#କୋଭିଡ୍-୧୯: କଟକଣା ଭଙ୍ଗ ନେଇ ୨୪୫ ମାମଲା

ଭୁବନେଶ୍ୱର(ଓଟି): ମହାମାରୀ କରୋନା ଆତଙ୍କ ପାଇଁ ଦେଶ ରହିଛି ଲକ୍‌ଡାଉନ୍‌ରେ। ସବୁ ରାଜ୍ୟ ସରକାର ମଧ୍ୟ ଜନତାଙ୍କ ସୁରକ୍ଷା ପାଇଁ ଲଗାଇଛନ୍ତି କଡ଼ା କଟକଣା। ତେବେ ଯେତେ ସଚେତନତା କଲେ ମଧ୍ୟ ବିଭିନ୍ନ ସ୍ଥାନରେ ଅନେକ ଲୋକ ନିୟମ ମାନୁନଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ କଟକଣା ଭଙ୍ଗ ଅଭିଯୋଗରେ ୨୪୫ଟି ମାମଲା ରୁଜୁ କରିଛି ଓଡ଼ିଶା ପୁଲିସ୍‌। ସେ ମଧ୍ୟରେ ଲକ୍‌ଡାଉନ୍‌ କଟକଣା ଭାଙ୍ଗିବା ଅଭିଯୋଗରେ ୨୨୯ଟି ମାମଲା ଥିବାବେଳେ ହୋମ୍‌ କ୍ୱାରେଣ୍ଟାଇନ ନିୟମ ଭଙ୍ଗ ନେଇ ୬ ଜଣଙ୍କ ନାଁରେ ମାମଲା ହୋଇଛି। ସେହିପରି ଲକ୍‌ଡାଉନ୍‌ ବେଳେ ଅନ୍ୟ ନିୟମ ଭାଙ୍ଗିବା ସମ୍ପର୍କରେ ୧୦ଟି ମାମଲା ହୋଇଥିବା ରାଜ୍ୟ ପୁଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଘରୁ ନବାହାରିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଥିଲେ। ଏଥିସହ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ମଧ୍ୟ ଲୋକଙ୍କୁ ଯଥେଷ୍ଟ ସଚେତନ ଓ ସତର୍କ କରିଥିଲେ। ନିୟମ ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା।

Leave a Reply

Your email address will not be published.