#OdishaFightsCorona ମାସ୍କ ପଛର ରାଜ୍
ଭୁବନେଶ୍ଵର, (ଓଟି): ରାଜ୍ୟ ସରକାର ଗୁରୁବାର ସକାଳ ୭ଟାରୁ ରାଜ୍ୟବାସୀଙ୍କ ପାଇଁ ମୁହଁ ଏବଂ ନାକ ଘୋଡ଼ାଇବାକୁ ମାସ୍କ ବାଧ୍ୟତାମୂଳକ କରିଛନ୍ତି। ଏହା ସତ ଯେ, ଏହି ମାସ୍କ କେବଳ ମେଡିସିନ୍ ଦୋକାନରେ ମିଳୁଥିବା ମାସ୍କ ହେବା ଦରକାର ତାହା ନୁହେଁ। ଏହା ଯେକୌଣସି କପଡ଼ାକୁ ଅତିକମ୍ରେ ଦୁଇପରସ୍ତ କରି ତିଆରି କରିପାରିବେ। ତେବେ କିଛିଦିନ ତଳେ ସୁସ୍ଥ ଲୋକ ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି ମନ୍ତବ୍ୟ ଦେଉଥିବା ସରକାର ଆଜି ହଠାତ୍ କାହିଁକି ମାସ୍କ ପିନ୍ଧିବାକୁ ବାଧ୍ୟ କରିଛନ୍ତି? ପୁଣି ମାସ୍କ ନପିନ୍ଧିଲେ କିଛି ସ୍ଥାନରେ ୫୦୦ ଟଙ୍କା ଲେଖାଏଁ ଜୋରିମାନା ଦେବା ପାଇଁ ବ୍ୟବସ୍ଥା କରିଛନ୍ତି? ପୁଣି ସବୁ ସମୟରେ କରୋନା କାବୁ କରିବାର ନିଷ୍ପତ୍ତି ହଠାତ୍ ଉପଯୋଗ ହେଉଥିବାବେଳେ ମାସ୍କ ପିନ୍ଧିବା ଲାଗି ଲୋକଙ୍କୁ ପ୍ରସ୍ତୁତି ହେବାକୁ ଦୁଇଦିନ ସମୟ କାହିଁକି ଦିଆଗଲା? ଏହି ଦୁଇଦିନରେ କ’ ଭୁତାଣୁ ସଂକ୍ରମଣ ହେବ ନାହିଁ ବୋଲି ସରକରେ ଜାଣିଥିଲେ?
ମାସ୍କର କାମ କ’ଣ?
ପ୍ରଥମେ ଆମେ ଜାଣିବା ଦରକାର ଯେ, ମାସ୍କ ଆମକୁ କି ସାହାଯ୍ୟ କରେ। ମାସ୍କ ସାଧାରଣତଃ ଆମକୁ ନାକ ଓ ପାଟିକୁ ଘୋଡ଼ାଇ ରଖେ। ଆମ ଭିତରୁ କୌଣସି ବର୍ଯ୍ୟ ଡ୍ରପ୍ଲେଟ୍ ଛିଙ୍କ, କାଶ ସମୟରେ ଅନିୟନ୍ତ୍ରିତ ଭାବେ ବାହାରକୁ ନଆସିବାକୁ ସାହାଯ୍ୟ କରିଥାଏ। ଏହି ମାସ୍କ ଦ୍ଵାରା ଆମେ କେତେ ସୁରକ୍ଷିତ ରହିବା ତାହା ଦୂରର କଥା ଅନ୍ୟ ବ୍ୟକ୍ତିକୁ ସଂକ୍ରମଣରୁ ଦୂରରେ ରଖିବା ଏହାର କାର୍ଯ୍ୟ।
ଅପରପକ୍ଷେ ଦେଖିଲେ ଆମେ କିଏ ସୁସ୍ଥ କିଏ ଅସୁସ୍ଥ ତାହା ଜାଣିନାହୁଁ। ଏପରିକି ଜଣେ ସୁସ୍ଥ ଜଣାପଡ଼ୁଥିବା ବ୍ୟକ୍ତି ବି କରୋନା ଭୟଙ୍କର ମହାମାରୀର ଜଡ଼କୁ ଧରି ବୁଲୁଥାଇପାରନ୍ତି। ଏଣୁ ଏପରି ଏକ ମହାମାରୀକୁ ସ୍ଥାନୀୟ ଅଞ୍ଚଳରେ ଅଜାଣତରେ ଅନ୍ୟ ଦେହକୁ ସଂକ୍ରମିତ ନକରିବା ଲାଗି ଏହା ଆବଶ୍ୟକ ହୋଇପାରେ।
ଭାରତୀୟ ସଂସ୍କୃତି
ଆମ ସଂସ୍କୃତିରେ ମାସ୍କର ବ୍ୟବହାର କେବେଠୁ ରହି ଆସିଛି। ଅବଶ୍ୟ ତାହା ଅପରେସନ୍ ଥିଏଟରରେ ଡାକ୍ତର ପିନ୍ଧୁଥିବା ମାସ୍କ ଭଳି ନୁହେଁ, ବରଂ କୌଣସି ନା କୌଣସି ଉପାୟରେ ଆମେ ମୁହଁ ନାକକୁ ଢାଙ୍କି ଚାଲିବାର ଅଭ୍ୟାସ ରଖି ଆସିଛୁ। ପୁରୁଷମାନେ ଗାମୁଛା ଓ ମହିଳାମାନେ ମୁହଁରେ କାନୀ, ବା ଓଢ଼ଣୀକୁ ଘୋଡ଼ାଇ ସାଧାରଣତଃ ବାହାରକୁ ଆସିଥାଆନ୍ତି। ଏପରିକି କିଛି ନଥିଲେ ମୁହଁ ଆଗରେ ହାତ ରଖି ବଡ଼ ଲୋକଙ୍କ ଆଗରେ କଥା କହିବାର ପରମ୍ପରା ରହି ଥିଲା। କିନ୍ତୁ ଧୀରେ ଧୀରେ ତାହାର ପରିବର୍ତ୍ତନ ହୋଇଛି। ଗାମୁଛାଟି ରୁମାଲ୍ ଆଉ କାନୀ, ଓଢ଼ଣୀଟି ଦୁପଟ୍ଟାରେ ବଦଳିଛି।
ଏହା ସୁରକ୍ଷିତ
ପ୍ରଶ୍ନ ହେଉଛି ତାହା କେତେ ସ୍ଵାସ୍ଥ୍ୟକର? ଏ ପ୍ରଶ୍ନର ଉତ୍ତର ସେତିକିବେଳେ ଅବଶ୍ୟ ସ୍ଵାସ୍ଥ୍ୟକର ବୋଲି କୁହାଯିବ, ଯେତେବେଳେ ଏହି ଗାମୁଛା, କପଡ଼ା ବା ମାସ୍କକୁ ଆମେ ଗୋଟିଏ ବ୍ୟବହାର ପରେ ଧୋଇବା। ଆମେ ସେଥିରେ ଆଉ ହାତ ଲଗାଇବା ନାହିଁ। ପୁଣି ତା ଦେହରେ ବାରମ୍ବାର ହାତ ଲଗାଇ ସେ ହାତକୁ ଆଖିରେ ଲଗାଇବା ଏବଂ ଖାଦ୍ୟ ପଦାର୍ଥ ଧରିବାରୁ ନିବୃତ୍ତ ରହିବା।
ହେଲେ ଏହି ପ୍ରଥାରୁ ଆମ ଲୋକେ ସମ୍ପୂଣ୍ଣ ଅଲଗା। କଫ ଛିଙ୍କକୁ ସେମାନେ ବାହାରେ ନପକାଇପାରନ୍ତି କିନ୍ତୁ ତାଦ୍ଵାରା ଅଧିକ ସଂକ୍ରମିତ ହେବାର ଆଶଙ୍କା ରଖନ୍ତି। ଏ ବିଷୟକୁ ମଧ୍ୟ ଜନସାଧାରଣ, ସରକାରୀ କଳ ବୁଝିବା ଜରୁରୀ।
ଏବେ ମୂଳ ପ୍ରଶ୍ନ। ଏବେ ତାହା ବାଧ୍ୟାତାମୂଳକ କାହିଁକି। ଓଡ଼ିଶା ଟାଇମ୍ର ଅନୁଶୀଳନ ଅନୁସାରେ ଦୁଇଟି କାରଣ ଏଥିରେ ପ୍ରଯୁଜ୍ୟ ହୋଇପାରେ। ଗୋଟିଏ ହେଉଛି
- ଲକ୍ଡାଉନ୍ ଉଠିବାର ସମ୍ଭାବନା ରହିଛି ଅଥବା
- ଚୀନରୁ ଆସିଥିବା ମାସ୍କ ବିକ୍ରି ପାଇଁ ଚିନ୍ତା
ପ୍ରଥମ କାରଣକୁ ଟିକେ ଅଧିକ ବିସ୍ତାର କରିବା।
