କରୋନା ପାଇଁ ଓଡ଼ିଶାରେ କଡ଼ା ସତର୍କତା
ଭୁବନଶ୍ଵେର(ଓଟି): ଦିନକୁ ଦିନ ଭୟଙ୍କର ହେଉଛି କରୋନା। ଚୀନରୁ ବ୍ୟାପି ଥିବା ଏହି ମାରାତ୍ମକ ଭାଇରସ୍ ବିଶ୍ଵରେ ଆତଙ୍କ ଖେଳାଇ ସାରିଲାଣି। ୨୪ରୁ ଅଧିକ ଦେଶରେ ସଂକ୍ରମିତ ହୋଇଥିବା ଯୋଗୁ ଚାରିଆଡ଼େ ଆତଙ୍କ ଦେଖାଦେଇଛି। ଏହିକ୍ରମରେ ଭାରତରେ କ୍ରମାଗତ ଦୁଇ ଦିନରେ ଦୁଇଜଣ ରୋଗୀ ଚିହ୍ନଟ ହେବାପରେ ଦେଶବାସୀ ଭୟଭୀତ ହୋଇପଡ଼ିଛନ୍ତି। କେରଳରେ ରବିବାର ଜଣେ ରୋଗୀ ଚିହ୍ନଟ ହୋଇଥିବାବେଳେ ସୋମବାର ମଧ୍ୟ ଆଉଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ୩ଜଣ ଏହି ରୋଗାକ୍ରାନ୍ତ ଥିବା ଅଦ୍ୟାବଧି ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ମଧ୍ୟ ଯଥେଷ୍ଟ ସତର୍କତାମୂଳକ ପଦକ୍ଷେପ ନେବା ସହ ସାଧାରଣରେ ସଚେତନତା ବାର୍ତ୍ତା ଦେଉଛନ୍ତି।
ଏଭଳି ଆତଙ୍କର ସନ୍ଧିକ୍ଷଣରେ କଟକ ବଡ଼ ମେଡିକାଲରେ ୨ ଜଣ ସନ୍ଦିଗ୍ଧ ରୋଗୀ ଭର୍ତ୍ତି ହୋଇଛନ୍ତି। ସମ୍ପୃକ୍ତ ୨ଜଣଙ୍କ ନିକଟରେ କରୋନା ଭାଇରସ୍ ଆକ୍ରାନ୍ତର ଲକ୍ଷଣ ଦେଖାଯାଇଥିଲା। ତେବେ ନମୁନା ପରୀକ୍ଷା ପାଇଁ ଲାବରୋଟାରୀକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ ରାଜ୍ୟରୁ ମୋଟ ୫ ଜଣଙ୍କ ନମୁନା ପୁନେସ୍ଥିତ ଭାଇରଲୋଜି ଲ୍ୟାବକୁ ପଠାଯାଇଥିବାବେଳେ ୪ଟି ରିପୋର୍ଟ ନେଗେଟିଭ ଆସିଥିବା ଡିଏମ୍ଇଟି କହିଛନ୍ତି। ଏସ୍ସିବି ମେଡିକାଲରେ ଭର୍ତ୍ତି ହୋଇଥିବା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ଆସିନାହିଁ । ସେ ଚୀନ୍ରେ ପଢୁଥିଲେ ବୋଲି ଜଣାପଡ଼ିଛି।
ଆଡଭାଇଜରି ଜାରି
କରୋନା ଆତଙ୍କ ଲାଗି ଓଡ଼ିଶା ସରକାର ମଧ୍ୟ ପୂର୍ଣ୍ଣ ସତର୍କ ରହିଛନ୍ତି। ଏନେଇ ଆଡଭାଇଜରି ଜାରି ହୋଇଛି। ଚୀନ, ହଂକଂ, ଥାଇଲାଣ୍ଡ ଓ ସିଙ୍ଗାପୁରରୁ ରାଜ୍ୟକୁ ଆସିଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସରକାର ନିର୍ଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଞ୍ଚଳରୁ ଆସିଥିବା ଲୋକଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସୂଚନା ଦେବା ପାଇଁ ସାଧାରଣ ଜନତାଙ୍କୁ ନିବେଦନ କରାଯାଇଛି। ଏଥିପାଇଁ ଫୋନ ନମ୍ବର ହେଉଛି:
୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭, ୯୪୩୯୯୯୧୨୨୧ ଓ ୯୪୩୭୦୪୦୫୬୪
——–