#କରୋନା ଆତଙ୍କ: ବିପଦ ବଳୟରେ ରାଜ୍ୟର ଯୁବଗୋଷ୍ଠୀ

ଭୁବନେଶ୍ୱର (ଓଟି): ମହାମାରୀ କରୋନା ପାଇଁ ରାଜ୍ୟ ସରକାର ନେଉଛନ୍ତି ତ୍ଵରିତ୍‌ ପଦକ୍ଷେପ। ଲୋକଙ୍କୁ ସତର୍କ କରାଇବା ସହ ଜନସୁରକ୍ଷା ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉଛି। ତେବେ ସଂକ୍ରମଣ ଭୟ କମିନଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ପରେ ଗୋଟିଏ ବଢ଼ିଚାଲିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଫିସିଆଲ୍ ଟୁଇଟରରେ ଗୁରୁତ୍ଵପୂର୍ଣ୍ଣ ବିଷୟରେ ସୂଚନା ଦିଆଯାଇଛି। ବୟସ୍କ ବ୍ୟକ୍ତିମାନେ କରୋନାରେ ଅଧିକ ଆକ୍ରାନ୍ତ ହେଉଛନ୍ତି ବୋଲି ପୂର୍ବରୁ ଧାରଣା ରହିଥିବାବେଳେ ସ୍ଵାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ତାହା ପୂରା ଅଲଗା ଦିଗକୁ ଦର୍ଶାଉଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୫୪ଟି କରୋନା ଆକ୍ରାନ୍ତ ମାମଲା ଜଣାପଡ଼ିଥିବାବେଳେ ୧୫ରୁ ୪୦ ବର୍ଷ ବୟସ୍କ ଅଧିକ ସଂକ୍ରମିତ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ରାଜ୍ୟର ଯୁବଗୋଷ୍ଠୀଙ୍କ ପ୍ରତି କରୋନା ଭୂତାଣୁର ବିପଦ ଅଧିକ ରହିଛି।

ସୂଚନା ଅନୁଯାୟୀ ରାଜ୍ୟ ମୋଟ ଚିହ୍ନଟ ୫୪ ଆକ୍ରାନ୍ତଙ୍କ ମଧ୍ୟରୁ ୫୨ ପ୍ରତିଶତ ଅର୍ଥାତ ୨୮ଜଣ ୧୫ରୁ ୪୦ ବର୍ଷ ବୟସ୍କ। ସେହିପରି ୪୧ରୁ ୬୦ ବର୍ଷ ମଧ୍ୟରେ ୧୩ଜଣ ତଥା ୨୪ ପ୍ରତିଶତ ଏବଂ ୦ରୁ ୧୪ ବର୍ଷ ବୟସ ମଧ୍ୟରେ ୮ଜଣ ବା ମୋଟ ଆକ୍ରାନ୍ତଙ୍କ ୧୫ ପ୍ରତିଶତ ବୋଲି ଦର୍ଶାଯାଇଛି। ସେହିପରି ତଥ୍ୟ କହୁଛି ୬୦ ବର୍ଷ ବୟସରୁ ଅଧିକ ଆକ୍ରାନ୍ତ ୫ ଜଣ ବା ମାତ୍ର ୯ ପ୍ରତିଶତ ବୋଲି କୁହାଯାଇଛି। ଅନୁରୂପ ଭାବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣ ପୁରୁଷ ଅର୍ଥାତ ୬୫ ପ୍ରତିଶତ ଏବଂ ୧୯ଜଣ ମହିଳା ଅର୍ଥାତ୍‌ ୩୫ ପ୍ରତିଶତ ବୋଲି ସୂଚନା ଦିଆଯାଇଛି। ଏଥିସହିତ ରାଜ୍ୟରେ କେଉଁ ଦିନ କେତେଜଣ ଆକ୍ରାନ୍ତ ଚିହ୍ନଟ ହେଲେ ସେ ସମ୍ପର୍କରେ ମଧ୍ୟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାଫ ଜରିଆରେ ସୂଚନା ଦିଆଯାଇଛି।

Representative Image.

ତେବେ ସଦ୍ୟ ପ୍ରକାଶିତ ସୂଚନା ଅନୁସାରେ ରାଜ୍ୟରେ ପୁରୁଷ ଏବଂ ଯୁବବର୍ଗଙ୍କ ପ୍ରତି କରୋନା ଭୟ ଅଧିକ ରହିଥିବା ସ୍ପଷ୍ଟ ହୋଇଛି।

Leave a Reply

Your email address will not be published. Required fields are marked *