୮୧୨୬ କୋଟିର ଅତିରିକ୍ତ ବଜେଟ୍‌ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ଵର, (ଓଟି): ଓଡ଼ିଶା ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି। ହଟ୍ଟଗୋଳ ଭିତରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ଵାରା ଉପସ୍ଥାପନ କରାଯାଇଥିବା ବଜେଟ୍‌ର ପରିମାଣ ୮ ହଜାର ୧୨୬ କୋଟି ୩୨ ଲକ୍ଷ ଟଙ୍କା ରହିଛି। ଏହା ମୂଳ ବଜେଟ୍‌ର ୫.୮୪ ପ୍ରତିଶତ। ଅତିରିକ୍ତ ବଜେଟ୍‌ର ଆକାର ସମୁଦାୟ ମୂଳ ବଜେଟ୍‌ର ୧୦ ପ୍ରତିଶତରୁ କମ୍‌ ପରିମାଣ ହେଲେ ତାହାକୁ ଏକ ସନ୍ତୁଳିତ ଅର୍ଥନୀତିର ଉଦାହରଣ ଭାବେ ଗ୍ରହଣ କରାଯାଇଥାଏ ବୋଲି ଅର୍ଥ ସଚିବ ଅଶୋକ କୁମାର ମୀନା ପ୍ରକାଶ କରିଛନ୍ତି।

ଅତିରିକ୍ତ ବଜେଟ୍‌ରେ ପ୍ରଶାସନିକ ବ୍ୟୟ ବାବଦରେ ରହିଛି ୨୬୭ କୋଟି ୨୩ଲକ୍ଷ ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ କ୍ଷେତ୍ରରେ ୭୪୩୨ କୋଟି ୮୦ଲକ୍ଷ ଟଙ୍କା, ବିପର୍ଯ୍ୟୟ ଓ ପ୍ରଶମନ ପାଣ୍ଠି ପାଇଁ ୬.୫୨କୋଟି ଏବ˚ ରାଜ୍ୟ ବଜେଟ୍‌ରୁ ସ୍ଥାନାନ୍ତର ସ୍ବରୂପ ୪୧୯ କୋଟି ୭୮ଲକ୍ଷ ଟଙ୍କା ଏମିତି ୪ଟି କ୍ଷେତ୍ରକୁ ମିଶାଇ ମୋଟ ୮୧୨୬ କୋଟି ୩୨ଲକ୍ଷ ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍‌ ପ୍ରସ୍ତୁତ କରାଯାଇଛି।

ଯେଉଁ ବ୍ୟୟବରାଦ କରାଯାଇଛି, ତାର ପ୍ରାୟ ଅଧାରୁ ଅଧିକ ଟଙ୍କା ବିଭିନ୍ନ ବିଭାଗର ବ୍ୟୟବରାଦ ଓ ଅନୁଦାନରୁ ସମର୍ପଣ ରାଶି ଉପରେ ପର୍ଯ୍ୟବସିତ। ୪୧୪୪ କୋଟି ୫୦ଲକ୍ଷ ଟଙ୍କା ଏହି ସୂତ୍ରରୁ ଆସିବ। ୨୯୮୧ କୋଟି ୮୮ଲକ୍ଷ ଟଙ୍କା ସହବନ୍ଧିତ ଅର୍ଥାତ୍‌ ଟାଏଡ୍‌-ଅପ୍‌ ସମ୍ବଳ ସୂତ୍ରରୁ ମିଳିବ। ସେହିପରି ଅଣବନ୍ଧିତ (ଅନ୍‌ ଟାଏଡ୍‌) ସମ୍ବଳରୁ ୧୦୦୦କୋଟି ଟଙ୍କା ଆସିବ। ୮୧୭ କୋଟି ବିଭାଗମାନେ ଖର୍ଚ କରି ପାରି ନଥିବା ରାଶିରୁ ଫେରାଇବେ।

ଅର୍ଥ ବିଭାଗ ଯୁକ୍ତି ରଖିଛି ଯେ ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ବେତନ ହାର ସଂଶୋଧନ ଓ ବକେୟା ବେତନ ପ୍ରଦାନ, ବିଭିନ୍ନ ଦାବି ଅନ୍ତର୍ଗତ ହିସାବ ବ୍ୟବସ୍ଥାପନ ନିମନ୍ତେ ଏହି ଅତିରିକ୍ତ ବଜେଟ୍ ପ୍ରସ୍ତୁତ କରାଯାଇଛି। ୫-ଟି ପାଇଁ ନିଆଯାଇଥିବା ପଦକ୍ଷେପ, ମୋ ସରକାର, ଐତିହ୍ୟ ସହର ପୁରୀର ବିକାଶ, ଜନସ୍ବାସ୍ଥ୍ୟ ବିକାଶ ପାଇଁ ପଦକ୍ଷେପ, ପିଇବା ପାଣି, ଗ୍ରାମ୍ୟ ଗୃହ ନିର୍ମାଣ, କ୍ରୀଡା ଭିତ୍ତିଭୂମିର ବିକାଶ ଦିଗରେ ମୁଖ୍ୟତଃ ଏହି ଅର୍ଥ ଖର୍ଚ୍ଚ ହେବ। ଏଣୁ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ମୋଟ ଅତିରିକ୍ତ ବଜେଟ୍ ପରିମାଣର ୯୨% ଅର୍ଥ ଏ ବାବଦରେ ବ୍ୟୟ କରାଯିବ। ଯେଉଁଥିରୁ ୯୬% ଅର୍ଥାତ୍ ୭୧୨୯ କୋଟି ୩୮ଲକ୍ଷ ଟଙ୍କା ବିକାଶ ବାବଦରେ ଖର୍ଚ୍ଚ ହେବ। ଏଥିରୁ ସାମାଜିକ କ୍ଷେତ୍ର ଲାଗି ୪୫% (୩୩୩୯ କୋଟି ୩୯ଲକ୍ଷ) ଓ ଅର୍ଥନୈତିକ କ୍ଷେତ୍ରର ବିକାଶ ଲାଗି ୩ହଜାର ୭୮୯ କୋଟି ଟଙ୍କା ବରାଦ କରାଯାଇଛି।

