ଦଶଦିନ ପରେ ଚେତା ପଶିଲା: ସରକାରୀ ବସ୍‌ ଗଡ଼ିବ, ୨ଗୁଣା ଭଡ଼ା ଦେବାକୁ ହେବ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଘୋଷଣାର ୧୦ ଦିନ ପରେ ରାଜ୍ୟ ସରକାରଙ୍କୁ ଲୋକଙ୍କ ଗମନାଗମନ ଚିନ୍ତା ଢୁକିଛି। ନାମକୁ ମାତ୍ର ହେଲେ ମଧ୍ୟ ଅଳ୍ପ କିଛି ସରକାରୀ ବସ୍‌ ଚଳାଇ କେବଳ ନିୟମର ଇଜ୍ଜତ ରଖିବାକୁ  ଚେଷ୍ଟା କରିଛନ୍ତି ରାଜ୍ୟ ସରକାର।  ଅର୍ଥାତ୍‌  ଆଜିଠାରୁ  ରାଜ୍ୟର ସବୁଜ ବା ଅଣ ସଂକ୍ରମିତ ଅଞ୍ଚଳରେ ବସ୍‌ ସେବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର।

କେନ୍ଦ୍ର ସରକାର ଲକ୍‌ଡାଉନ୍‌-୩ ନିୟମାବଳୀ ଅନୁସାରେ ସବୁଜ ଚିହ୍ନିତ ଅଞ୍ଚଳରେ ବସ୍‌ ଚଳାଚଳ ପାଇଁ କୌଣସି କଟକଣା ନାହିଁ। ହେଲେ ସେହି ବସ୍‌ରେ କେବଳ ୫୦ ପ୍ରତିଶତ ଯାତ୍ରୀ ଯାଇପାରିବେ ଓ ବସ୍‌ ଷ୍ଟାଣ୍ଡରେ ବି ୫୦ ପ୍ରତିଶତ ବସ୍‌ ଚଳାଚଳ କରିବ ବୋଲି ନିୟମ ରହିଥିଲା।  ପୁଣି ଏହି ବସ୍ କୌଣସି ପରିସ୍ଥିତିରେ ରେଡ୍‌ ଜୋନ୍‌କୁ ସ୍ପର୍ଶ କରିବ ନାହିଁ ବୋଲି ଆଦେଶ ହୋଇଥିଲା। ଏହି ଆଦେଶ ଅନୁସାରେ ରାଜ୍ୟ ସରକାର ବସ୍‌‌ ଚଳାଚଳ ରୁଟ୍‌ ନପୁନଃ ନିର୍ଦ୍ଧାରଣ କରିଥିଲେ।  ହେଲେ ରାଜ୍ୟରେ ଘରୋଇ ମାଲିକମାନେ ଏଥିରେ ରାଜି ନହେବାରୁ ଏଯାଏ ସେ ସେବା ଆରମ୍ଭ ହୋଇପାରି ନଥିଲା।

୧୦ ଦିନ ପରେ ଭୁବନେଶ୍ଵରରୁ ଟ୍ରେନ୍‌ ନୂଆଦିଲ୍ଲୀ ଯିବା ପରେ ରାଜ୍ୟ ସରକାର  ଆଜି ସରକାରୀ ବସ୍‌ ମାଧ୍ୟମରେ ଯାତ୍ରୀଙ୍କ ଯାତାୟାତ ନିଶ୍ଚିତ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ଦୁଇଗୁଣା ଧାର୍ଯ୍ୟ ଟିକେଟ୍‌ ଦର ସଂଗ୍ରହ କରାଯିବ ବୋଲି ସରକାର କହିଛନ୍ତି।  ତେବେ କେବେଠାରୁ ବସ୍‌ ଗଡ଼ିବ ସେ ବାବଦରେ କିଛି ସ୍ପଷ୍ଟ କରି ନାହାନ୍ତି।

ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ କହିଛନ୍ତି, ସାଧାରଣ ଯାତ୍ରୀମାନଙ୍କର ସୁବିଧା ପାଇଁ ଗ୍ରୀନ ଜୋନ୍‌ରେ ସରକାରୀ ବସ ଚାଲିବ । ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି) ତରଫରୁ ପରିଚାଳିତ ହେବାକୁ ଥିବା ଏହି ବସ୍‌ଗୁଡ଼ିକ ରୋଡ ଜୋନ୍ ଦେଇ ଗ୍ରୀନ ଜୋନକୁ ଯିବ ନାହିଁ । ଘରୋଇ ବସ୍ ରାଜି ନ ହେବାରୁ ଓଏସ୍‌ଆରଟିସି ପକ୍ଷରୁ ଲୋକଙ୍କୁ ବସ ସେବା ଯୋଗାଇ ଦିଆଯିବ । ଏଥି ପାଇଁ ସ୍ୱତନ୍ତ୍ର ଯାତାୟତ ବ୍ୟବସ୍ଥା କରାଯାଇଛି।

ପରିବହନ ମନ୍ତ୍ରୀ କହିଛନ୍ତି, ବସ୍‌ରେ ଥିବା ସିଟ ଗୁଡ଼ିକର ୫୦ ପ୍ରତିଶତ ସିଟରେ ଯାତ୍ରୀମାନେ ବସିବେ । ସାମାଜିକ ଦୂରତ୍ୱ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଗ୍ରୀନ ଜୋନରେ ଆଗାମୀ ଦିନରେ ଅଧିକ ବସ୍ ଚଳାଚଳ କରିବ ।

Leave a Reply

Your email address will not be published.