#OdishaFightsWithCorona: ଅଧିକ ଟେଷ୍ଟିଂ ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଲେ ସରକାର
ଭୁବନେଶ୍ୱର(ଓଟି): ମହାମାରୀ କରୋନା ହଟ୍ସ୍ପଟ୍ ପାଲଟିଛି ରାଜଧାନୀ ଭୁବନେଶ୍ଵର। ଏନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିବା ସହ ମୁକାବିଲା ପାଇଁ ତ୍ଵରିତ୍ ପଦକ୍ଷେପ ନେଉଛନ୍ତି। ସେହିପରି ସହରକୁ ତୁରନ୍ତ କରୋନାମୁକ୍ତ କରିବା ଲାଗି ରାଜ୍ୟ ସରକାର ସୁଚିନ୍ତିତ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମଧ୍ୟ କୁହାଯାଇଛି। ଏନେଇ ମୁଖ୍ୟଶାସନ ସଚିବ ଅସୀତ ତ୍ରିପାଠୀ ଆଜି ସବିଶେଷ ସୂଚନା ଦେଇଛନ୍ତି। ରାଜଧାନୀରେ କୋଭିଡ-୧୯ ନମୁନା ପରୀକ୍ଷଣ ୭ ଦିନ ମଧ୍ୟରେ ୫ ହଜାରକୁ ବୃଦ୍ଧି କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏଥିସହ ସାରା ଦେଶରେ ଭୁବନେଶ୍ୱର ଦୈନିକ ଭିତ୍ତିରେ ତଥା ସାମଗ୍ରିକ ଭାବେ ସର୍ବାଧିକ ଟେଷ୍ଟିଂ କରିବାକୁ ଯୋଜନା କରାଯାଇଛି।
ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ମୋଟ ୭ଟି ଲ୍ୟାବ୍ରୁ କେବଳ ୬ଟି ସରକାରୀ ଲାବରୋଟରୀରେ ୭ହଜାର ୫୭୭ ନମୁନା ପରୀକ୍ଷଣ କରାଯାଇଛି। ସେଥିରୁ ୬୦ଟି ପଜିଟିଭ କେସ୍ ଆସିଛି। ସେ ମଧ୍ୟରୁ କେବଳ ଭୁବନେଶ୍ୱରରେ ୪୬ଟି କେସ୍ ଚିହ୍ନଟ ହୋଇଛି। ତେବେ ରାଜ୍ୟ ସରକାରଙ୍କ କଣ୍ଟେନମେଣ୍ଟ ଜୋନ, ଲକଡାଉନ ଏବଂ ସଟ୍ଡାଉନ ଭଳି କଡ଼ା ପଦକ୍ଷେପ ଯୋଗୁ ଭୁବନେଶ୍ୱର ସହ ରାଜ୍ୟରେ ଗତ ୨ ଦିନ ହେଲା ପଜିଟିଭ କେସ୍ ମିଳିନାହିଁ। ଅନୁରୂପ ଭାବେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୧ହଜାର ୯୫୮ଟି ଟେଷ୍ଟିଂ ହୋଇଛି। ଯାହା ରାଜ୍ୟର ମୋଟ ପରୀକ୍ଷଣର ୩୮ ପ୍ରତିଶତ। ତେବେ ଏହି ପରିମାଣକୁ ଆଗାମୀ ୭ଦିନରେ ୫ ହଜାରକୁ ବୃଦ୍ଧି ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ୪ଟି ଭାଗରେ ବିଭକ୍ତ କରାଯାଇଛି ଏବଂ ଜନସାଧାରଣ ସହଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ ଜଣାଇଛନ୍ତି।