୧୦ ହଜାରରେ ଜଣେ ବେକାରୀଙ୍କୁ ଚାକିରି ଦେବାରେ ସକ୍ଷମ ହେଉଛନ୍ତି ରାଜ୍ୟ ସରକାର

ଓଡ଼ିଶା ସରକାରଙ୍କ ବେକାରୀ ଦୂରୀକରଣ ସ୍ଲୋଗାନ୍‌ କେବଳ ଧୂଆଁବାଣ। ଯଦି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନିଜକୁ ବେକାରୀ ବୋଲି ଦର୍ଶାଇ ପଞ୍ଜିକରଣ କରିଥିବା ଯୁବାବର୍ଗଙ୍କ ସଂଖ୍ୟା ଓ ସେମାନଙ୍କ ନିଯୁକ୍ତି ସମ୍ପର୍କରେ ତର୍ଜମା କରାଯାଏ, ତେବେ ଏହି ହାର ହେଉଛି ୦.୦୧ ପ୍ରତିଶତ। ଅର୍ଥାତ୍‌ ପ୍ରତି ୧୦ ହଜାର ଚାକିରି ଆଶାୟୀଙ୍କ ଭିତରୁ ମାତ୍ର ଜଣଙ୍କ ଭାଗ୍ୟରେ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିପାରୁଛନ୍ତି ରାଜ୍ୟ ସରକାର। ଅନ୍ୟଭାଷାରେ କହିବାକୁ ଗଲେ, ଏହିଭଳି ପଞ୍ଜିକୃତ ବେକାରୀଙ୍କ ଭିତରୁ ସରକାରୀ କଳ ବର୍ଷକୁ ହାରାହାରି୨୬୪୫ଜଣଙ୍କୁ ନିଯୁକ୍ତି ଦେବାରେ ସମର୍ଥ ହୋଇପାରୁଛି।

ପୁଣି ଏହି ନିଯୁକ୍ତି ହାର ବର୍ଷେ ବା ଦୁଇବର୍ଷର ନୁହେଁ। ଧିରେ ଧିରେ ସରକାରଙ୍କ ବେକାରୀ ଦୂରୀକରଣ ପ୍ରକ୍ରିୟା କିପରି ଶିଥିଳ ହେଉଛି ତାହା ଏହି ତଥ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି। ୨୦୦୯ ମସିହାରୁ ଆରମ୍ଭ କରି ୨୦୧୮ ମସିହା ମଧ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜିଲ୍ଲାରେ ଥିବା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ସବୁଦାୟ ୨୨ଲକ୍ଷ ୫୭ ହଜାର ୧୮୦ ଜଣ ଶିକ୍ଷିତ ଯୁବକ ବେକାର ବୋଲି ଦର୍ଶାଇ ସରକାରଙ୍କଠାରୁ କର୍ମ ନିଯୁକ୍ତି ସହାୟତା ହାସଲ କରିଥିଲେ। ସେମାନଙ୍କ ନାମ ପଞ୍ଜିକରଣ ହୋଇଥିଲା। ଏମାନଙ୍କୁ ସରକାରୀ ସଂସ୍ଥା ବା ଘରୋଇ ସଂସ୍ଥାରେ ନିଯୁକ୍ତି ପାଇଁ ଥିବା ସୁଯୋଗ ବିଷୟରେ ବତାଇବା ଓ ସେମାନଙ୍କୁ ନିଯୁକ୍ତି ପାଇଁ ସହାୟତା ଯୋଗାଇବା ସରକାରଙ୍କ କାମ ଭାବେ ଗଣାଯାଏ। ଏହିୀକ୍ରମରେ ବିଭିନ୍ନ ସମ୍ରରେ ଜିଲ୍ଲା ବ୍ଲକ୍‌ ସ୍ତରୀୟ ନିଯୁକ୍ତିମେଳା ସରକାର ଆୟୋଜନ କରିଥାଆନ୍ତି। କିନ୍ତୁ ଏସବୁ ଧୀରେ ଧୀରେ କିପରି ଫେଲ୍‌ ମାରିଛି ତାହା ଏହି ତଥ୍ୟରୁ ସ୍ପଷ୍ଟ ହେଉଛି।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଉଷାଦେବୀଙ୍କ ଉତ୍ତର ଅନୁସାରେ, ୨୦୦୯ରୁ ୨୦୧୮ ମସିହା ମଧ୍ୟରେ ଯୁବକଙ୍କୁ ନିଯୁକ୍ତି ପ୍ରଦାନରେ ସରକାର ଫେଲ୍‌ ମାରିଥିବା ସ୍ପଷ୍ଟ ହେଉଛି। ୨୦୦୯ ମସିହାରେ ସରକାର ୮ହଜାର ୪୬ ଜଣ ଯୁବକଙ୍କୁ ନିଯୁକ୍ତି ଦେଇଥିବା ବେଳେ ୨୦୧୮ ମସିହାରେ ଏହି ସଂଖ୍ୟା ୩୧୯୬କୁ ଖସି ଆସିଥିବା ଜଣାପଡ଼ିଛି।

