କରୋନା: ଧମକାଉଛନ୍ତି ଓଏଏସ୍‌ , ଘର ଛାଡ଼ିଲେ ନେପାଳ ଫେରନ୍ତା ଦମ୍ପତି

ଭୁବନେଶ୍ଵର, (ଓଟି): ଜଣେ ଦାୟିତ୍ଵବାନ ସରକାରୀ ଅଧିକରୀ ନିଜ ଦାୟିତ୍ଵରୁ ଚ୍ୟୁତ ହୋଇଛନ୍ତି। ସେ ଭୁବନେଶ୍ଵର ଉପକଣ୍ଠ ଏକ ତହସିଲ୍‌ରେ ଜଣେ ତହସିଲ୍‌ଦାର ଭାବେ କାର୍ଯ୍ୟରତ। କିନ୍ତୁ ନିଜର ସମସ୍ତ ଦାୟିତ୍ଵକୁ ଭୁଲି ଜଣେ ନେପାଳ ଫେରନ୍ତା ଅର୍ଥନୀତିଜ୍ଞ ଦମ୍ପତିଙ୍କୁ ନିଜ ପଡ଼ିଶା ଆପାର୍ଟମେଣ୍ଟ ୟୁନିନଟ୍‌ରୁ ବହିଷ୍କାର କରିଛନ୍ତି। ତାହା ପୁଣି କିଛି ସ୍ଥାନୀୟ ବାହୁବଳୀଙ୍କ ସହାୟତାରେ। କୋଭିଡ୍‌-୧୯ କରୋନା ଭୁତାଣୁ ବାବରେ ଚାଲିଥିବା ଗୁଜବରୁ ଲୋକଙ୍କୁ ହଟାଇବା ଏବଂ ସାଚତନତା ସୃଷ୍ଟି ପାଇଁ ଏହି ସ୍ତରୀୟ ଅଧିକାରୀଙ୍କ ସହାୟତାକୁ ସରକାର ଜରୁରୀକାଳୀନ ଭିତ୍ତିରେ ନିୟୋଜିତ କରୁଥିବା ବେଳେ ଅଧିକାରୀମାନଙ୍କ ଏପରି ଦାୟିତ୍ଵହୀନ ରୁଢ଼ିବାଦୀ ବ୍ୟବହାର ଯୋଗୁ କିପରି ସାଧାରଣ ଲୋକ ପ୍ରଭାବିତ ହେଉଛନ୍ତି ତାହାର ଏକ ଉଦାହରଣ ସୃଷ୍ଟି ହୋଇଛି।

