#CoronaUpdates: କରୋନା ତଥ୍ୟ ଲୁଚାଉଛନ୍ତି ଓଡ଼ିଶା ସରକାର
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଓଡ଼ିଶା ସରକାର କରୋନା ମୁକାବିଲା ପାଇଁ ନେଉଥିବା ପଦକ୍ଷେପକୁ ପ୍ରଚାର କରିବାରେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ଏହାର ସୂଚନା ପ୍ରଦାନ ବିଭାଗଗୁଡ଼ିକ ବି ନିଜର ପ୍ରକୃତ କାମ ଭୁଲିଯାଉଛନ୍ତି। କେବଳ ସରକାରଙ୍କ ପ୍ରଚାରଧର୍ମୀ କାହାଣୀକୁ ଗଣମାଧ୍ୟମରେ କିପରି ରୋପଣ କରାଯାଇପାରିବ ସେଥିଲେ ଲାଗିପଡ଼ିଛନ୍ତି। ଫଳରେ ପ୍ରକୃତରେ ଯେଉଁ କରୋନା (କୋଭିଡ-୧୯) ବାବଦରେ ଜାଣିବା ପାଇଁ ଲୋକଙ୍କ ମନରେ ଆକାଂକ୍ଷା ରହିଛି ତାହା ପୂରଣ ହୋଇପାରୁ ନାହିଁ। ଅପରପକ୍ଷେ ସରକାର ସୂଚନା ବ୍ୟତୀତ କେବଳ ସରକାରୀ ପ୍ରଚାର ପାଇଁ ପଦକ୍ଷେପକୁ ଗଣମାଧ୍ୟମରେ ପ୍ରସାର ପାଇଁ ବାଧ୍ୟ କରାଉଛନ୍ତି। ଲୋକଙ୍କୁ ବିଭ୍ରାନ୍ତ କରିବାର ଏହି ଚକ୍ରାନ୍ତ ସରକାରୀ କଳରେ ଉଚିତ ସଂଯୋଗର ଅଭାବକୁ ପ୍ରଦର୍ଶିତ କରୁଛି।
ଲଗାତାର କିଛି ଦିନ ହେଲା ସରକାରଙ୍କ ପକ୍ଷରୁ ଯେଉଁ ଲାଇଭ୍ ଭିଡିଓବାର୍ତ୍ତା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଛି ସେଥିରେ କରୋନା ରୋଗୀଙ୍କ ବାବଦୀୟ ତଥ୍ୟ ଦୁଇଦିନର ପୁରୁଣା ରହୁଛି। କିଛିଦିନ ତଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ସ୍ଵାସ୍ଥ୍ୟ ବିଭାଗର ଟ୍ବିଟର ହ୍ୟାଣ୍ଡଲ ନମୁନା ପରୀକ୍ଷଣ ଏବଂ ଆକ୍ରାନ୍ତ, ମୃତ ଚିକିତ୍ସିତ ବ୍ୟକ୍ତିଙ୍କ ବାବଦରେ ସୂଚନା ରଖୁଥିଲେ। ହେଲେ ଏବେ ତାହା ବି ହେଉ ନାହିଁ।
ଏବେ ଯେଉଁ ତଥ୍ୟ ସ୍ଵାସ୍ଥ୍ୟ ବିଭାଗ ଟ୍ବିଟର ହ୍ୟାଣ୍ଡଲରେ ଗୁରୁବାର ରାତି ୧୨ଟା ବେଳକୁ ଅପଲୋଡ୍ କରିଛନ୍ତି ସେଥିରେ ୧୫ ତାରିଖ ଅର୍ଥାତ୍ ବୁଧବାର ରାତି ୧୨ଟା ଯାଏ ତଥ୍ୟକୁ ପ୍ରଦାନ କରାଯାଇଛି। ଏପରିକି ବିଭିନ୍ନ ଚିତ୍ର ଓ ଗ୍ରାଫିକ୍ସ ମାଧ୍ୟମରେ ତାହାକୁ ବୁଝାଇବାକୁ ଚେଷ୍ଟା କରାଯାଇଛି।
