶରେ ଯେତିକି ପରୀକ୍ଷା କରାଯାଉଛି ତାହାର ମାତ୍ର ୪.୪୨ ପ୍ରତିଶତ କରୋନା ପଜିଟିଭ୍‌ ବାହାରୁଛନ୍ତି। ରାଜ୍ୟରେ ଏହି ହାର୧.୪୭ ପ୍ରତିଶତ ରହିଛି।  ଯେହେତୁ ନେଗେଟିଭ୍‌ ସଂଖ୍ୟା ଅଧିକ ରହିଛି ଏବଂ ଦେଶରେ ଅଧିକ ଟେଷ୍ଟ ପାଇଁ ଆଗ୍ରହ ବଢ଼ୁଛଇ ସେଥିଲାଗି ସରକାର ଏହି ଦ୍ରୁତ ପରୀକ୍ଷଣ ପାଇଁ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ନିକଟ ଭବିଷ୍ୟତରେ ୨ ଲକ୍ଷ ସନ୍ଦିଗ୍ଧଙ୍କ ଦ୍ରୁତ ପରୀକ୍ଷଣ କରାଯିବାକୁ ପ୍ରସ୍ତୁତି ହୋଇଛି।

ରାଜ୍ୟ ସରକାର ବର୍ତ୍ତମାନର ପରିସ୍ଥିତିକୁ ସମୀକ୍ଷା କରି ଦ୍ରୁତ ପରୀକ୍ଷଣ ପାଇ ବ୍ୟବସ୍ଥା କରିଛନ୍ତି। ଏହା ଆଉ କିଛିଦିନ ଭିତରେ ଆରମ୍ଭ ହେବ ବୋଲି ମେଡିକାଲ୍‌ ଶିକ୍ଷା ଓ ତାଲିମ୍‌ ନିର୍ଦେଶକ ଡା. ସିବିକେ ମହାନ୍ତି କହିଛନ୍ତି। ଏହି ପରୀକ୍ଷଣ ଯଦିଓ ଭରସା ଯୋଗ୍ୟ ନୁହେଁ କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ରୋଗୀଙ୍କୁ ଅଳ୍ପ ସମୟ ଭିତରେ ଚିହ୍ନଟ କରିବାକୁ ସକ୍ଷମ। ଏହି ପରୀକ୍ଷାରେ ଯେଉଁମାନେ ପଜିଟିଭ୍‌ ଆସିବେ ସେମାନଙ୍କର ସ୍ଵାବ୍‌ ସାମ୍ପଲ୍‌ ପୁଣିଥରେ ପରୀକ୍ଷଣ କରାଯିବ।

ସରକାର ଦେଶୀୟ କମ୍ପାନୀ ମାଇଲ୍ୟାବ୍‌ କିଟ୍‌ ଏଥିଲାଗି କିଣିଛନ୍ତି। ଏହା ରାଜ୍ୟରେ ପହଞ୍ଚିଛି। ବିଶେଷକରି ରାଜ୍ୟରେ ଯେଉଁମାନେ ଆଶଙ୍କା ଭିତରେ କ୍ଵାରେଣ୍ଟାଇନ୍‌ ହୋଇ ରହିଛନ୍ତି, ଶ୍ରମିକ ମାନେ ଲକ୍‌ଡାଉନ୍‌ ଖୋଲିଲେ ରାଜ୍ୟକୁ ଆସିବେ ବୋଲି ଆସିଛନ୍ତି ସେମାନେ ସଂକ୍ରମିତ କି ନା ତାହା ଜାଣିବା ଲାଗି ଏହି ପରୀକ୍ଷା କରାଯିବ ।

ଅଧିକ ପଢ଼ିବାକୁ କ୍ଲିକ୍‌ କରନ୍ତୁ 

କୋଭିଡ୍‌ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀଙ୍କ ପରାମର୍ଶ, ପୋକଡ଼ା ବାଇଗଣ ଖାଅ

ମହାପ୍ରଭୁଙ୍କ କୃପାରୁ ଟଳିଯିବ ବିପଦ: ଗଜପତି ମହାରାଜା

 ପ୍ରକାଶ ପାଇଲା ୪ କରୋନା ରୋଗୀଙ୍କ ବିବରଣୀ

 

 

Leave a Reply

Your email address will not be published.