ମନ୍ତ୍ରୀ ଉଷାଦେବୀ, ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଏହି ୯ ବର୍ଷ ଭିତରେ ସମୁଦାୟ ୨୬ହଜାର ୪୫୦ ଜଣଙ୍କୁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ମାଧ୍ୟମରେ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତି ପରିମାଣ ବର୍ଷୱାରୀ କମୁଥିବାବେଳେ ୨୦୧୮ରେ ସାମାନ୍ୟ ବୃଦ୍ଧି ପାଇଛି। ୨୦୧୦ରେ ରାଜ୍ୟ ସରକାର ଏହି ସଂସ୍ଥା ମଧ୍ୟମରେ ପଞ୍ଜିକୃତ କର୍ମ ସନ୍ଧାନକାରୀଙ୍କଭିତରୁ ମାତ୍ର ୬୪୯୫ଜଣଙ୍କୁ ନିଯୁକ୍ତି ଦେଇଥିଲେ। ୨୦୧୧ରେ ଏହି ସଂଖ୍ୟା ୫୭୯୧ ଥିବା ବେଳେ ୨୦୧୨ରେ ୫୮୬୮, ୨୦୧୩ରେ ୪୬୬୬, ୨୦୧୪ ମସିହାରେ ୩୧୬୬, ୨୦୧୫ରେ ୩୮୪୯, ୨୦୧୬ରେ ୨୭୯୬ ଏବଂ ୨୦୧୭ ମସିହାରେ ସରକାର ଏକ୍ସଚେଞ୍ଜ ପଞ୍ଜିକୃତ ବେକାରଙ୍କ ଭିତରୁ ମାତ୍ର ୨୭୮୭ଜଣଙ୍କୁ ଚାକିରି ଦେବାରେ ସମର୍ଥ ହୋଇପାରିଛନ୍ତି ।

ପୁଣି ବେକାରୀଙ୍କୁ ନିଯୁକ୍ତି ଦେବା ଦିଗରେ ପୁରୀ, ବୌଦ ଏବଂ ଦେବଗଡ଼ ଜିଲ୍ଲାର ସଫଳତା ନିମ୍ନମାନର ରହିଛି। ୧୦ ବର୍ଷ ଭିତରେ ଏହି ତିନୋଟି ଜିଲ୍ଲାରେ ୧୦୦ ଜଣ ବେକାର ଯୁବକଙ୍କୁ ବି ନିଯୁକ୍ତି ଦେବାରେ ସମର୍ଥ ହୋଇ ନାହିଁ ଏଠାର ଜିଲ୍ଲା ପ୍ରଶାସନ। ଅପରପକ୍ଷେ ଏହି ୧୦ ବର୍ଷ ଭିତରେ ଭୁବନେଶ୍ସଵରରେ ସର୍ବାଧିକ ୫୦୭୨ ଜଣ ଆଶାୟୀ ଯୁବକ ଯୁବତୀଙ୍କୁ ସରକାରୀ କଳ ନିଯୁକ୍ତି ଦେବାରେ ସକ୍ଷମ ହୋଇଛି।

Leave a Reply

Your email address will not be published.