#OdishaFightsCorona: ଖବରକାଗଜ ଅଫିସ୍‌ରେ କରୋନା ଆତଙ୍କ

ଭୁବନେଶ୍ଵର, (ଓଟି): ଭୁବନେଶ୍ଵରର ଏକ ଖବରକାଗଜ ଅଫିସରେ କରୋନା ସଂକ୍ରମଣ ଭୟ ଖେଳିଛି। ନିକଟରେ ଭୁବନେଶ୍ଵର ୟୁନିଟ୍‌-୪ ଅଞ୍ଚଳରୁ ଜଣେ ପଜିଟିଭ୍‌ ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଏହି ଆଶଙ୍କା ଜୋରଦାର ହୋଇଛି। କାରଣ ହେଲା ସମ୍ପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ଏହି କର୍ମଚାରୀମାନେ ଆସିଥିବାର ଆଶଙ୍କା ରହିଛି। ହେଲେ ତାହାକୁ କେହି ଜଣାଇବାର ସାହସ କରୁନାହାନ୍ତି। ଅନ୍ୟପକ୍ଷରେ କାହାର କିଛି ଲକ୍ଷଣ ଦେଖାଯାଉ ନଥିବାରୁ ଭୟ କରିବା ଆବଶ୍ୟକ ନୁହେଁ ବୋଲି ସମ୍ପୃକ୍ତ ଖବରକାଗଜର ପରିଚାଳନା ବିଭାଗ କର୍ମଚାରୀଙ୍କୁ ଆଶ୍ଵାସନା ଦେଉଛନ୍ତି । ହେଲେ ବିନା ଲକ୍ଷଣରେ ବି କୌଣସି ବ୍ୟକ୍ତି କରୋନା ପଜିଟିଭ୍‌ ହୋଇପାରନ୍ତି ଏବଂ ସେ ନୀରବରେ ଭୁତାଣୁ ବାହକ ହୋଇପାରନ୍ତି ବୋଲି ସ୍ଵାସ୍ଥ୍ୟ ବିଭାଗର ନିୟମାବଳୀ ସ୍ପଷ୍ଟ କରୁଛି।

ଏହି ଖବରକାଗଜ ଅଫିସ ମଞ୍ଚେଶ୍ଵର ଅଞ୍ଚଳରେ ଅବସ୍ଥିତ। ଯଦିଓ ରାଜ୍ୟର କିଛି ପ୍ରମୁଖ ଖବରକାଗଜ ଏବେ ବଣ୍ଟନ ସମସ୍ୟା ହେତୁ ଛାପୁ ନାହାନ୍ତି କିନ୍ତୁ ଏଠାରେ କିଛି ଛପା ହେଉଥିବା ସୂଚନା ମିଳିଛି। ଏଣୁ ଏଠାରେ ପ୍ରିଣ୍ଟିଂ ଷ୍ଟାଫଙ୍କଠୁ ଆରମ୍ଭ କରି ସାମ୍ବାଦିକଙ୍କ ଯାଏ ସମସ୍ତେ ଚଳପ୍ରଚଳ କରନ୍ତି। ଯେତେବେଳେ ଏହି ବିଷୟ ଅଫିସରେ ସୂଚନା ମିଳିଥିଲା ସଙ୍ଗେ ସଙ୍ଗେ କିଛି କର୍ମଚାରୀ କର୍ତ୍ତୃପକ୍ଷଙ୍କୁ ଜଣାଇଲେ । ହେଲେ ଏହି ଖବର ବାହାରେ ଯେମିତି ପ୍ରକାଶ ନହୁଏ ସେଥିଲାଗି ଧ୍ୟାନ ଦେବା ଲାଗି ତାଙ୍କୁ କୁହାଯାଇଥିଲା। ପରେ ସେମାନଙ୍କୁ ଛୁଟି ବି ଦିଆଯାଇଥିଲା। ଅଫିସରେ କିଛି ୬୦ ବର୍ଷରୁ ଅଧିକ ବ୍ୟକ୍ତି ବି କର୍ମଚାରୀ ଭାବେ କାର୍ଯ୍ୟରତ।

ମିଳିଥିବା ଖବର ଅନୁସାରେ ସମ୍ପୃକ୍ତ ଖବରକାଗଜ ପରିଚାଳନା ସଂସ୍ଥାର ଅନ୍ୟ ବ୍ୟବସାୟରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ତାଙ୍କ ଅଫିସ ବନ୍ଦ ଥିବା ବେଳେ ଖବରକାଗଜ ଗାଡ଼ି ଓ ଡ୍ରାଇଭରଙ୍କୁ ନେଇ ବୁଲୁଥିଲେ। ସେତେବେଳେ ଡ୍ରାଇଭର ତାଙ୍କ ସଂସ୍ପର୍ଶରେ ଆସିଥିଲେ। ଏହି ଡ୍ରାଇଭର ଅଫିସରେ ରହୁଛନ୍ତି। ଅବଶ୍ୟ ତାଙ୍କ ପାଖରେ କୌଣସି  ଲକ୍ଷଣ ଏଯାଏ ଦେଖିବାକୁ ମିଳି ନାହିଁ।

Leave a Reply

Your email address will not be published. Required fields are marked *