ଉଚ୍ଚଶିକ୍ଷା ଛାଟ: ଏଣିକି ‘ନୋ ୱାର୍କ ନୋ ପେ’

ଭୁବନେଶ୍ୱର(ଓଟି): ଆଉ ଚଳିବନି ମନମୁଖି। ଯେତେବେଳେ ନାଇ ସେତେବେଳେ ଓହ୍ଲାଇପାରିବନି ଆନ୍ଦୋଳନକୁ। କାରଣ କାମ ନକଲେ ଦରମା ବି ମିଳିବନି। ତେଣୁ ନିଜ ଡିଉଟିକୁ ଗରୁତ୍ଵ ଦେବାକୁ ପଡ଼ିବ। ବିଧିବଦ୍ଧ ଭାବେ ଅନୁମତି ପାଇଲେ କେବଳ ଛୁଟିରେ ରହିପାରିବେ। ଏଭଳି କଡ଼ା ନିର୍ଦ୍ଦେଶ ହୋଇଛି ଉଚ୍ଚଶିକ୍ଷା ବିଭାଗରୁ। ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଦିଆଯାଇଛି ଚେତାବନୀ। ଫଳରେ ଛୁଟି ମଞ୍ଜୁର ନ ହୋଇ ଅଧ୍ୟାପକ ଓ ଅଣଶିକ୍ଷା କର୍ମଚାରୀ ଛୁଟିରେ ରହିଲେ ଲାଗୁହେବ  ‘ନୋ ୱାର୍କ ନୋ ପେ’।

ନୂଆ ନିୟମ ସମ୍ପର୍କରେ ଉଚ୍ଚଶିକ୍ଷା ସଚିବ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। କେବଳ ସମ୍ପୃକ୍ତ କଲେଜର ଉଚ୍ଚ କର୍ତ୍ତୃପକ୍ଷଙ୍କ ସ୍ୱୀକୃତି ଥିଲେ ହିଁ ଅଧ୍ୟାପକ ଛୁଟି ନେଇ ପାରିବେ ବୋଲି ସେଥିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ଏପରିକି ଛୁଟି ନେଇ ଆନ୍ଦୋଳନରେ ସାମିଲ୍‌ ହୋଇପାରିବେ ନାହିଁ କି ଧାରଣା ଦେଇପାରିବେ ନାହିଁ। କାର୍ଯ୍ୟରେ ଯୋଗ ନ ଦେଇ ଆନ୍ଦୋଳନରେ ସାମିଲ ହେଲେ ମଧ୍ୟ ‘ନୋ ୱାର୍କ ନୋ ପେ’ ନିୟମ ଲାଗୁ ହେବ ବୋଲି କୁହାଯାଇଛି।

ଅଭିଯୋଗ ହେଲେ ସରକାରୀ ଅଧ୍ୟାପକଙ୍କୁ ଆଗୁଆ ଅବସର ପାଇଁ କୁହାଯିବ ଏବଂ ଅନୁଦାନପ୍ରାପ୍ତ ହୋଇଥିଲେ ସମ୍ପୃକ୍ତ କଲେଜର ଅନୁଦାନ ପ୍ରତ୍ୟାହାର ହେବ। ସେହିପରି ଅଧ୍ୟାପକ ଛୁଟି ନେଇ ଆନ୍ଦୋଳନରେ ସାମିଲ ହେଲେ ସମ୍ପୃକ୍ତ କଲେଜର ଅଧ୍ୟକ୍ଷ ଦାୟୀ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *