ନିର୍ବାଚନରେ ମାତିଲେ, ଭୁଲିଗଲେ ପ୍ରତିଶ୍ରୁତି : ଚାଷୀ ପାଇଲେନି ସହାୟତା
କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା): ଚାଷୀଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରି ଚାଷୀଙ୍କୁ ସହାୟତା ପ୍ରଦାନ କରୁଥିବା ପ୍ରଚାର କରାଯାଉଛି । କିନ୍ତୁ ଗତ ଖରିଫ ଋତୁରେ ଲଗାଣ ବର୍ଷା ଯୋଗୁ କ୍ଷତିଗ୍ରସ୍ଥ ହୋଇଥିବା ଚାଷୀଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଛନ୍ତି । ଫଳରେ ଲକ୍ଷ ଲକ୍ଷ କ୍ଷତିଗ୍ରସ୍ତ ଚାଷୀଙ୍କୁ ନିରାଶ ହେବାକୁ ପଡ଼ିଛି ।
ଗତ ଜୁଲାଇ ଓ ଅଗଷ୍ଟ ମାସରେ ଲଗାଣ ବର୍ଷା ହେବା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ସମଗ୍ର ଉପକୁଳ ଓଡ଼ିଶାର ହଜାର ହଜାର ହେକ୍ଟର ଚାଷ ଜମି ବର୍ଷା ପାଣିରେ ବୁଡ଼ି ଧୋଇ ଯାଇଥିଲା । ବୁଡ଼ି ଯାଇଥିବା ଜମିରୁ ଚାଷୀମାନେ ଧାନ ଉତ୍ପାଦନ କରିନପାରି କ୍ଷତି ସହିବାକୁ ବାଧ୍ୟ ହୋଇଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦିଆଯିବା ପାଇଁ ସେସମୟରେ ଚାଷୀମାନେ ଦାବି କରିଥିଲେ । କ୍ଷତିପୁରଣ ଦାବିରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ମଧ୍ୟ ଆରମ୍ଭ କରିଦେଇଥିଲେ ।
ଏହାକୁ ଦେଖି ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ଏକର ପିଛା ୧୦ ହଜାର ଟଙ୍କା ଲେଖା କ୍ଷତିପୁରଣ ପ୍ରଦାନ କରାଯିବ ବୋଲି ତତ୍କାଳୀନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଘୋଷଣା କରିଥିଲେ । ଚାଷୀମାନେ କୃଷିମନ୍ତ୍ରୀ ମହାରଥୀଙ୍କ କଥାକୁ ବିଶ୍ୱାସ କରି ଆନ୍ଦୋଳନରୁ ନିବୃତ୍ତ ରହିଥିଲେ । କୃଷିମନ୍ତ୍ରୀଙ୍କ ଘୋଷଣା ପରେ ଲଗାଣ ବର୍ଷାରେ କ୍ଷତିଗ୍ରଦସ୍ତ ହୋଇଥିବା ଚାଷ ଜମିର ସର୍ଭେ କରାଯାଇ କୃଷି ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବାକୁ କୃଷି ବିଭାଗରୁ ଜିଲ୍ଲା ପ୍ରଶାସନ ନିକଟକୁ ଚିଠି ଆସିଥିଲା ।
ଏହି ଚିଠି ଆସିବା ପରେ ରାଜସ୍ୱ ବିଭାଗର ଆର.ଆଇ.ମାନେ ନିଜ ନିଜ ଅଂଚଳରେ ଲଗାଣ ବର୍ଷାରେ ଧୋଇଯାଇଥିବା ଚାଷ ଜମିର ସର୍ଭେ କରି କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କର ତାଲିକା ବି ପ୍ରସ୍ତୁତ କରିଥିଲେ । କ୍ଷତିଗ୍ରସ୍ତଙ୍କ ତାଲିକାରେ ଚାଷୀଙ୍କ ନାମ ରଖିବା ପାଇଁ କିଛି ଆର.ଆଇ. ଚାଷୀଙ୍କ ଠାରୁ ବି ଉକ୍ରୋଚ ନେବାକୁ ପଛାଇ ନାହାନ୍ତି । ଏପରିକି ସେମାନେ୨ହଜାର ଟଙ୍କା ଲେଖା ଲାଞ୍ଚ ନେଇଥିବା ମଧ୍ୟ ଅଭିଯୋଗ ହେଉଛି । ହେଲେ ଫଳ ଶୂନ୍ୟ ହୋଇଛି ।
ଲଗାଣ ବର୍ଷାରେ କ୍ଷତିସହିଥିବା ଚାଷୀଙ୍କୁ ସରକାର ସହାୟତା ପ୍ରଦାନ କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମିତ ବୈଠକରେ ରିଜୋଲ୍ୟୁସନ ପାସ କରାଯାଇ ସରକାରଙ୍କ ନିକଟକୁ ପଠାଯାଇଛି । ହେଲେ ଏହାମଧ୍ୟରେ ଅନେକ ଦିନ ବିତିଯାଇଥିଲେ ବି ଚାଷୀମାନେ ସହାୟତା ପାଇ ନାହାଁନ୍ତି । ଚାଷୀମାନେ ସରକାରୀ ସହାୟତାକୁ ଚାହିଁ ଚାହିଁ ଶେଷରେ ନିରାଶ ହୋଇଛନ୍ତି ଓ କୃଷିମନ୍ତ୍ରୀ ମହାରଥୀଙ୍କ କଥା ପାଣିରଗାରରେ ପରିଣତ ହୋଇଛି । କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ସହାୟତା ପାଇବେ କି ନାହିଁ ସେ ସମ୍ପର୍କରେ ସରକାର ବା ପ୍ରଶାସନ ପକ୍ଷରୁ ଆଉ କିଛି କୁହାଯାଉନାହିଁ । ଏହି କ୍ଷତିଗ୍ରସ୍ଥ ଚାଷୀଙ୍କ ବିଷୟକୁ ସରକାର ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିବା ଏବେ ପ୍ରାମାଣିତ ହୋଇଛି ।