କିଶୋରୀଙ୍କୁ ଟିଡି ଟୀକା : ୯୦ ପ୍ରତିଶତ ଲକ୍ଷ୍ୟ ରଖିଲେ ଓଡ଼ିଶା ସରକାର

ଭୁବନେଶ୍ୱର, (ଓଟି): ଜାତୀୟ ଟୀକାକରଣ କାର୍ଯ୍ୟକ୍ରମରେ ୧୦ ରୁ ୧୬ବର୍ଷ ବୟସର କିଶୋରୀମାନଙ୍କୁ ଟିଟାନାସ ଡିପ୍‍ଥେରିଆ (ଟିଡି) ଟୀକା ଦେବାଲାଗି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରିକରି ସେ କହିଛନ୍ତି ଯେ ବିଦ୍ୟାଳୟ ଯାଉଥିବା ୫ମରୁ ୧୦ମ ଶ୍ରେଣୀର କିଶୋରୀମାନଙ୍କୁ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଏହା ପ୍ରଦାନ କରାଯିବ । ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସ୍‍କେ) ଅଧିନରେ ବର୍ଷକୁ ଥରୁଟିଏ ଏହି ଟୀକା ଦିଆଯିବ ।

ଜିଲ୍ଲା ସ୍ତରରେ ଏହି ଟୀକା ପ୍ରଦାନ କାର୍ଯ୍ୟକ୍ରମ ଦ୍ୱାରା ୯୦ ପ୍ରତିଶତ କିଶୋରୀଙ୍କୁ ଟିଡି ଟୀକା ଦିଆଯିବାର ଲକ୍ଷ୍ୟ ରହିଛି । ପୂର୍ବରୁ କିଶୋରୀ ଓ ଗର୍ଭବତୀ ମହିଳାମାନଙ୍କୁ ଟିଟି ଦିଆଯାଉଥିବାବେଳେ ଏବେ ତାହା ସ୍ଥାନରେ ଟିଡି ଟୀକା ପ୍ରଦାନ କରାଯିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟୀକାକରଣ ଡାଟା ଅନୁଯାୟୀ ୨୦୧୭ ରେ ୭୭ ପ୍ରତିଶତ ଓ ୨୦୧୮ ରେ ୭୬ ପ୍ରତିଶତ ଡିପ୍‍ଥେରିଆ କେବଳ ୫ବର୍ଷ ଓ ତଦୁର୍ଦ୍ଧ ବୟସର ପିଲାଙ୍କୁ ହୋଇଥାଏ । ପିଲାବେଳେ ଟୀକା ନେଇନଥିଲେ ପରିଣତ ବୟସରେ ଲୋକଙ୍କୁ ଡିପ୍‍ଥେରିଆ ହେବାର ଆଶଙ୍କା ରହିଥାଏ । ୧୮-୧୯ ବର୍ଷରେ ଟିଟି ଟୀକାକରଣ କ୍ଷେତ୍ରରେ ଯଥାକ୍ରମେ ୫୫ ପ୍ରତିଶତ ଓ ୬୪ ପ୍ରତିଶତ ସଫଳତା ପ୍ରାପ୍ତ ହୋଇଛି ।

ଟିଡି ଟୀକାକରଣ କ୍ଷେତ୍ରରେ ୯୦ ପ୍ରତିଶତରୁ ଅଧିକ ଲକ୍ଷ୍ୟ ହାସଲ ଲାଗି ମହିଳା ସ୍ୱାସ୍ଥ୍ୟକର୍ମୀମାନେ ସ୍କୁଲ ଯାଉଥିବା ଓ ଏହାର ଆଖାପାଖରେ ରହୁଥିବା ପିଲାମାନଙ୍କୁ ଟୀକାକରଣ ଲାଗି ଯୋଜନା ପ୍ରସ୍ତୁତ କରିବେ । ଆଶାମାନେ ସ୍ୱାସ୍ଥ୍ୟର୍କମୀଙ୍କୁ ଗୋଷ୍ଠି ସ୍ତରରେ ସହାୟତା କରିବା ସହିତ ବିଦ୍ୟାଳୟ ଟୀକାକରଣ କାର୍ଯ୍ୟକ୍ରମରେ ମଧ୍ୟ ସହଯୋଗ କରିବେ । ମିଶନ ନିର୍ଦ୍ଦେଶିକା କହିଛନ୍ତି ଯେ ବ୍ଲକ ସ୍ତରର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ଏଥିପାଇଁ ବ୍ଲକ ମାଇକ୍ରୋ ପ୍ଲାନ, ଇଞ୍ଜେସନ ଓ ଟୀକାର ଆବଶ୍ୟକ, ଶିକ୍ଷା ସଚେତନତା କାର୍ଯ୍ୟକ୍ରମ, ବିଦ୍ୟାଳୟରେ ଶିକ୍ଷକ-ଅଭିଭାବକ ବୈଠକ, ସ୍ଥାନୀୟ ଗଣମାଧ୍ୟମ ସହାୟତାରେ ସଚେତନତା ଦ୍ୱାରା ଟିଡି ଟୀକା ସଂକ୍ରାନ୍ତରେ ପ୍ରଚାର ପ୍ରସାର କରିବେ ।

ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଆରବିଏସ୍‍କେ ଟିମ୍‍ର ସହାୟତା ନେବେ । ଜିଲ୍ଲା ସ୍ତରରେ ଥିବା ଟିମ୍‍ ଗୁଡିକ ଜିଲ୍ଲା ମାଇକ୍ରୋ ପ୍ଲାନ ପ୍ରସ୍ତୁତ ସହିତ କେତେ ଟୀକା ଆବଶ୍ୟକ ତାହା ଦର୍ଶାଇବେ । ପ୍ରତିଦିନ ଟୀକାକରଣର ସୂଚନା ମହିଳା ସ୍ୱାସ୍ଥ୍ୟକର୍ମୀମାନେ ବ୍ଲକକୁ ଦେବେ । ବ୍ଲକ ସ୍ତରରେ ଏହାର ସମୀକ୍ଷା ସହିତ ପ୍ରତିଦିନ ଜିଲ୍ଲାକୁ ଦିଆଯିବ । ଜିଲ୍ଲା ସ୍ତରରୁ ପ୍ରତିଦିନ ଏହି ରିପୋର୍ଟ ରାଜ୍ୟ ସ୍ତରକୁ ଆସିବା ସହିତ ଏହା ଏଚ୍‍ଏମ୍‍ଆଇଏସ୍‍ ପୋର୍ଟାଲରେ ଅପଲୋଡ୍‍ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।


Leave a Reply

Your email address will not be published.