ଓଡ଼ିଶା ଆଣିବ ‘ଦୁର୍ବିପାକ’ ଆପ୍‌

ଭୁବନେଶ୍ଵର, (ଓଟି): ସାଧାରଣ ଲୋକଙ୍କୁ ବଜ୍ରପାତ ସମ୍ପର୍କରେ ସତର୍କ କରାଇବା ତଥା ସୂଚନା ପ୍ରଦାନ କରିବା ଲାଗି କେନ୍ଦ୍ର ସରକାରଙ୍କ ‘ଦାମିନି’ ଆପ୍‌ ଲଞ୍ଚ୍‌ ପରେ ଓଡ଼ିଶା ସରକାର ଏକ ସ୍ଵତନ୍ତ୍ର ମୋବାଇଲ୍‌ ଆପ୍‌ ଲଞ୍ଚ କରିବା ସୂଚନା ଦେଇଛନ୍ତି। ଏହି ଆପ୍‌ କେବଳ ବଜ୍ରପାତ ନୁହେଁ, ସବୁପ୍ରକାର ଦୁର୍ବିପାକ ଯେମିତି ବର୍ଷା, ବନ୍ୟା, ବାତ୍ୟା, ମରୁଡ଼ି, ହିଟ୍‌ ଓ୍ବେଭ୍‌ ବାବଦରେ ପୂର୍ବ ସୂଚନା ଯୋଗାଇଦେବ। ଆବପ୍‌ ବ୍ୟବହାରକାରୀଙ୍କ ଲୋକେସନ୍‌ (ଠିକଣା) ଅନୁସାରେ ସ୍ଥାନୀୟ ପୂର୍ବାନୁମାନ ସହ ସତର୍କ ସୂଚନା ଯୋଗାଇଦେବ ବୋଲି ସ୍ଵତନ୍ତ୍ର ରିଲିଫ୍‌ କମିଶନର ଡ. ବିଷ୍ଣୁପଦ ସେଠୀ କହିଛନ୍ତି।

ଆମେ ଆଶା କରୁଛୁ ଆସନ୍ତା ପ୍ରାକ୍‌ ମୌସୁମୀ କାଳ ପୂର୍ବରୁ ଅର୍ଥାତ ଆସନ୍ତା ୨ ମାସ ଭିତରେ ଏହି ଆପ୍‌ ଲୋକଙ୍କ ପାଖରେ ପହଞ୍ଚିବ। ସ୍ମାର୍ଟଫୋନ୍‌ ବ୍ୟବହାରକାରୀମାନେ ଏହାର ଫାଇଦା ନେଇପାରିବେ। ଏହି ଆପ୍‌ ତିଆରି ପାଇଁ ଆବଶ୍ୟକ ସଫ୍ଟଓ୍ବେର୍‌ ପ୍ରସ୍ତୁତ ସରିଛି। କିନ୍ତୁ ଏଥିଲଶଗି ସ୍ଥଳ ବିଶେଷରେ ପୂର୍ବ ବର୍ଷଗୁଡ଼ିକର ତଥ୍ୟ ଆବଶ୍ୟକ। ଏହାଦ୍ଵାରା ଯେଉଁ ହିସାବ ସ୍ଵୟଂ ହେବାକୁ ରହିଛି ତାହା ହୋଇପାରିବ। ଏଣୁ ଆମେ ବିଭିନ୍ନ ବିଭାଗକୁ ଏଥିନେଇ ତଥ୍ୟ ଦେବାକୁ ଅନୁରୋଧ କରିଛୁ।

