କୃଷି ରପ୍ତାନୀ ବୃଦ୍ଧି ପାଇଁ ୮ ରାଜ୍ୟ ଦେଲେ ଆକ୍ସନ ପ୍ଲାନ୍, ଓଡ଼ିଶା ବାଦ୍‌

ଭୁବନେଶ୍ଵର, (ଓଟି): କୃଷି ଉତ୍ପାଦ ରପ୍ତାନିକୁ ଦ୍ୱିଗୁଣିତ କରିବା ସହିତ ଚାଷୀଙ୍କ ଆୟ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ସ୍ଵତନ୍ତ୍ର କୃଷି ରପ୍ତାନୀ ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିଲାଗି ୮ଟି ରାଜ୍ୟ ସେମାନଙ୍କ କାର୍ଯ୍ୟକ୍ରମ ଖସଡ଼ା ବା ଆକ୍ସନ୍‌ ପ୍ଲାନ୍‌ କେନ୍ଦ୍ରକୁ ପ୍ରଦାନ କରିଥିବାବେଳେ ଓଡ଼ିଶା ଏହି ତାଲିକାରେ ନାହିଁ। ଯେଉଁ ରାଜ୍ୟଗୁଡ଼ିକ ସ୍ଵତନ୍ତ୍ର କୃଷି ରପ୍ତାନୀ ନୀତି ଆଧାରରେ କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତ କରିଛନ୍ତି ସେମାନେ ହେଲେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କେରଳ, ନାଗାଲାଣ୍ଡ, ତାମିଲନାଡ଼ୁ, ଆସାମ, ପଞ୍ଜାବ ଏବଂ କର୍ଣ୍ଣାଟକ।  ଅନ୍ୟ ରାଜ୍ୟମାନଙ୍କଠାରୁ ଏହିଭଳି ଖସଡ଼ା ଆହ୍ବାନ କରାଯାଇଥିବା ବାଣିଜ୍ୟ ମନ୍ତ୍ରଣ ପକ୍ଷରୁ ରବିବାର ପ୍ରକାଶ କରାଯାଇଛି ।

ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ ଲାଭ କରିଥିବା କୃଷି ରପ୍ତାନି ନୀତି  ପୂର୍ଣ୍ଣମାତ୍ରାରେ  କାର୍ଯ୍ୟକାରୀ ହେବାକୁ ଯାଉଛି ।  ଏପରିକି କେତେକ ରାଜ୍ୟମାନଙ୍କ ପକ୍ଷରୁ ଏହି ପ୍ରକ୍ରିୟା ପାଇଁ ନୋଡାଲ ଏଜେନ୍ସି ଏବଂ ନୋଡାଲ ଅଫିସର ମନୋନୀତ ହୋଇସାରିଛନ୍ତି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଭାରତରୁ କୃଷିଭିତ୍ତିକ ରପ୍ତାନି ବୃଦ୍ଧି କରିବା ସହିତ କୃଷକମାନଙ୍କ ଆୟ ବୃଦ୍ଧି କରିବାରେ ସହାୟତା ଯୋଗାଇ ଦେବାକୁ କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ ପ୍ରାଧିକରଣ(ଆପିଡା) ପକ୍ଷରୁ ବିଭିନ୍ନ ରାଜ୍ୟମାନଙ୍କ ସହ ଆଲୋଚନା କରାଯାଇ ଏଥିନେଇ ଆକ୍ସନପ୍ଲାନ୍ ପ୍ରସ୍ତୁତ କରିବାକୁ କୁହାଯାଇଥିଲା । କୃଷି ରପ୍ତାନି ନୀତି ଅନ୍ତର୍ଭୁକ୍ତ ବିଭିନ୍ନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବା ସହିତ ପ୍ରଡକ୍ସନ୍ କ୍ଲଷ୍ଟର, କାପାସିଟି ବିଲ୍ଡିଂ, ଭିତ୍ତିଭୂମି, ପରିବହନ ଏବଂ ଉନ୍ନୟନ ଓ ବିକାଶ ପାଇଁ ରହିଥିବା ଅର୍ଥ ବ୍ୟବସ୍ଥାର ମଧ୍ୟ ସଦୁପଯୋଗ କରିବାକୁ ରାଜ୍ୟମାନଙ୍କ ସହ ଆଲୋଚନା କରାଯାଇଥିଲା । ଏଥିପାଇଁ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟସ୍ତରୀୟ ମନିଟରିଂ କମିଟି ଗଠନ କରାଯିବା ସହିତ ଆପିଡା କର୍ତ୍ତୃପକ୍ଷ ବିଭିନ୍ନ ରାଜ୍ୟର ରପ୍ତାନିଭିତ୍ତିକ କ୍ଲଷ୍ଟର ମଧ୍ୟ ପରିଦର୍ଶନ କରିଥିଲେ । ପଞ୍ଜାବ ଜଳନ୍ଧରସ୍ଥିତ ଆଳୁ କ୍ଲଷ୍ଟର, ରାଜସ୍ଥାନ ଯୋଧପୁରସ୍ଥିତ ଇସବ୍ଗୁଲ କ୍ଲଷ୍ଟର, ଦୁଗ୍ଧଜାତ ଦ୍ରବ୍ୟ ପାଇଁ ବନସକାନ୍ତ କ୍ଲଷ୍ଟର, ସାଙ୍ଗ୍ଲି ଅଙ୍ଗୁର କ୍ଲଷ୍ଟର, ସୋଲାପୁର ବେଦେନା କ୍ଲଷ୍ଟର, ନାଗପୁର କମଳା କ୍ଲଷ୍ଟର, ଚିତୋର ଆମ୍ବ କ୍ଲଷ୍ଟର, ଥେନି କଦଳୀ କ୍ଲଷ୍ଟର, ସାଲେମ୍ କୁକୁଡ଼ା ଉତ୍ପାଦ କ୍ଲଷ୍ଟର, ଇନ୍ଦୋର ପିଆଜ କ୍ଲଷ୍ଟର ଏବଂ ଚିକାବ୍ଲାପୁର ରୋଜ୍ ଓନିଅନ୍ କ୍ଲଷ୍ଟରରେ ବିଭିନ୍ନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିଲା । ସେହପରି କୃଷି ରପ୍ତାନୀ ନୀତିକୁ ପ୍ରୋତ୍ସାହିତ କରିବା ପାଇଁ ଜାତୀୟ ସମବାୟ ବିକାଶ ନିଗମ ସହ ବୁଝାମଣା କରାଯାଇଥିଲା ବେଳେ କୃଷକ ଏବଂ କୃଷି ଉଦ୍ୟେଗୀମାନଙ୍କୁ ସହାୟତା ଯୋଗାଇ ଦେବାକୁ ମଧ୍ୟ କୁହାଯାଇଥିଲା ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *