୯ ସୁଦ୍ଧା ରାଜ୍ୟରେ ମିଳିବ ଦରମା, ପେନସନ୍
ଭୁବନେଶ୍ୱର (ଓଟି): ‘କରୋନା’ ପାଇଁ ଦେଶ ଲକଡାଉନ୍ରେ ରହିଛି। ଏଭଳି ବିପର୍ଯ୍ୟୟ ଓ ମହାମାରୀର ଆତଙ୍କ ସ୍ଥିତିରେ ରାଜ୍ୟ ସରକାର କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ଏଥିସହ ପେନସନ୍ ଉପଭୋକ୍ତାଙ୍କ କଥାକୁ ମଧ୍ୟ ଗୁରୁତ୍ଵ ଦିଆଯାଇଛି। ସୂଚନା ଅନୁସାରେ ଏପ୍ରିଲ ୯ ତାରିଖ ସୁଦ୍ଧା କର୍ମଚାରୀଙ୍କୁ ଦରମା ଓ ପେନସନ୍ ଉପଭୋକ୍ତାଙ୍କୁ ପେନସନ୍ ନିଶ୍ଚିତ ପ୍ରଦାନ କରିବା ନିମନ୍ତେ ପଦକ୍ଷେପ ନେବାକୁ ଟ୍ରେଜେରୀ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲାସ୍ତାରୟ ଅଧିକାରୀ ଓ ସବ୍-ଟ୍ରେଜେରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଗତ ସୋମବାର ଲୋକସେବା ଭବନରେ ଅନୁଷ୍ଠିତ ଓଡ଼ିଶା ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍ ଆଗତ ହୋଇସାରିଛି। ସେହି ଅନୁସାରେ ୨୦୧୯ ଜୁଲାଇ ପହିଲାରୁ ବର୍ଦ୍ଧିତ ବକେୟା ମହଙ୍ଗା ଭତ୍ତା ସହ ମାର୍ଚ୍ଚ ମାସର ପେନସନ ମଙ୍ଗଳବାର ମଧ୍ୟରାତ୍ରରେ ଆଇଏଫଏମଏସ୍ ମାଧ୍ୟମରେ ସମସ୍ତ ଟ୍ରେଜେରୀକୁ ପଠାଇ ଦିଆଯିବ। ସେହିପରି କର୍ମଚାରୀଙ୍କ ମାର୍ଚ୍ଚ ମାସ ଦରମାକୁ ଏଚଆରଏମଏସ୍ ମାଧ୍ୟମରେ ପ୍ରସ୍ତୁତ କରି ସେମାନଙ୍କ ଆକାଉଣ୍ଟକୁ ଏପ୍ରିଲ ପହିଲାରୁ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ମାର୍ଚ୍ଚ ୨୬ରୁ ଇ-ମେଲ୍ ମାଧ୍ୟମରେ ଡିଡିଏମାନଙ୍କଠୁ ଆସିଥିବା ଦରମା ବିଲକୁ ମଞ୍ଜୁରୀ କରି ଏପ୍ରିଲ ୩ତାରିଖ ସୁଦ୍ଧା ଏହା ପ୍ରଦାନ ନିମନ୍ତେ କୁହାଯାଇଛି।
ଟ୍ରେଜେରୀଗୁଡ଼ିକରେ ସାମାଜିକ ଦୂରତ୍ୱ ବଜାୟ ରଖି ସମସ୍ତ ପେନସନ୍ ଓ ଦରମା ବିଲ୍କୁ ଏପ୍ରିଲ ୯ତାରିଖ ସୁଦ୍ଧା ନିଶ୍ଚିତ ମଞ୍ଜୁର କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।