ବଜେଟ୍ ଆକାର ରେକର୍ଡ ଛୁଇଁଛି। କାରଣ ମୂଳ ବଜେଟ୍ ଓ ଅତିରିକ୍ତ ବଜେଟ୍ ପରିମାଣକୁ ମିଶାଇଲେ, ପୂର୍ବରୁ ଏତେ ପରିମାଣର ଅର୍ଥ କେବେ ବି ବରାଦ ହୋଇନଥିଲା। ଅର୍ଥ ସଚିବ କହିଛନ୍ତି ଯେ ଆର୍ଥିକ ସ୍ଥିତି ନିୟନ୍ତ୍ରଣରେ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି ସମୟରେ ବିତ୍ତୀୟ ନିଅଣ୍ଟକୁ ରାଜ୍ୟର ମୋଟ ଘରୋଇ ଉତ୍ପାଦ ବା ଜିଏସଡିପିର ୩.୫ ପ୍ରତିଶତ ମଧ୍ୟରେ ରଖିବା ଲାଗି ସ୍ଥିର କରାଯାଇଛି। ସେହି ସୀମା ଭିତ୍ତରେ ସରକାର ରହିବେ। ସେହିଭଳି ବର୍ଷ ଶେଷ ବେଳକୁ ରାଜସ୍ବ ବଳକା ରହିବ। ମୂଳ ବଜେଟ୍‌ରେ ସରକାର ପ୍ରସ୍ତାବ ରଖିଥିଲେ ଯେ ବଢାଚଢା ଖର୍ଚ୍ଚକୁ ଭରଣା କରିବା ଲାଗି ଚଳିତ ଆର୍ଥିକ ବର୍ଷରେ ସମୁଦାୟ ୨୩ ହଜାର ୭୮୪କୋଟି ଟଙ୍କା ବିଭିନ୍ନ କ୍ଷେତ୍ରରୁ ଋଣ କରିବେ। ଏ ମଧ୍ୟରୁ ପ୍ରାୟ ୧୬ ହଜାର ୪୩୪ କୋଟି ଟଙ୍କା ଖୋଲା ବଜାରରୁ ଋଣ କରାଯିବ। ସେପ୍ଟେମ୍ବର ସୁଦ୍ଧା ୩ ହଜାରନ ୫୦୦ କୋଟି ଟଙ୍କା ସରକାର ଖୋଲା ବଜାରରୁ ଋଣ ଉଠାଇଛନ୍ତି। ଏଥିସହିତ ଏହି ସମୟ ସୁଦ୍ଧା ରାଜ୍ୟର ସମୁଦାୟ ଋଣ ପରିମାଣ ୮୩ ହଜାର ୩୦୭ କୋଟିରେ ପହଞ୍ଚିଛି।

ଅତିରିକ୍ତ ବଜେଟ୍‌ ରୂପରେଖ ବର୍ଣ୍ଣନା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା ପାଇଁ ୫୨୭ କୋଟି ୪୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଟଙ୍କିକିଆ ଚାଉଳ ପାଇଁ ଆବଶ୍ୟକ ଥିବା ୧୮୫ କୋଟି ୫୨ଲକ୍ଷ, ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ପାଇଁ ୫୦୧ କୋଟି ୫୬ଲକ୍ଷ ଟଙ୍କା, ଜନସ୍ବାସ୍ଥ୍ୟ ସେବା ପାଇଁ ୪୫୯କୋଟି, ଜାତୀୟ ସ୍ବାସ୍ଥ୍ୟ ମିସନ ପାଇଁ ୩୭୦କୋଟି, ଅତିରିକ୍ତ ପୁଷ୍ଟି କାର୍ଯ୍ୟକ୍ରମ ପୋଷଣ ପାଇଁ ୧୯୦ କୋଟି ୨୮ଲକ୍ଷ, ଶିକ୍ଷା, କ୍ରୀଡା ଓ ଦକ୍ଷତା ବିକାଶ ପାଇଁ ୧୦୭୩କୋଟି, ଗ୍ରାମ୍ୟ ଉନ୍ନୟନ ପାଇଁ ୯୪୮ କୋଟି ୫୫ଲକ୍ଷ, ସହରାଞ୍ଚଳ ଉନ୍ନୟନ ପାଇଁ ୪୧୬ କୋଟି, ପୁରୀ ପାଇଁ ଅବଢା ଯୋଜନାରେ ୭୩୦କୋଟି, ରାଜ୍ୟରେ ରାସ୍ତାର ବିକାଶ ପାଇଁ ୭୩୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

Leave a Reply

Your email address will not be published. Required fields are marked *