ଚିନ୍ତାରେ ପକାଇଲା ପଶ୍ଚିମବଙ୍ଗ; ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧୨୫କୁ ବୃଦ୍ଧି
ଭୁବନେଶ୍ୱର (ଓଡ଼ିଶା ଟାଇମ୍): ରାଜ୍ୟରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୩ ଜଣ ବାଲେଶ୍ୱେର ଜିଲ୍ଲାର ବୋଲି ଜଣାପଡିଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି ଘଟିଛି। ସେହିପରି କେବଳ ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ସଦ୍ୟ ଚିହ୍ନଟ ୩ଜଣ ପୁରୁଷ ଓ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି।ଏମାନଙ୍କ ବୟସ ୪୪, ୬୧ ଓ ୬୩ ବର୍ଷ।
ସୂଚନା ଅନୁସାରେ ରାଜ୍ୟରେ କ୍ରମେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାପୂର୍ବରୁ ଆଜି ରାଜ୍ୟରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସକାଳେ ଭୁବନେଶ୍ୱରର ମଧୁସୁଦନ ନଗରରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ କେନ୍ଦୁଝର, ଝାରସୁଗୁଡା ଓ ଦେବଗଡରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିଲେ। ଏହିକ୍ରମରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ୭ ଜଣ ଆକ୍ରାନ୍ତଙ୍କ ସୂଚନା ମିଳିଛି। ତେବେ ମଧୁସୁଦନ ନଗରକୁ ଛାଡିଦେଲେ ଆଉ ଅନ୍ୟ ୬ ଜଣ ପଶ୍ଚିମବଙ୍ଗ ଫେରନ୍ତା। ତେଣୁ ପଶ୍ଚିମବଙ୍ଗ ଏବେ ଓଡ଼ିଶା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି ବୋଲି ସବୁ ମହଲରେ ଆଲୋଚନା ହେଉଛି।