କରୋନା ଆତଙ୍କ: ଆଶ୍ଵସ୍ତ ହେଲା ଓଡ଼ିଶା
ଭୁବନେଶ୍ଵର(ଓଟି): ଆଶ୍ଵସ୍ତ ହେଲା ଓଡ଼ିଶା। ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କୁ ହୋଇନି କରୋନା। ପରୀକ୍ଷା ରିପୋର୍ଟ ନେଗେଟିଭ୍ ଥିବା ଜଣାପଡ଼ିଛି। ଡାକ୍ତର ସିବିକେ ମହାନ୍ତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅଦ୍ୟାବଧି ରାଜ୍ୟର ୬ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୫ଟି ରିପୋର୍ଟ ନେଗେଟିଭ୍ ଆସିଛି। ଜଣେ ମହିଳା କରୋନା ସନ୍ଦିଗ୍ଧ ଭାବେ ଚିହ୍ନଟ ହୋଇଥିବା ବେଳେ ସେ ରିପୋର୍ଟ ଆସିନାହିଁ।
ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ମଧ୍ୟ କରୋନା ପାଇଁ ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ବେଡ୍ ଓ ମୁଖ୍ୟ ହସ୍ପିଟାଲ୍ରେ ୩୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଏସ୍ସିବିରେ ଶଯ୍ୟା ସଂଖ୍ୟା ୮୪ରୁ ୧୫୦କୁ ବୃଦ୍ଧି କରାଯାଇଛି। ସେହିପରି ଭୁବନେଶ୍ୱର ବିମାନବନ୍ଦରରେ ସ୍ଵତନ୍ତ୍ର ଭାବେ ସ୍କ୍ରିନି କରାଯିବା ସହ ଥର୍ମାଲ କ୍ୟାମେରା ଲାଗିଥିବା ସୂଚନା ମିଳିଛି।
ଫୁଲବାଣୀର ସମ୍ପୃକ୍ତ ଛାତ୍ର ଚୀନ୍ରେ ଡାକ୍ତରୀ ପାଠ ପଢ଼ୁଥିଲେ। ସେଠାରେ ସେ ୫ ବର୍ଷ ହେଲା ରହୁଥିବାବେଳେଚଳିତବର୍ଷ ତାଙ୍କ ପାଠପଢ଼ା ସରିବ। କିନ୍ତୁ ଚୀନରେ କରୋନା ବ୍ୟାପିବା ପରେ ସେ ସ୍ଵଦେଶ ଫେରି ଆସିଥିଲେ। କରୋନା ଆକ୍ରାନ୍ତର ଲକ୍ଷଣ ଦେଖାଯିବା ପରେ ସେ ନିଜେ ମଧ୍ୟ ଚିନ୍ତିତ ହୋଇପଡ଼ିଥିଲେ।