ଘଟଣା ରାଜଧାନୀ ଉପକଣ୍ଠର ବାଲିଅନ୍ତା ତହସିଲ୍‌ ପାଖ ବର୍ଷା ରିଭେରା ଆପାର୍ଟମେଣ୍ଟରେ ଘଟିଛି। ଏହି ଆପାର୍ଟମେଣ୍ଟରେ ଦୀର୍ଘବର୍ଷ ହେଲା ଜଣେ ଅର୍ଥନୀତିଜ୍ଞ ନିଜର ଆବାସ କିଣିଛନ୍ତି। ସେ ଏବଂ ତାଙ୍କ ପତ୍ନୀ କିନ୍ତୁ ନେପାଳ ରାଜଧାନୀ କାଠମାଣ୍ଡୁରେ ଅବସ୍ଥାନ କରନ୍ତି। କିଛି ଦିନ ତଳେ ସେମାନେ କାଠମାଣ୍ଡୁରୁ ନିଜ ଦେଶକୁ ଫେରିଛନ୍ତି। କାଠମାଣ୍ଡୁ କରୋନା ପ୍ରଭାବିତ ଅଞ୍ଚଳ ହୋଇ ନଥିଲେ ମଧ୍ୟ ପ୍ରଶାସନ ପାଖରେ ଆବଶ୍ୟକ ଯାଞ୍ଚ, ରେକର୍ଡ଼ ଦାଖଲ ପରେ ସେ ନିଜ ଘରେ ଆତ୍ମପୃଥକୀକରଣ ବ୍ୟବସ୍ଥାରେ ରହୁଥିଲେ। କିନ୍ତୁ ତାଙ୍କ ବାବଦରେ ରେକର୍ଡ଼ ଯେତେେବେଳ ସମ୍ପୃକ୍ତ ତହସିଲ୍‌ଦାରଙ୍କ ପାଖଷର ପହଞ୍ଚିଲା କିଛି ନବୁଝି ନଶୁଝଇ ସମ୍ପୃକ୍ତ ତହସିଲ୍‌ଦାର ଆପାର୍ଟମେଣ୍ଟରେ ହଙ୍ଗାମା ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ସମସ୍ତ ନିୟମାବଳୀକୁ ଭାଙ୍ଗି ସେ ଜିଲ୍ଲାପାଳଙ୍କୁ ଏ ବାବଦରେ ଚାପ ପକାଇଲେ। କିନ୍ତୁ ନିୟମ ଅନୁସାରେ ସମ୍ପୃକ୍ତ ଦମ୍ପତି ଥିବାରୁ ତହସିଲ୍‌ଦାରଙ୍କୁ ଚୁପ୍‌ ରହିବାକୁ ଜିଲ୍ଲାପାଳ କହିଥିବା ଜଣାପଡ଼ିଛି। ହେଲେ ଜିଲ୍ଲାପାଳଙ୍କ ପ୍ରତିଶୃତିକୁ ବେଖାତିର କରି ତହସିଲ୍‌ଦାର ତାଙ୍କୁ ଘରୁ ବାହାରିଯିବା ପାଇଁ ଧମକ ଦେଇଥିଲେ। ଏଥିନେଇ ସେ ସ୍ଥାନୀୟ କିଛି ବାହୁବଳୀଙ୍କୁ ମଧ୍ୟ ବ୍ୟବହାର କରିଥିଲେ। ନିଜ ଜୀବନକୁ ରକ୍ଷା କରିବାକୁ ଯାଇ ସେ ଏବେ ଭୁବନେଶ୍ଵରର ଏକ ହୋଟେଲ୍‌ରେ ରହୁଛନ୍ତି। ଏଥିଲାଗି ତାଙ୍କୁ ଅଯଥାରେ ଅନେକ ଅର୍ଥ ବ୍ୟୟ କରିବାକୁ ପଡ଼ୁଛି।

ଜରୁରୀ ନିର୍ଦେଶାବଳୀକୁ ବାଳନ କରିବାକୁ ଯାଇ ଆମେ ତାଙ୍କ ନାଁ ଏଠାରେ ଉଲ୍ଲେଖ କରୁ ନାହୁଁ। କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ପୁଲିସ କମିଶନର ଏବଂ ଜିଲ୍ଲାପାଳଙ୍କ ସହଯୋଗ ମାଗିଥିଲେ ବି ଏ ବାବଦରେ ତାଙ୍କୁ କେହି ଶୁଣି ନାହାନ୍ତି। ଏହା ପ୍ରମାଣ କରୁଛି ଯେ, ଏବେ ରାଜ୍ୟରେ କେହି ବି ଅରାଜକତା ସୃଷ୍ଟି କରିପାରିବେ!!

ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସହ ଏପରି ବିଦେଶାଗତଙ୍କୁ ସୁରକ୍ଷିତ ରଖିବା ଲାଗି ତାଙ୍କ ବନ୍ଧୁମାନେ ନିବେଦନ କରିଛନ୍ତି। ନହେଲେ ହୁଏତ ବିଦେଶାଗତଙ୍କ ପ୍ରତି ଲୋକଙ୍କ ଅସହିଷ୍ଣୁ ବିଚାର ଅତି କଷ୍ଟକର ହେବ ବୋଲି ଆଶଙ୍କା କରାଯାଉଛି ।

Leave a Reply

Your email address will not be published.