#covid19: ଘରେ ଥିବା ସନ୍ଦିଗ୍ଧଙ୍କ ଘର ଆଗରେ ଲାଗିବ ନୋଟିସ୍‌

ଭୁବନେଶ୍ଵର, (ଓଟି): ଆପଣ ଯଦି ବିଦେଶରୁ ଫେରିଛନ୍ତି, ବା କୌଣସି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ତେବେ ଆପଣଙ୍କ ଘରୁ ବାହାରିବା କଷ୍ଟକର ହେବ। ଗୋଟିଏ ପଟେ ଆପଣଙ୍କ କମ୍ୟୁନିଟି ତ ଆପଣଙ୍କୁ ବାରଣ କରିବ, ଏହା ସହ ଏବେ ସରକାର ଆପଣଙ୍କୁ ଅଧିକ ଚିହ୍ନିତ କରିବେ। ଆପଣଙ୍କ ଦୁଆର ମୁହଁରେ ଏକ ସ୍ଵତନ୍ତ୍ର ନୋଟିସ୍‌ ଲାଗିବ। ଏହି ନୋଟିସ୍‌ରେ ଆପଣଙ୍କ ଘରେ ଥିବା ପୃଥକୀକୃତ ସନ୍ଦିଗ୍ଧ କରୋନା ଆଶଙ୍କିତଙ୍କ ବାବଦରେ ସୂଚନା ଦିଆଯିବ। ଏନେଇ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଏହି ନୋଟିସ୍‌ ଜିଲ୍ଲାପାଳଙ୍କ ଦ୍ଵାରା ଜାରି ହୋଇ ଘର ଆଗରେ ଲଟ୍‌କା ଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏନେଇ ରାଜ୍ୟ ସରକାରଙ୍କ କରୋନା ସମ୍ପର୍କିତ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇଛନ୍ତି। 

କିଛି ସ୍ଥାନରେ ଏହିପରି ସନ୍ଦିଗ୍ଧମାନେ ସରକାରୀ ନିଜ ଦାୟିତ୍ଵ ଭୁଲି ଅନ୍ୟ ଜନସାଧାରଣଙ୍କ ସହ ମିଶୁଥିବା ନଜରକୁ ଆସିଛି। ଯାହାଦ୍ଵାରା କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ଯଦିଓ ଓଡ଼ିଶାରେ କରୋନା ସଂକ୍ରମଣ ସଂଖ୍ୟା ୨ରେ ସୀମିତ ରହିଛି କିନ୍ତୁ ଏହା ମହାମାରୀ ଭଳି ବଢ଼ିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ସେଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନୋଟିସ୍‌ ଲଗାଯିବାକୁ ନିଷ୍ପତ୍ତି ହୋଇଛି। 

 

Leave a Reply

Your email address will not be published. Required fields are marked *