ସେହି ୪୮ ଘଣ୍ଟା ପୁରୁଣା ତଥ୍ୟକୁ ସରକାରଙ୍କ ପକ୍ଷରୁ ଭିଡିଓ ବାର୍ତ୍ତା ଓ ମିଡିଆ ବାର୍ତ୍ତାରେ ପ୍ରଦାନ କରାଯାଇଥିଲା।
ଭାରତ ସରକାରଙ୍କ ପକ୍ଷରୁ ତଥା ରାଜ୍ୟ ସରକାରମାନଙ୍କ ପକ୍ଷରୁ ପ୍ରତିଦିନ ପ୍ରେସ୍ ଆଗରେ ଦେଶ ଓ ରାଜ୍ୟମାନଙ୍କ ସ୍ଥିତି ପ୍ରଦାନ କରାଯାଉଛି। ହେଲେ ଓଡ଼ିଶା ସରକାରଙ୍କ ପକ୍ଷରୁ କାହିଁକି ତଥ୍ୟକୁ ଏପରି ଲୁଚା ଯାଉଛି ତାହାର କାରଣ ବୁଝାପଡ଼ୁନାହିଁ। ବିଗତ ଦିନମାନଙ୍କରେ ଭିନ୍ନ ଭିନ୍ନ ବିଭାଗ ଭିନ୍ନ ଭିନ୍ନ ତଥ୍ୟ ଉପସ୍ଥାପନ କରିଥିବା ନଜରକୁ ଆସିଥିଲା। ଏହା ପରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏହା ଟେକ୍ନିକାଲ୍ ତ୍ରୁଟି ବାଲି ସ୍ପଷ୍ଟୀକରଣ ରଖାଯାଇଥିଲା। ଏହାପରେ ଲୋକଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ବଦଳରେ ସରକାର ପୂରା ତଥ୍ୟକୁ ହିଁ ଲୁଚାଇଦେଲେ। ଓଡ଼ିଆ ଢଗରେ କହିବାକୁ ଗଲେ ‘ମୁଳୁ ମାରିଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କଳି’। ତଥ୍ୟ ଦେଲେ ସିନା ଗଣମାଧ୍ୟମ ଏହାକୁ ଆଲୋଚନା କରୁଛି, ତଥ୍ୟ ନଦେଲେ କିଏ କ’ଣ କରିବ? ଏହି ଭାବନାରେ ଥିବା ରାଜ୍ୟ ସରକାରଙ୍କ ବିଭାଗଗୁଡ଼ିକ କିପରି କାର୍ଯ୍ୟ କରୁଛନ୍ତି ଏବଂ ଏହାର ସମୀକ୍ଷା କିପରି ହେଉଛି ତାହା ସନ୍ଦେହଜନକ।
ମିାିଥିବା ରିପୋର୍ଟ ଅନୁସାରେ ଆଇସିଏମ୍ଆର୍ଙ୍କ ଲ୍ୟାବୋରେଟୋରୀ ଆର୍ଏମ୍ଆର୍ସି ପ୍ରତିଦିନ ସନ୍ଧ୍ୟା ୯ଟା ବେଳ ସୁଦ୍ଧା ତାହାଙ୍କ ତଥ୍ୟ ସରକାରଙ୍କୁ ପ୍ରଦାନ କରିଥରଆନ୍ତି। ହେଲେ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ଏଥିପ୍ରତି ଅବହେଳା ପ୍ରଦର୍ଶନ କରିବା ଦ୍ଵାରା ରାଜ୍ୟବାସୀ ଅନ୍ଧାରରେ ରହିଛି।

ରାଜ୍ୟ ସରକାରଙ୍କ ପୁରୁଣା ତଥ୍ୟ ଅନୁସାରେ ମଙ୍ଗଳବାର ଓ ବୁଧବାର ପରୀକ୍ଷଣ ସଂଖ୍ୟା ବଢ଼ିଥିଲେ ସୁଦ୍ଧା କୌଣସି ନୂତନ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇନାହିଁ। ଶେଷଥର ପାଇଁ ମଙ୍ଗଳବାରଦିନ ୪ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା।











