#covid19: ଓଡ଼ିଶା ଚାହୁଁଛି ଆପଣଙ୍କୁ, ତୂରନ୍ତ ଯୋଗାଯୋଗ କରିବାକୁ ସରକାରଙ୍କ ଆହ୍ବାନ
ଭୁବନେଶ୍ଵର, (ଓଟି): ସାରା ବିଶ୍ଵ ଏବେ କୋଭିଡ୍-୧୯ ଭୁତାଣୁରେ ଆକ୍ରାନ୍ତ। ଓଡ଼ିଶା ଏଥିରୁ ବାଦ୍ ପଡ଼ି ନାହିଁ। ଏଯାଏ କରୋନା ପଜିଟିଭ୍ ଚିହ୍ନଟ ସଂଖ୍ୟା ୩ ଥିଲେ ମଧ୍ୟ ଆଗକୁ ତାହା ବିସ୍ଫୋରକ ହେବ ବୋଲି ଆଶଙ୍କା କରାଯାଉଛି। ଏହି ଆଶଙ୍କା ସତ ହେଲେ ଆମେ ଖୁବ୍ ଶୀଘ୍ର ଷ୍ଟେଜ୍-୩ରେ ପହଞ୍ଚିଯିବା। ପରିସ୍ଥିତିକୁ ପରିଚାଳନା କରିବା ପାଇଁ ଓଡ଼ିଶା ସରକାର ସରକାରୀ କଳ ଉପରେ ଯେମିତି ଭରସା କରୁଛି ସେଥିରେ ପ୍ରଫେସନାଲ୍ ବିଶେଷଜ୍ଞଙ୍କୁ ସାମିଲ୍ କରି ଏହି ବଳକୁ ମଜଭୁତ କରିବାକୁ ଚାହୁଁଛି। ଏଣୁ ସରକାରଙ୍କ ପକ୍ଷରୁ ବରିଷ୍ଠ, ଅଭିଜ୍ଞ ପ୍ରଫେସନାଲ୍ ମାନଙ୍କୁ ସ୍ଵେଚ୍ଛସେବୀ ଭାବେ ଗ୍ରହଣ କରିବାକୁ ସରକାର ଆହ୍ବାନ ଜଣାଇଛନ୍ତି।
ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ଖୋଲା ଚିଠି ଲେଖାଯାଇଛି। ଏଥିରେ କୁହାଯାଇଛି ଯେ, ଓଡ଼ିଶା ସରକାର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପ୍ରଣପଣେ ଉଦ୍ୟମ କରୁଛନ୍ତି। ଏହି ଉଦ୍ୟମରେ ସାମିଲ୍ ହେବାକୁ ଆମେ ଅନେକ ପ୍ରଫେସନାଲ୍ଙ୍କ ଇଚ୍ଛା ପ୍ରକାଶ ଜାଣିବାକୁ ପାଇଛୁ। ଏଥିଲାଗି ସରକାର ଚାହିଁଛନ୍ତି ଯେ, ଯେଉଁମାନେ ବଡ଼ ବଡ଼ କମ୍ପାନୀଙ୍କ ସହ କାର୍ଯ୍ୟ କରିଛନ୍ତି ଏବଂ ଏହି ବିପର୍ଯ୍ୟୟ ସମୟରେ ସରକାରଙ୍କ ସଙ୍ଗେ କାମ କରିବା ଲାଗି ଆଗ୍ରହ ରଖିଛନ୍ତି ସେମାନଙ୍କୁ କୋଭିଡ୍-୧୯ ମୁକାବିଲାବଳରେ ସାମିଲ୍ କରାଯିବ। ବିଶେଷକରି ସ୍ଵାସ୍ଥ୍ୟସେବା, ମେଡିକାଲ, ହସ୍ପିଟାଏ୍ ଭିତ୍ତିଭୂମି, ପରିଚାଳନା, ଆନ୍ତର୍ଜାତୀୟ ସ୍ତରରେ ଲଜିଷ୍ଟିକ୍ସ ପରିଚାଳନା, ଆବଶ୍ୟକ ସରଞ୍ଜାମ କିଣା କ୍ଷେତ୍ରରେ ଅଭିଜ୍ଞତା ରହିଛି ସେମାନ ସରକାରଙ୍କୁ ଏ ବାବଦରେ ନିବେଦନ କରିପାରିବେ।
ଏହି ବ୍ୟକ୍ତିମାନେ ମୁଖ୍ୟସଚିବଙ୍କୁ ସିଧାସଳଖ ନିଜର ଆଗ୍ରହ ପ୍ରଦାନ କରିପାରିବେ। ମୁଖ୍ୟ ସଚିବଙ୍କ ସ୍ଵତନ୍ତ୍ର ଅଧିକାରୀ ବିଶାଳ ଦେବଙ୍କୁ ଯୋଗାଯୋଗ କରିବା ଲାଗି ଟେଲିଫୋନ୍ ନମ୍ବର ଏବଂ ଇମେଲ୍ ପ୍ରକାଶ କରାଯାଇଛି। ଏହି ଟେଲିଫେଶନ୍ ନମ୍ବର ହେଉଛି: ୦୬୭୪-୨୫୩୬୭୨୭/ ଫ୍ୟାକ୍ସ- ୦୬୭୪୨୩୯୬୩୪୮/ ଇମେଲ୍ : vishal.k.dev@gmail.com