#OdishaFightsCorona: ରାଜ୍ୟ ସ୍ଵାସ୍ଥ୍ୟବିଭାଗ ଜାରିକଲା କରୋନା ଚିତ୍ର, ଜାଣନ୍ତୁ କେଉଁଠି କେତେଜଣ
ଭୁବନେଶ୍ଵର, (ଓଟି): ଓଡ଼ିଶାର କେଉଁ ଅଞ୍ଚଳରେ କେତେ କରୋନା ରୋଗୀ ରହିଛନଦ୍ତି ତାହାର ଏକ ଚିତ୍ର ଦେଇଛି ରଜ୍ୟ ସ୍ଵାସ୍ଥ୍ୟ ବିଭାଗ। ପୁଣି ଟ୍ବିଟର ଦ୍ଵାରା ଜଣାଇଛନ୍ତି ଯେ, ଯଦି କୌଣସି ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣର ଆଶଙ୍କା ଥାଏ ତେବେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରାଯିବା ସହ ସେଠାରେ ବିଶୋଧନ ପ୍ରକ୍ରିୟା ଜାରି ରହେ। ଲୋକଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇବା ସହ ବାହାର ଲୋକଙ୍କ ଯିବା ଆସିବା ଉପରେ ବାରଣ ଲଗାଯାଏ। ଏହାଦ୍ଵାରା ଆକ୍ଟିଭ୍ ସର୍ଭିଲାନ୍ସ ଏବଂ ସମ୍ପର୍କ ଚିହ୍ନଟ ସମ୍ଭବ ହୋଇଥାଏ ବୋଲି ସ୍ଵାସ୍ଥ୍ୟ ବିଭାଗ ଜଣାଇଛନ୍ତି।
ଜାରି ହୋଇଥିବା ମାନଚିତ୍ରରେ ଦର୍ଶାଯାଇଛି ଯେ, ଆଜି ଅପରାହ୍ଣ ସୁଦ୍ଧା କୌଣସି କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇ ନାହିଁ। ଫଳରେ ମୋଟ୍ ରୋଗୀଙ୍କ ସଂଖ୍ୟା ୪୨ରହିଛି। ସେଥିରୁ ଦୁଇଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।
ଏହି ମାନଚିତ୍ରରେ ଜିଲ୍ଲା ଅନୁସାରେ କରୋନା ରୋଗୀଙ୍କ ଉପସ୍ଥିତି ଦର୍ଶାଯାଇଛି। ଖୋର୍ଦ୍ଧାଜିଲ୍ଲା ବିଶେଷକରି ଭୁବନେଶ୍ଵର ଏହି ଚିତ୍ରରେ ସବୁଠାରୁ ଖରାପ ପ୍ରଭାବିତ। ଏଠାରେ ୩୪ ରୋଗୀ ରହିଛନ୍ତି। ପୁଣି ଭୁବନେଶ୍ଵରର କେଉଁଠି କେତେ କରୋନା ରୋଗୀ ରହିଛନ୍ତି ତାହାକୁ ପ୍ରଶାସନ ପକ୍ଷରୁ ଦର୍ଶାଯାଇଛି। ସେ ରିପୋର୍ଟ ପଢ଼ିବାକୁ ଏଠାରେ କ୍ଲିକ୍ କରନ୍ତୁ।
ରାଜ୍ୟର ଦ୍ଵିତୀୟ ପ୍ରଭାବିତ ଜିଲ୍ଲା ହେଉଛି ଭଦ୍ରକ। ଏଠାରେ ତିନିଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେହିପରି କଳାହାଣ୍ଡି, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର, କଟକରେ ଜଣେ ଲେଖାଏଁ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କର ରାଜ୍ୟ ବା ଦେଶ ବାହାର ଯାତ୍ରା ବା ସମ୍ପର୍କ ସ୍ପଷ୍ଟ ହୋଇଛି। ସରକାର ସେ ଅଞ୍ଚଳରେ ଆବଶ୍ୟକ ଅବରୋଧ ପଦକ୍ଷେପ ଗ୍ରହଣ କରୁଛନ୍ତି।