#covid19: ରାଜ୍ୟରେ ୭୮ହଜାର୨୩୩ ନୂଆ କରୋନା ସନ୍ଦିଗ୍ଧ

ଭୁବନେଶ୍ଵର, (ଓଟି): ବିଗତ କିଛିଦିନରେ ବିଭିନ୍ନ ରାଜ୍ୟରୁ ଓଡ଼ିଶା ଫେରିଥିବା ୭୮ ହଜାର୨୩୩ ଜଣଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଛି ଓଡ଼ିଶା ସରକାର। ଏହି ସନ୍ଦେହ କରୋନା ସଂକ୍ରମଣର ବର୍ଦ୍ଧିତ ହାରକୁ ଦେଖି ବିଚାର କରାଯାଉଛି। ଯେହେତୁ ଏମାନଙ୍କ ଭିତରୁ ଅନେକ କରୋନା ସଂକ୍ରମିତ ରାଜ୍ୟରୁ ଫେରିଛନ୍ତି ସେମାନେ ମଧ୍ୟ ସେହି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଆଶଙ୍କା କରାଯାଇଛି। ସେମାନଙ୍କୁ ଆସନ୍ତା ୧୪ ଦିନ ପାଇଁ ଏକାନ୍ତନିବାସରେ ରହିବାକୁ ନିର୍ଦେଶ ଦିଆଯାଇଛି। ଗାଁ ଲୋକଙ୍କ ସହ ପଞ୍ଚାୟତ ସ୍ତରରେ ସେମାନଙ୍କ ଉପରେ ନଜର ରଖିବାକୁ ସରକାରୀ ନିର୍ଦେଶ ଦିଆଯାଇଥିବା କୋଭିଡ୍‌୧୯ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ କହିଛନ୍ତି।

ରାଜ୍ୟର ୨୭ଟି ଜିଲ୍ଲାରେ ଏମାନେ ରହିଛନ୍ତି। ଏହି ଜିଲ୍ଲାରେ କେଉଁଠି ୫୦୦ ଜଣ ଅନ୍ୟ ରାଜ୍ୟରୁ ଫେରିଛନ୍ତି ତ ଆଉ କେଉଁଠି ସେ ସଂଖୃା ୧୧ ହଜାର ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି।

କରୋନା ସ୍ଥିତି ବିଷୟରେ ତଥ୍ୟ ଉପସ୍ଥାପନ କରି ଶ୍ରୀ ବାଗ୍‌ଚୀ କହିଛନ୍ତି ଗଲା ୨୪ ଘଣ୍ଟ ଭିତରେ ଓଡ଼ିଶାର ସ୍ଥିତି ସ୍ଥିର ରହିଛି। ଏଠାରେ ୨ରୁ ଅଧିକ ପଜିଟିଭ୍‌ଙ୍କୁ  ଚିହ୍ନଟ କରାଯାଇ ନାହିଁ। ଏ ଭିତରେ ରାଜ୍ୟର ୧୩୩ଟି ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା, ସେଥିରୁ ୧୨୯ଜଣଙ୍କ ରିପୋର୍ଟ ମିଳିଛି। ସନ୍ଦିଗ୍ଧଙ୍କ ଭିତରୁ ୩୬ ଜଣଙ୍କୁ ହସ୍‌ପିଟାଲ୍‌ ଏକାନ୍ତୀକରଣରେ ରଖାଯାଇଛି। ଚିହ୍ନଟ ରୋଗୀଙ୍କ ସଂସ୍ପର୍ଶରେ ୫୭ ଜଣ ଅନ୍ୟ ବ୍ୟକ୍ତି ଆସିଥିବା ରିପୋର୍ଟ ରହିଛି। ଏମାନଙ୍କ ଭିତରୁ ୫୪ଜଣଙ୍କୁ ପ୍ରଶାସନ ଯୋଗାଯୋଗ କରିପାରିଛି। ଅନ୍ୟ ତିନିଜଣଙ୍କୁ ଏଯାଏ ରାଜ୍ୟର ପୁଲିସ, ପ୍ରଶାସନ, ଗୁଇନ୍ଦା ଖୋଜୁଛନ୍ତି, ତଥା ମିଳିପାରି ନାହିଁ।

ଭାରତର ସ୍ଥିତି

ମଙ୍ଗଳବାର ଅପରାହ୍ଣ୩ଟାରୁ ଆଜି ଅପରାହ୍ଣ ତିଟା ଅର୍ଥତ୍‌ ବିଗତ ୨୪ ଘଣ୍ଟା ଭିତରେ ଭାରତରେ ସମୁଦାୟ ୫୧ଜଣଙ୍କ ନମୁନାରେ କରୋନା ଭୁତାଣୁ ପଜିଟିଭ୍‌ ଆସିଛି। ଏମାନଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୬୨ ରେ ପହଞ୍ଚିଛି। ଭାରତରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି।

ସମଗ୍ର ବିଶ୍ଵରେ ଏବେ ୨ଲକ୍ଷ ୯୪ ହଜାର ୮୨୦ ଜଣ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି। ୧ଲକ୍ଷ ୦୯ ହଜାର ୧୦୨ ଜଣ ଏ ଭିତରେ ସୁସ୍ଥ ହୋଇଛନ୍ତି।

Leave a Reply

Your email address will not be published.