ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ଓଡ଼ିଶା ସରକାରଙ୍କ ଏସ୍ଏସ୍ ଲିଗ୍ ୨୦୨୦
ଭୁବନେଶ୍ୱର, (ଓଟି): ରାଜ୍ୟର ସହରାଞ୍ଚଳ ଗୁଡିକ କେତେ ସଫାସୁତୁରା ରହିଛି ତାହାର ସର୍ବେକ୍ଷଣ ଲାଗି ପ୍ରଥମ ଥର ସକାଶେ ଆରମ୍ଭ ହେବ ଏସ୍ଏସ୍ ଲିଗ୍ ୨୦୨୦ । ପୌରସଂସ୍ଥା ଗୁଡିକରେ ବର୍ଜ୍ୟ ପରିଚାଳନା, ତରଳ ବର୍ଜ୍ୟ ପରିଚାଳନା, ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ଆଦି କିଭଳି ଭାବେ କରାଯାଉଛି ଏହି କାର୍ଯ୍ୟକ୍ରମ ଦ୍ୱାରା ତାହାର ର୍ୟାକିଂ କରାଯାଇ ପାରିବ । ଏହି ସର୍ବେକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ କରିବା ସହିତ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟିକରି ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା । ଏହାଦ୍ୱାରା ସହରାଞ୍ଚଳରେ ଲୋକଙ୍କୁ ସେବା ଯୋଗାଣ କ୍ଷେତ୍ରରେ ମଧ୍ୟ ପ୍ରତିଯୋଗିତା ମନୋଭାବ ସୃଷ୍ଟିହେବ ଏବଂ ସହର ଗୁଡିକ ସଫାସୁତୁରା ରହିପାରିବ ।
ଏସ୍ଏସ୍ ଲିଗ୍ ୨୦୨୦ ତ୍ରୈମାସିକ ଭିତ୍ତିରେ ଅର୍ଥାତ ଏପ୍ରିଲ୍-ଜୁନ୍, ଜୁଲାଇ-ସେପ୍ଟେମ୍ବର ଓ ଅକ୍ଟୋବର-ଡିସେମ୍ବରରେ କାର୍ଯ୍ୟକାରୀ ହେବ । ସ୍ୱଚ୍ଛ ଭାରତ ସର୍ବେକ୍ଷଣ ୨୦୨୦ ଲାଗି ସହରାଞ୍ଚଳ ଗୁଡିକୁ ଏସ୍ଏସ୍ ଲିଗ୍ ୨୦୨୦ରେ ଅଂଶଗ୍ରହଣ କରିବା ଜରୁରୀ ହୋଇପଡିଛି । କାରଣ ତ୍ରିମାସିକ ସର୍ଭେ ସହିତ ବେହାକୁ ଥିବା ବାର୍ଷିକ ସର୍ବେକ୍ଷଣ ରେ ୨୫ ପ୍ରତିଶତ ଗ୍ରେସମାର୍କ ମିଳିବ । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ କ୍ଷେତ୍ରରେ ସକରାତ୍ମକ ପଦକ୍ଷେପ ଗ୍ରହଣ କରାଯିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି । ଏ ନେଇ ପୌରସଂସ୍ଥା ଗୁଡିକୁ ନେଇ ରାଜ୍ୟ ସ୍ତରରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ସ୍ୱଚ୍ଛ ସର୍ବେକ୍ଷଣରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତି ଓ ସଂସ୍ଥାମାନଙ୍କୁ ଏ ସଂକ୍ରାନ୍ତୀୟ କିଟ୍ ଯୋଗାଯାଇଛି । ସ୍ୱଚ୍ଛ ସର୍ବେକ୍ଷଣ ଡାଟା ଅପ୍ଲୋଡ ଆବଶ୍ୟକ ଥିବାରୁ ଏ ସଂକ୍ରାନ୍ତରେ ଏକ ଦିନିକିଆ ରାଜ୍ୟସ୍ତରୀୟ କର୍ମଶଳା ଆୟୋଜିତ ହୋଇଯାଇଛି । ବରିଷ୍ଠ ଅଧିକାରୀମାନଙ୍କ ଲାଗି ବିସ୍ତୃତ କାର୍ଯ୍ୟ ଯୋଜନା ପ୍ରଦାନ କରାଯାଇଥିବାବେଳେ ସ୍ୱଚ୍ଛ ସର୍ବେକ୍ଷଣ ସଂକ୍ରାନ୍ତରେ ପୌରାଞ୍ଚଳ ଲୋକଙ୍କୁ ସଚେତନ ଲାଗି ବ୍ୟାପକ ଆଇଇସି ସାମଗ୍ରୀ ଯୋଗାଯାଇଛି ।
ରାଜ୍ୟର ୧୧୪ ଟି ପୌରାଞ୍ଚଳରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏ ସଂକ୍ରାନ୍ତରେ ସହଯୋଗୀ ସଂସ୍ଥା ଗୁଡିକ ସହିତ ବୈଠକ ଆହୂତ ସଂଗେ ସଂଗେ ସେମାନଙ୍କୁ ସଚେତନ କରାଯାଇଛି । ଲୋକେ କିଭଳି ଏହି ସଚେତନତା ସର୍ବେକ୍ଷଣରେ ଅଧିକ ଭାବରେ ଅଂଶଗ୍ରହଣ କରିବେ ସେଥିଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରଚାରପତ୍ର, ମାଇକ ପ୍ରଚାର, କାନ୍ଥରେ ଚିତ୍ର, ରାଲି, ପ୍ରତିଯୋଗିତା, ଷ୍ଟ୍ରିଟ ପ୍ଲେ, ହୋର୍ଡିଂ ଆଦି ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉ ଥିବାବେଳେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନଙ୍କୁ ସ୍ୱଚ୍ଛ ସାଥୀ ଭାବେ ମୁତୟନ କରାଯାଇଛି । ଏମାନେ ପ୍ରତିଘରକୁ ଯାଇ ଲୋକଙ୍କୁ ସଚେତନ କରିବେ । ଏଭଳି ସଚେତନତା କାର୍ଯ୍ୟକ୍ରମ କେବଳ ୨୦୨୦ ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ନୁହେଁ ବରଂ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଗଠନ ଦିଗରେ ବେଶ୍ ସହାୟକ ହେବ ।