ଶହୀଦଙ୍କ ନାଁରେ ରୂପାନ୍ତର ହେବ ସ୍କୁଲ୍
ଭୁବନେଶ୍ଵର, (ଓଟି): ମାଟି ମା’ର ସୁରକ୍ଷାକୁ ପଣ କରି ଜୀବନ ଦେଇଥିବା ଶହୀଦଙ୍କୁ ସମ୍ମାନ ଦେବା ଲାଗି ରାଜ୍ୟ ସରକାର ପାଦେ ଆଗକୁ ବଢ଼ିଛନ୍ତି। ଶନିବାର ସକାଳେ ପୁଲ୍ୱାମା ଆତଙ୍କୀ ଆକ୍ରମଣ ହେତୁ ମୃତ୍ୟୁ ଘଟିଥିବା ଦୁଇ ଓଡ଼ିଆ ଶହୀଦଙ୍କ ମର ଶରୀରକୁ ଶେଷ ବିଦାୟ ଦେଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ଏହାପରେ ଶହୀଦଙ୍କ ଲାଗି ପୂର୍ବରୁ ଘୋଷଣା କରିଥିବା ଅନୁକମ୍ପାମୂଳକ ସହାୟତା ରାଶିକୁ ବୃଦ୍ଧି କରାଯିବ ବୋଲି ଘୋଷଣା କରିଛନ୍ତି।
ଏହିକ୍ରମରେ ଶୀହଦଙ୍କ ପରିବାର ବର୍ଗଙ୍କୁ ୧୦ ଲକ୍ଷ ନୁହେଁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ସରକାର ପ୍ରଦାନ କରିବେ। ଖାଲି ସେତିକି ନୁହେଁ ସେ ଯେଉଁ ପଞ୍ଚାୟତରେ ଜନ୍ମ ସେଇ ପଞ୍ଚାୟତକୁ ସମ୍ପୃକ୍ତ ଶହୀଦଙ୍କ ନାମରେ ନାମିତ କରାଯିବ। ପୁଣି ସେ ପଢ଼ିଥିବା ସ୍କୁଲ୍କୁ ମଧ୍ୟ ତାଙ୍କ ନାଁରେ ନାମିତ କରାଯିବ।
ଏହାଦ୍ଵାରା ସମ୍ପୃକ୍ତ ଅଞ୍ଚଳର ଯୁବା ଏବଂ ଶିଶୁମାନଙ୍କ ମନରେ ଦେଶପ୍ରେମ ଜାତ ହେବ ବୋଲି ଆଶା କରାଯାଇଛି।
ଶୁକ୍ରବାର ସକାଳେ ସଚିବାଳୟରେ ଅମର ଆତ୍ମାଙ୍କ ସଦ୍ଗତି କାମନା କରି ଦୁଇମିନିଟ୍ଏ ନୀରବ ପ୍ରାର୍ଥନା କରିଥିଲେ ମୁଖ୍ୟମନ୍ତ୍ରୀ। ଦୁଇ ପରିବାର ପାଖରେ ପ୍ରତ୍ୟକ୍ଷ ଭାବେ ପହଞ୍ଚି ସମବେଦନା ଜ୍ଞାପନ କରିବାକୁ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ପ୍ରତାପ ଜେନାଙ୍କୁ ନିର୍ଦେଶ ଦେଇଥିଲେ।
ଅଧିକ ପାଠ ପାଇଁ କ୍ଲିକ୍ କରନ୍ତୁ