ଭାରତ ସରକାର ଏଯାଏ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିନାହାନ୍ତି। ଯାହା ପୂର୍ବରୁ ଓଡ଼ିଶା ସରକାର କହିଥିଲେ ଯେ, ପୀଡ଼ିତ ବ୍ୟକ୍ତି, ଡାକ୍ତର ବା ଡାକ୍ତରଖାନା ଯାଉଥିବା ବ୍ୟକ୍ତି ମାସ୍କ ପିନ୍ଧନ୍ତୁ ସମସ୍ତେ ନୁହଁ, ଠିକ୍ ସେହିପରି ଏବେ ବି ଭାରତ ସରକାର ତାହା ହିଁ କହୁଛନ୍ତି। ଏବେ କୋଭିଡ୍-୧୯ ସଚେତନତା ବାର୍ତ୍ତାକୁ ଦେଖିଲେ ତାହା ସ୍ପଷ୍ଟ ହୁଏ। ଏଣୁ ଓଡ଼ିଶାରେ ଯେହେତୁ ଏ ବିଷୟକୁ ଆଗତୁରା ଲାଗୁ କରାଯାଇଛି, ସେ କ୍ଷେତ୍ରରେ ଆମେ ସମ୍ଭାବନାକୁ ହିଁ ଗ୍ରହଣ କରିବା। କାରଣ ଓଡ଼ିଶା ସରକାର କୋଭିଡ୍ ପରିଚାଳନା କ୍ଷେତ୍ରରେ କଠୋର ପଦକ୍ଷେପ ନେବାରେ ସବୁବେଳେ ଆଗୁଆ ରହିଛନ୍ତି। କୋଭିଡ୍୧୯ ନିୟମାବଳୀ ଅନୁସାରେ ଲକ୍ଡାଉନ୍, ସିଲ୍ ପ୍ରଭୃତି କଠୋର ପଦକ୍ଷେପ ସହ ସ୍ଵତନ୍ତ୍ର ହସ୍ପିଟାଲ୍ ନିର୍ମାଣ ପ୍ରଭୃତି ଏଥିରେ ଅନ୍ତର୍ଭୁକ୍ତ। ଏବେ ତ ଟେଲିମେଡିସିନ୍ ବ୍ୟବସ୍ଥା ବି ଆଜିଠୁ ଆରମ୍ଭ କରିବାକୁ ଯାଉଛନ୍ତି।
ଏଣୁ ମାସ୍କ ପାଇଁ ଯେଉଁ ବିଧି ଅଣାଯାଇଛି ତାହା ବି ଉଲ୍ଲେଖନୀୟ। ଏହା ଲକ୍ଡାଉନ୍ ସମାପ୍ତିର ସମ୍ଭାବନା ଦେଉଛି। କାରଣ ଲୋକେ ଘରେ ଥିବାବେଳେ ମାସ୍କ ଜରୁରୀ ନୁହେଁ। ଯେତେବେଳେ ଲୋକେ ଘରୁ ବାହାରକୁ ଆସୁଛନ୍ତି ସେତେବେଳେ ସମସ୍ତେ ମାସ୍କ ପିନ୍ଧିଲେ ତାହା ସମସ୍ତଙ୍କ ପାଇଁ ସୁରକ୍ଷିତ ବୋଲି ୟୁରୋପୀୟ ଦେଶମାନେ ବିଶେଷ ଭାବେ ଆକଳନ କରିଛନ୍ତି। ଅଷ୍ଟ୍ରିୟା ପରେ ଦେଶରେ ଏହା ବାଧ୍ୟତାମୂଳକ କରାଯାଇଛି। ଏଣୁ ଆମେ ଆଶା କରିପାରିବା ଯେ ଏପ୍ରି୧୪ ତାରିଖ ପରେ ଆଉ ଲକ୍ଡାଉନ୍ ସମ୍ପ୍ରସାରିତ ହେବ ନାହିଁ।
ମାସ୍କ ବିକ୍ରି ଚିନ୍ତା
ଦ୍ଵିତୀୟ ଆଶଙ୍କିତ କାରଣରେ ସମ୍ପୂଣ୍ଣ ବ୍ୟବସାୟ ଅନ୍ତର୍ଭୁକ୍ତ। ନିକଟରେ ଅର୍ଥାତ୍ ମାର୍ଚ ୨୮ ତାରିଖରେ ଚୀନ୍ରୁ ଆସିଥିବା ମେଡିକାଲ୍ ସାମଗ୍ରୀ ଓଡ଼ିଶାକୁ ଏୟାର ଇଣ୍ଡିଆର କାର୍ଗୋ ନେଇ ପହଞ୍ଚଇଛି। ଏଥିରେ ମେଡିକାଲ୍ ସାମଗ୍ରୀ, କରୋନା ଟେଷ୍ଟିଂ କିଟ୍, ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ପାଇଁ ପର୍ସନାଲ୍ ପ୍ରୋଟେକ୍ଟିଭ୍ କିଟ୍, ମାସ୍କ ଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଭାରତକୁ ଆସିଥିବା ଏହି ସାମଗ୍ରୀ ଭିତରୁ ୨୧ ଟନ୍ର ସାମଗ୍ରୀ ଓଡ଼ିଶାରେ ପହଞ୍ଚିଛି। ଏଥିରେ ସର୍ଜିକାଲ୍ ମାସ୍କ ସହ ଏନ୍୯୫ ମାସ୍କ ବି ରହିଛି। ଏହା ବାଦ୍ ଦେଶର ବିଭିନ୍ନ କୋଣରୁ ମେଡିକାଲ୍ ସାମଗ୍ରୀ ସପ୍ଲାୟରମାନେ ବିଭିନ୍ନ ଦୋକାନକୁ ମାସ୍କ ଯୋଗଉଛନ୍ତି। ଏଗୁଡ଼ିକୁ କେମିତି ବିକ୍ରି କରାଯିବ ସେ ନେଇ ବି ପ୍ରସ୍ତୁତି ଆବଶ୍ୟକ। ବଜାରରେ ଚାହିଦା ସୃଷ୍ଟି ହେଲେ ତାହା ବିକ୍ରି ହୋଇପାରେ। ଏଣୁ ଏଥିରେ ବ୍ୟବସାୟିକ ଉଦ୍ଦେଶ୍ୟ ରହିଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି।
ମାସ୍କ ଚ୍ୟାଲେଞ୍ଜ
ଆମେରିକା ଭଳି ରାଷ୍ଟ୍ରରେ ଏଯାଏ ମାସ୍କ ବାଧ୍ୟତାମୂଳକ ହୋଇ ନାହିଁ । ସେଠାରେ ଲୋକେ ଘର ରହିବାକୁ ଅଧିକ ପସନ୍ଦ କରୁଛନ୍ତି। ସେଠାକାର ବଜାରରେ ମାସ୍କ ମିଳୁ ନାହିଁ। ପୁଣି ଓଡ଼ିଶା ଭଳି ରାଜ୍ୟରେ ଯଦି ଏହି ମାସ୍କ ବ୍ୟବହାରକୁ ସାର୍ବଜନୀନ କରାଯାଏ ତେବେ ତାହାର ସୁଫଳ ଯେତିକି ରହିଛି କୁଫଳ ବି ତା’ଠୁ ଅଧିକ ରହିଛି। କାରଣ ବ୍ୟବହୃତ ମାସ୍କକୁ ନିର୍ଦ୍ଧାରିତଭାବେ ନଷ୍ଟ କରିବା ଆଗକୁ ଆହ୍ବାନ ହେବ। ଏବେ ଆମେ ସୋଶାଲ୍ ମିଡିଆରେ ସଂକ୍ରମିତ ନୋଟ ଲୋକ ଫୋପାଡ଼ୁଥିବା ଦେଖିବାକୁ ପାଉଛୁ। ସେତେବେଳେ ସଂକ୍ରମିତ ମାସ୍କ ଯେ ଲୋକ ନଫୋପାଡ଼ିବେ ଏବଂ ତାହା ଯେ ଆମ ଡଷ୍ଟବିନ୍ରେ ପରିମଳ କର୍ମଚାରୀଙ୍କ ହାତରେ ନପହ୍ୟ୍ଚିବ ତାହା କିଏ କହିବ?
ଆମ ପରିମଳ କର୍ମଚାରୀମାନେ ସୁରକ୍ଷିତ ନୁହଁନ୍ତି। ତାଙ୍କ ହାତରେ ଅଳିଆ ସଂଗ୍ରହ କରିବା ସମୟରେ ଗ୍ଲୋବ୍ସ ରହୁ ନାହିଁ। ଏଣୁ ଯଦି କୌଣସି ସଂକ୍ରମିତ ମାସ୍କ ସଂସ୍ପର୍ଶରେ ସେମାନେ ଆସନ୍ତି ତେବେ ସେ ବି ଭୁତାଣୁର ବାହକ ହୋଇପାରନ୍ତି। ଏ ବିଷୟରେ ରାଜ୍ୟ ସତର୍କ ହେବା ଆବଶ୍ୟକ।