ଟିଭିରୁ ପଢ଼ିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର(ଓଟି): ମହାମାରୀ କରୋନା ଆତଙ୍କ ଯୋଗୁଁ ସବୁଥିରେ କଟକଣା ଲାଗି ରହିଛି। ତେବେ ପିଲାଙ୍କ ପାଠପଢ଼ାରେ କିପରି ବ୍ୟାଘାତ ସୃଷ୍ଟି ନହେବ ସେନେଇ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ପିଲାମାନେ ଟିଭିରୁ ପାଠ ପଢ଼ିବେ ବୋଲି ଜଣାପଡ଼ିଛି। ଏନେଇ ଡିଇଓ ଏବଂ ବିଇଓଙ୍କୁ ଓସେପା ଯୁଗ୍ମ ନିର୍ଦ୍ଦେଶକ ଆଜି ଚିଠି ଲେଖିଛନ୍ତି।
ସୂଚନା ଅନୁସାରେ ଡିଡି ଓଡ଼ିଆରେ କ୍ଲାସର ରେକର୍ଡ ଭିଡିଓ ପ୍ରସାରଣ ହେବ। ଏ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅବଗତ କରାଇବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବେ ସ୍କୁଲର ପ୍ରଧାନଶିକ୍ଷକ। ତେବେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କାର୍ଯ୍ୟକ୍ରମ ପ୍ରସାରଣ ହେବ ବୋଲି ଜଣାପଡ଼ିଛି। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦିନକୁ ୨ଥର ଲେଖାଏଁ ଏହି କାର୍ଯ୍ୟକ୍ରମ ପ୍ରସାରଣ ହେବ। ଦିନ ୧୧ଟାରୁ ୧୨ଟା, ୩ଟା ୩୦ରୁ ୪ଟା ୩୦ କାର୍ଯ୍ୟକ୍ରମ ପ୍ରସାରଣ ହେବ। ଗଣିତ, ଏସସିପି, ଏସସିଏଲ, ଇଂରାଜୀ ଓ ଭୂଗୋଳ ବିଷୟକୁ ପ୍ରଥମେ ସାମିଲ୍ କରାଯାଇଛି।
ଅନ୍ୟପକ୍ଷରେ ଅନ୍ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ଲାଇନ ଶିକ୍ଷା ବ୍ୟବସ୍ଥା ହେବ। ଦୀକ୍ଷା ଓ ମଧୁ ଆପ୍ରୁ ମଧ୍ୟ ଭିଡିଓ ଡାଉନଲୋଡ୍ କରାଯାଇପାରିବ ବୋଲି ସୂଚନା ଦିଆଯାଇଛି।