ଡ. ବିଷ୍ଣୁପଦ ସେଠୀ, ସ୍ଵତନ୍ତ୍ର ରିଲିଫ କମିଶନର

ଦାମିନୀ ସହ ସମ୍ପର୍କ ନାହିଁଁ

ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହେବକୁ ଥିବା ସ୍ଵତନ୍ତ୍ର ଦୁର୍ବିପାକ ମୋବାଇଲ୍‌ ଆପ୍‌ ସହ କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ‘ଦାମିନୀ’ ଆପ୍‌ର କୌଣସି ସମ୍ପର୍କ ନାହିଁ। ରାଜ୍ୟ ଭିତ୍ତିରେ ଏହା ପ୍ରସ୍ତୁତ କରାଯାଇଛି ବୋଲି ଡ. ସେଠୀ ସୂଚନା ଦେଇଛନ୍ତି।

୧୩ ସ୍ଥାନରେ ବଜ୍ରପାତ ସେନ୍ସର

ଓଡ଼ିଶାର ଐତିହାସିକ ତଥ୍ୟ ଅନୁସାରେ ମୟୁରଭଞ୍ଜ, ବାଲେଶ୍ଵର, ଗଞ୍ଜାମ, କେନ୍ଦୁଝର, କଟକ, ସୁନ୍ଦରଗଡ଼, ଭଦ୍ରକ, ନବରଙ୍ଗପୁର, ଅନୁଗୁଳ, ଯାଜପୁର ପ୍ରଭୃତି ବଜ୍ରପାତ ପ୍ରବଣ ଜିଲ୍ଲା। ଗଲା ତିନି ବର୍ଷରେ କେବଳ ମୟୁରଭଞ୍ଜରେ ୧୩୦ ଜଣଙ୍କ ପ୍ରାଣ ଯାଇଥିବା ବେଳେ ବଜ୍ରପାତ ହେତୁ ବାଲେଶ୍ଵର ଜିଲ୍ଲାରେ ୯୫ଜଣଙ୍କ ମୃତ୍ୟୁ ହୋଇଥିଲା। ଏଣୁ ବଜ୍ରପାତ ସମ୍ପର୍କରେ ସୂଚନା ସଂଗ୍ରହ ପାଇଁ ରାଜ୍ୟର ୧୩ଟି ସ୍ଥାନରେ ସ୍ଵତନ୍ତ୍ର ସେନ୍ସର ଲଗାଯାଇଛି। ଏଥିରୁ ୬ଟିକୁ ଆମେରିକୀୟ ସଂସ୍ଥା ଆର୍ଥନେଟ୍‌ ଦ୍ଵାରା ସ୍ଥାପନ କରାଯାଇଥିବା ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବୌଦ, ସୁବଣ୍ଣପୁର, ମାଲକାନଗିରି, ଝାରସୁଗୁଡ଼ା ଭଳି ଜିଲ୍ଲାକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ବଜ୍ରପାତ ଏକ ଘାତକ ପ୍ରାକୃତିକ ଦୁର୍ବିପାକ। ଏସବୁ ଅଞ୍ଚଳରେ ଲୋକଙ୍କୁ ବଜ୍ରପାତ ପୂର୍ବରୁ ସତର୍କ ରହିବାକୁ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏଣୁ ଏ ସୂଚନା କେମିତି ଲୋକଙ୍କ ପାଖରେ ପହଞ୍ଚିବ ସେଥିନେଇ ଆମେ ବିଭିନ୍ନ ମାଧ୍ୟମର ସହାୟତା ନେଉଛୁ ବୋଲି ସେ ସୂଚନା ଦେଇଛନ୍ତି।

ବଜ୍ରାଘାତ : ସାବଧାନ ସରକାର!

http://odishatime.com/thunder-storm-in-odisha/

ସ୍ମାର୍ଟ ଫୋନରେ ମିଳିବ ବଜ୍ରପାତର ଆଗୁଆ ସୂଚନା

http://odishatime.com/smart-phone-lightening/

ବଜ୍ରାଘାତ ଜନିତ ମୃତ୍ୟୁର ମୁକାବିଲା ପାଇଁ ନିୟୋଜିତ ହେବ ଟେକ୍ନିକାଲ ଆଡଭାଇଜର

http://odishatime.com/lightening-death/

Leave a Reply

Your email address will not be published.