କୋଭିଡ୍-୧୯: ପଚାଶ ହଜାର ସାମ୍ପଲ୍ ପରୀକ୍ଷା ପାଇଁ ଓଡ଼ିଶା ହେଉଛି ସଜବାଜ, 3 ନୂଆ ପରୀକ୍ଷଣ କେନ୍ଦ୍ର ପାଇଁ ମିଳିଲା ଅନୁମତି
ଭୁବନେଶ୍ଵର, (ଓଟି): ନିଜର ଦୂରଦୃଷ୍ଟି ଓ କଠୋର କାର୍ଯ୍ୟାନୁଷ୍ଠାନ ଓ ପୂର୍ବ ପ୍ରସ୍ତୁତି ହେତୁ ଓଡ଼ିଶାରେ କରୋନା ଭାଇରସ୍ ଡିଜିଜ୍ ୨୦୧୯ ( କୋଭିଡ-୧୯) ର ବ୍ୟାପକ ପ୍ରଭାବ ପଡ଼ିପାରି ନାହିଁ। ତଥାପି ରାଜ୍ୟ ମାଟିରୁ ଭୟ ଛାଡ଼ି ନାହିଁ । ଏବେ ଚାରିଜଣ ରୋଗୀଙ୍କ ଶରୀରରେ କରୋନା ଭାଇରସ୍ ସକ୍ରିୟ ରହିଛି। ପୁଣି ରାଜ୍ୟର ପଞ୍ଚମ କରୋନା ପଜିଟିଭ୍ଙ୍କ କୌଣସି ବାହ୍ୟ ଦେଶ ଓ ରାଜ୍ୟକୁ ଭ୍ରମଣ କରିଥିବା ପ୍ରମାଣ ନଥିବାରୁ ରାଜଧାନୀରେ ଆଶଙ୍କା ବଢ଼ିଛି। ଏଭଳି ପରିସ୍ଥିତିକୁ ମୁକାବିଲା ପରିବା ପାଇଁ ରାଜ୍ୟ ଆସନ୍ତା କିଛିଦିନ ଭିତରେ ୫୦ ହଜାର ସାମ୍ପଲ୍ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଉଥିବା ଜଣାଇଛି।
ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଆହୁରି ତିନୋଟି ଟେଷ୍ଟିଂ ଲ୍ୟାବ୍ କରିବା ପାଇଁ ସରକାର କେନ୍ଦ୍ରୀୟ ଭେଷଜ ଗବେଷଣା ପରିଷଦ ( ଆଇସିଏମ୍ଆର୍)ଙ୍କ ଅନୁମତି ପାଇଛନ୍ତି। ଏହି ତିନୋଟି ଲ୍ୟାବ୍ ବ୍ରହ୍ମପୁର ମେଡିକାଲ କଲେଜ, ବୁର୍ଲା ମେଡିକାଲ୍ କଲେଜ ଏବଂ ରାଉରକେଲାର ଆଇଜିଏଚ୍ରେ ଅବସ୍ଥିତ। ଏ ସମସ୍ତ ପରୀକ୍ଷଣ କେନ୍ଦ୍ର ସରକାରୀ ସଂସ୍ଥାଦ୍ଵାରା ପରିଚାଳିତ ହେବ। ଘରୋଇ ଉଦ୍ୟମରେ ଗଢ଼ିଉଠିଥିବେ କିଛି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପରୀକ୍ଷଣ ପାଇଁ ଅନୁମତି ମାଗିଥିଲେ ମଧ୍ୟ ସେମାନଙ୍କୁ ଏହି ସୁବିଧା ମିଳିପାରି ନାହିଁ।
ପରୀକ୍ଷା କେନ୍ଦ୍ର ସିନା ଖୋଲି ପାରୁଛି କିନ୍ତୁ କରୋନା ଟେଷ୍ଟ ପାଇଁ ଆବଶ୍ୟକ କିଟ୍ ମିଳିପାରୁ ନାହିଁ। ଫଳରେ ରାଜ୍ୟରେ ସନ୍ଦିଗ୍ଧଙ୍କ ପରୀକ୍ଷଣ ବ୍ୟବସ୍ଥାକୁ ବ୍ୟାପକ କରାଯାଇପାରୁ ନାହିଁ। ରାଜ୍ୟ ସରକାର ଏହାକୁ ଅନୁଭବ କରି ଅଧିକ ୫୦ ହଜାର ସାମ୍ପଲ୍ ପରୀକ୍ଷଣ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିଲାଗି ଆବଶ୍ୟକ କିଟ୍ କିଣିବାକୁ କାର୍ଯ୍ୟାଦେଶ ଦିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
ସରକାରଙ୍କ ପାଖରେ ଏବେ ପର୍ଯ୍ୟାପ୍ତ ପରିମାଣରେ ଟେଷ୍ଟ କିଟ୍ ନାହିଁ। ଘରୋଇ ଉଦ୍ୟମରେ ଯେଉଁ ସ୍ଵଦେଶୀ କିଟ୍ ପ୍ରସ୍ତୁତ କରାଯାଇଥିଲା ତାହା ଏଯାଏ ବଜାରରେ ପ୍ରବେଶ କରି ନାହିଁ।
ରାଜ୍ୟରେ ଏବେ ତିନୋଟି କରୋନା ଟେଷ୍ଟିଂ ଲ୍ୟାବ୍ ରହିଛି। ସେଥିରୁ ଭୁବନେଶ୍ଵରରେ ଦୁଇଟି ଏବଂ କଟକରେ ଗୋଟିଏ। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ୍ର ଲ୍ୟାବ୍କୁ ଗଲା କିଛିଦିନ ତଳେ ପରୀକ୍ଷଣ ଅନୁମତି ମିଳିଥିଲା। ଆର୍ଏମ୍ଆର୍ସି ଏବଂ ଏମ୍ସରେ ଆଉ ଦୁଇଟି କରୋନା ଟେଷ୍ଟିଂ ଲ୍ୟାବ୍ ଚାଲିଛି।
ଆଜି ରାଜ୍ୟର ତିନୋଟିଯାକ କରେନା ଟେଷ୍ଟିଂ ଲାବ୍ରେ ୨୧୩ଜଣ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣ କରାଯାଇଥିଲା। ସେସବୁ ନେଗେଟିଭ୍ ଆସିଛି। ଏହି ତିନୋଟ ଲ୍ୟାବ୍ ଭିତରୁ ସର୍ବାଧିକ ୧୭୬ଟି ପରୀକ୍ଷା ଆର୍ଏମ୍ଆର୍ସିରେ ହୋଇଥିବାବେଳେ ଏମ୍ସରେ ୨୭ଟି, ଏସ୍ସିବିରେ ୧୦ଟି ସାମ୍ପଲ୍ ପରୀକ୍ଷା କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏଯାଏ ରାଜ୍ୟରେ ସମୁଦାୟ ୧୧୧୩ଟି ସାମ୍ପଲ୍ ପରୀକ୍ଷା କରାଯାଇଛି। ସେଥିରୁ ୫ଟି ପଜିଟିଭ୍ ଆସିଛି। ଜଣେ ସଂକ୍ରମିତ ରୋଗୀ ସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲ୍ରୁ ଘରକୁ ପଠାଇ ଦିଆଯାଇଛି। ତେବେ ଡାକ୍ତରୀଦଳ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛନ୍ତି।